Unknown

 

 

 

 

 

 

 

 

 

 

 

ଅକୁହା କୋହ

ଶ୍ରୀମତୀ ତ୍ରିବେଣୀ ମୋହନ

 

ସୂଚୀପତ୍ର

 

୧.

କୀଟଦଷ୍ଟ

୨.

ଭ୍ରାନ୍ତି

୩.

ପୁରସ୍କାର

୪.

ଛାୟାପାତ

୫.

କୁହୁକ ସ୍ପର୍ଶ

୬.

ଦ୍ୱନ୍ଦ୍ୱ

୭.

ଦେବତାର ଅଭିମାନ

୮.

ସାନ୍ଧ୍ୟ ଆଇନ

୯.

ଚାରି ଅଣା

୧୦.

ପ୍ରଭୁତ୍ୱ

Image

 

କୀଟ ଦଷ୍ଟ

 

ପଲ୍ଲବ ଗହଳରୁ ବାଳାରୁଣର କୋମଳ କର ତପସ୍ୱିନୀଙ୍କ ଗଣ୍ଡ ସ୍ପର୍ଶ କଲା । ସେ ଚକ୍ଷୁ ଖୋଲି କାହାକୁ ଯେପରି ଖୋଜିଲେ । ସୂର୍ଯ୍ୟଙ୍କୁ ସ୍ୱାଗତ ଜଣେଇବା ପାଇଁ ଆଶ୍ରମବାସିନୀମାନେ ସମସ୍ତେ ପ୍ରସ୍ତୁତ ହୋଇ ସାରିଥିଲେ । ଅର୍ଘ୍ୟଥାଳ ସଜଡ଼ା ସରିଥିଲା । ତପସ୍ୱିନୀଙ୍କ ଆସନ ନିକଟରେ ପୂଜା ଉପଚାର ଆଣି ଆଶ୍ରମବାଳା ଜଣେ ଥୋଇଦେଲେ । ଫୁଲ ଚାଙ୍ଗୁଡ଼ିଟି ସଦ୍ୟସ୍ଫୁଟ ସତେଜ ପୁଷ୍ପରେ ଭରା । ପୂଜାରାଣୀ ଗୋଟି ଗୋଟି କରି ଫୁଲଗୁଡ଼ିକୁ ବାଛିବାକୁ ଲାଗିଲେ । ପ୍ରତ୍ୟେକଟିରୁ ପ୍ରଭାତର ନିହାର ବିନ୍ଦୁ ଝରି ପଡ଼ୁଥାଏ । ସୌରଭରେ ଚତୁର୍ଦ୍ଦିଗ ଭରି ଯାଇଥାଏ । ସବୁଠାରୁ ବଡ଼ ଫୁଲଟିକୁ ସେ ହାତରେ ଧରିଲେ । ପୂର୍ଣ୍ଣ ବିକଶିତ ରକ୍ତାଭରଞ୍ଜିତ କୋମଳ କୁସୁମଟିକୁ ନିରୀକ୍ଷଣ କରି ଚାହିଁ ରହିଲେ । ସଜଳ ହୋଇ ଉଠିଲା ଚକ୍ଷୁଯୁଗଳ । ସେ କିଛି ନ କହି ଫୁଲଟିକୁ ଦୂରକୁ ଫିଙ୍ଗି ଦେଲେ ।

 

ଆଶ୍ଚର୍ଯ୍ୟ ହେଲେ ଆଶ୍ରମବାଳାମାନେ । ସବୁଠାରୁ ସୁନ୍ଦର, ସବୁଠାରୁ ବଡ଼ ଫୁଲଟିକୁ ଫୋପାଡ଼ି ଦେଲେ କାହିଁକି ? ଆଖିରେ ସେମାନଙ୍କର ପ୍ରଶ୍ନ–ମୁଖରେ ନାହିଁ । ଏହି ଶୁଭ ବସନା, ନିରାଭରଣା ରମଣୀଙ୍କଠାରେ ସମସ୍ତେ ନତମସ୍ତକ । ଅଗାଧ ଭକ୍ତି ସମସ୍ତଙ୍କର । ସେ ଆଶ୍ରମବାସୀ ସମସ୍ତଙ୍କର ଜନନୀ, ଗୁରୁଦେବୀ । ପ୍ରିୟ ଶିଷ୍ୟମାନଙ୍କର ଚକ୍ଷୁର ଭାଷା ସେ ବୁଝିଥିଲେ । କହିଲେ–‘‘ଫୁଲଟି ସୁନ୍ଦର–ଖୁବ୍ ସୁନ୍ଦର । କିନ୍ତୁ ଦେବତାଙ୍କ ପୂଜାରେ ଲାଗିବା ପାଇଁ ଅନୁପଯୁକ୍ତ ହୋଇପାରେ । କିଏ ଜାଣେ ତାହା କୀଟଦଷ୍ଟ ନୁହେଁ ବୋଲି ?’’ କୌତୁହଳୀ ବାଳିକାଟି ପରୀକ୍ଷା କରି ଆସି କହିଲା–‘‘ନା ଦେବୀ, ଫୁଲଟି ନିଖୁଣ; ପୋକଡ଼ା ନୁହେଁ ତ ।’’ ସାମାନ୍ୟ ଫୁଲଟି ପାଇଁ ଚିନ୍ତିତ ହୋଇ ଉଠିଲେ ଗୁରୁଦେବୀ । ମୁଖ ତାଙ୍କର ବିବର୍ଣ୍ଣ । ସେ ବ୍ୟଥିତ କଣ୍ଠରେ କହିଲେ, ‘‘ଫୁଲଟି ଅଭିଶପ୍ତ ମା । ସେ ଦେବତାଙ୍କ ସେବା ପାଇଁ ଅଯୋଗ୍ୟ । କାରଣ କ’ଣ ଜାଣିଛୁ ? ସେ ସୁନ୍ଦର । ସେ ସମସ୍ତଙ୍କୁ ମୁଗ୍ଧ କରିପାରେ । କେତେ ପ୍ରଜାପତି ତାକୁ ଦୃଷ୍ଟି ଦେଇଥିବେ । କେତେ ଭଅଁର ତାକୁ ସ୍ପର୍ଶ କରିଥିବେ । ହୁଏ ତ ଅନାଘ୍ରାତ ନୁହେଁ ତାର ସୌରଭ । ଛାଡ଼; ସେଥିରୁ କଣ ପାଇବ ତୁମେମାନେ ?’’

 

ମୁଦ୍ରିତ ହୋଇଗଲା ପୂଜାରିଣୀଙ୍କ ଆଖି ଦୁଇଟି । କରଯୋଡ଼ି ସେ ଧ୍ୟାନମଗ୍ନା ହୋଇଗଲେ । ଅସ୍ଥିର ତାଙ୍କର ଚିତ୍ତ । ଅଶାନ୍ତ ତାଙ୍କର ହୃଦୟ । କେତେ ଚେଷ୍ଟାରେ ସୁଦ୍ଧା ସେ ଦେବତାଙ୍କ ଚରଣ ତଳେ ନିଜ ମନ ସ୍ଥିର ରଖି ପାରିଲେ ନାହିଁ । ଚକ୍ଷୁ ଖୋଲିଲେ । ନିଜର ବାମହାତ ପାପୁଲିକୁ ଚାହିଁଲେ । ଏ ପର୍ଯ୍ୟନ୍ତ ପୋଡ଼ା ଚିହ୍ନ ଲିଭି ନାହିଁ । ପନ୍ଦର ବର୍ଷ ତଳର ପୁରୁଣା କଥା ଆଜିର ଘଟଣା ପରି ମନେ ହେଲା । ଆରତୀ ନୃତ୍ୟରେ ଦୀପ ଧରି ଘୂରି ପଡ଼ିବାବେଳେ ନର୍ତ୍ତକୀ ପୁଷ୍ପା ଦୀପ ଥାଳୀଟି ନିଜ ଉପରେ ଢଳାଇ ଦେଇଥିଲା । ଜଳି ଉଠିଲା ତାର ଝୀନ ବସନ, ଆଉ ଦଗ୍ଧ ହେଲା ତାର ବାମ କର ।

 

ସଂଜ୍ଞା ଫେରି ପାଇ ସେ ଯାହା ଉପରେ ନେତ୍ରପାତ କଲା, ସେ ତାହାର ଜନ୍ମ ଜନ୍ମାନ୍ତରର ସାଥୀ । ଡାକ୍ତର ହିମାଂଶୁ ପ୍ରେକ୍ଷାଳୟରେ ନର୍ତ୍ତକୀର ସାବଲୀଳ ଅଙ୍ଗଭଙ୍ଗୀରେ ବିଭୋର ହୋଇଥିଲେ । ହଠାତ୍ ଅଗ୍ନିସଂଯୋଗ ଯୋଗୁଁ ନୟନପ୍ରତିମାକୁ ଅତି ନିକଟରେ ପାଇ ପାରିଲେ ସେ-। କାହାର ଅଲକ୍ଷିତ ଅଙ୍ଗୁଳି ନିର୍ଦ୍ଦେଶରେ ଦିହେଁ ଦୁହିଁଙ୍କ ପ୍ରତି ଆକୃଷ୍ଟ ହୋଇ ପଡ଼ିଲେ । ପ୍ରୀତି ପ୍ରଗାଢ଼ ହେଲା । ଘନିଷ୍ଠତା ବଢ଼ିଲା ।

 

ପୁଷ୍ପା ଦିଲ୍ଲୀ ନଗରୀର ଜଣେ ପ୍ରସିଦ୍ଧ ନର୍ତ୍ତକୀ । ଜଣେ ଖ୍ୟାତନାମା ଅଭିନେତ୍ରୀ । ଯଶ, ଅର୍ଥ, ମାନ ସବୁ ସେ ପାଇଚି । ମୁଗ୍ଧ ଦର୍ଶକମାନଙ୍କ କରତାଳିରେ, ବହୁ ଗୁଣଗ୍ରାହୀଙ୍କ ଉଚ୍ଛ୍ୱସିତ ପ୍ରଶଂସାରେ ସେ ସମ୍ମାନିତା ହୋଇଚି ସତ; କିନ୍ତୁ ସେ ନିଜକୁ ଚିରଦିନ ନିଃସ୍ୱ ମନେ କରି ଆସିଚି । ଗର୍ବ ତାକୁ ସ୍ପର୍ଶ କରି ନାହିଁ–ଆତ୍ମାଭିମାନରେ ସେ ଅନ୍ଧ ହୋଇନାହିଁ । ସେ ବରଂ ଜୀବନର ସ୍ତରେ ସ୍ତରେ ଦୀନତା, ମହାଶୂନ୍ୟତା ଅନୁଭବ କରିଚି ।

 

କିନ୍ତୁ ହିମାଂଶୁଙ୍କୁ ଦେଖିବା ଦିନଠାରୁ ଜୀବନରେ ତାର ମଧୁ ସଞ୍ଚାର ହୋଇଚି । ସରସ ସୁନ୍ଦର ଦୁନିଆରେ ବଞ୍ଚି ରହିବା କେଡ଼େ ବାଞ୍ଛନୀୟ, ବର୍ତ୍ତମାନ ପୁଷ୍ପା ବେଶ୍ ଅନୁଭବ କରି ପାରୁଚି । ତାର କମନୀୟ ଅଙ୍ଗଲତା ଆହୁରି ଲୋଭନୀୟ ହୋଇ ଉଠିଚି । ପୂର୍ଣ୍ଣମୀର ମୁଖଟି ତାର ଆହୁରି ହସ ହସ, ଆହୁରି ଉଜ୍ୱଳ ଦେଖା ଯାଉଚି । କେତେ ରମଣୀୟ ସନ୍ଧ୍ୟା, ନୀରବ ରଜନୀ, ଶାନ୍ତ ଅପରାହ୍ନ ମଧୁର ଆଳାପରେ କଟି ଯାଇଚି । ବର୍ତ୍ତମାନର ମାଦକତା, ଭବିଷ୍ୟତର ସୁଖ ସ୍ୱପ୍ନ ଦୁହିଁଙ୍କୁ ଏତେ ଅଭିଭୂତ କରି ପକାଇଥିଲା ଯେ, ଅତୀତର ପୃଷ୍ଠା ସବୁ ଓଲଟାଇବାକୁ ବେଳ ନ ଥିଲା ।

 

ଦିନେ କୁତବ ମିନାରର ଘୂର୍ଣ୍ଣାୟମାନ ଅସରନ୍ତି ସୋପାନରେ ଉପରକୁ ଉଠିବାବେଳେ ହିମାଂଶୁ ପୁଷ୍ପାର କାନ ପାଖରେ ତୁନି ତୁନି କହିଲେ–‘‘ପୁଷ୍ପା, ମୋ ଛଡ଼ା ତୁମେ ଆଉ କାହାକୁ ଭଲ ପାଅ ନାହିଁ ତ ?’’ ପୁଷ୍ପା ସଲଜ୍ଜ ଭାବ ଦେଖାଇ କହିଲା–‘‘ଛି, କି କଥା କହୁଛ ? ତୁମେ କଣ ଜାଣି ପାରୁ ନ, ତୁମ ଛଡ଼ା ଦୁନିଆଟା ମୋ ପକ୍ଷରେ ନିରର୍ଥକ ?’’ ହିମାଂଶୁ ଖୁସି ହେଲେ; କିନ୍ତୁ କାହିଁକି କେଜାଣି ମନ ଶାନ୍ତ ହେଲା ନାହିଁ । ସେ କହିଲେ–‘‘ଆଚ୍ଛା, ତୁମେ କଣ ଆଉ କେବେ କାହାକୁ ଭଲ ପାଇଥିଲ ?’’ ଏଥର ପୁଷ୍ପା ନୀରବ । ଅତି ଉଚ୍ଚକୁ ଉଠିବାରୁ ନିଃଶ୍ୱାସ ଖର ହୋଇ ଆସୁଥିଲା । ତାହା ଖରତର ହେଲା । ପାହାଚ ଘରଟି ଅନ୍ଧକାରମୟ । କ୍ଷୁଦ୍ର ଗବାକ୍ଷର ସ୍ୱଳ୍ପାଲୋକରେ ହିମାଂଶୁ ଲକ୍ଷ୍ୟ କଲେ, ପୁଷ୍ପାର ଆଖିପତା ଓଦା ହୋଇ ଯାଇଛି । ଉପରକୁ ଉଠିବା ଆଉ ହେଲା ନାହିଁ । ତଳକୁ ଓହ୍ଲାଇ ଆସି ବିସ୍ତୃତ ଉଦ୍ୟାନର ଏକ ନିଭୃତ ପ୍ରାନ୍ତରେ ସବୁଜ ଘାସର ଗାଲିଚା ଉପରେ ଦିହେଁ ବସିଲେ ।

 

ରହସ୍ୟଟା ଜାଣିବା ପାଇଁ ହିମାଂଶୁଙ୍କର କୌତୁହଳ ବଢ଼ି, ଯାଇଚି । କିନ୍ତୁ ପୁଷ୍ପାର ଅନ୍ତରକୁ ପରୀକ୍ଷା କରିବା ପାଇଁ ସେ ନୀରବ ହୋଇ ବସି ରହିଲେ । ସେ ନିଜ କଥା ନିଜେ ପ୍ରକାଶ କରୁ । ପୁଷ୍ପା କିଛିକ୍ଷଣ ଚୁପ ରହିବା ପରେ ଗୋଟିଏ ଦୀର୍ଘଶ୍ୱାସ ଛାଡ଼ି କହିଲା–‘‘ହଁ, ଜଣକୁ ଭଲ ପାଇଥିଲି । କିନ୍ତୁ ସେ କଥା ଆଉ ମତେ ସ୍ମରଣ କରାଅ ନାହିଁ । ମୁଁ ଭୁଲିବାକୁ ଚାହେଁ ମୋର ଅତୀତକୁ । ବଡ଼ ଆଘାତ ପାଇଚି ଜୀବନରେ । ଅପାତ୍ରରେ ଢାଳି ଦେଇଥିଲି ପ୍ରେମର ପୂର୍ଣ୍ଣକୁମ୍ଭକୁ । ଥାଉ ସେ ସବୁ କଥା । ମତେ କ୍ଷମା କର; ମୁଁ ସେ ସବୁ କଥାର ପୁନରାବୃତ୍ତି କରି ପାରିବି ନାହିଁ । ତୁମର ପବିତ୍ର ସ୍ପର୍ଶରେ ମୁଁ ନୂତନ ଜୀବନ ପାଇଚି । ଅତୀତ ମୋର ମୃତ ।’’ ପୁଷ୍ପା ଚୁପ ରହିଲା । ନିଜକୁ ପ୍ରକୃତିସ୍ଥ କରିବାକୁ ଆଖି ବୁଜି ଟିକିଏ ବସିଲା । ହିମାଂଶୁ କହିଲେ–‘‘ଅକୁହା କୋହ ତୁମକୁ ବେଶୀ କଷ୍ଟ ଦେବ ପୁଷ୍ପା । ମୋ ପାଖରେ ସବୁ କଥା ଖୋଲି କୁହ । ତେବେ ହୃଦୟ ହାଲୁକା ହୋଇଯିବ । ତୁମେ ଶାନ୍ତି ପାଇବ ।’’ ପୁଷ୍ପା ଉତ୍ତର ଦେଲା–‘‘ନା, ଠିକ୍‍ କହୁନ ତୁମେ । ଶୁଖି ଆସୁଥିବା କ୍ଷତଟିକୁ ଜାଣିଶୁଣି ପୁଣି କାହିଁକି ଆଘାତ କରି ରକ୍ତାକ୍ତ କରିବି ? ତାକୁ ସ୍ପର୍ଶ ନ କରି ଛାଡ଼ିଦେଲେ ସେ ନିଜେ କେତେଦିନ ପରେ କୁଆଡ଼େ ବିଲୀନ ହୋଇଯିବ । ତାର ଚିହ୍ନ ବର୍ଣ୍ଣ ଟିକକ ବି ରହିବ ନାହିଁ । କିନ୍ତୁ ବର୍ତ୍ତମାନ ଯେ କଥା ଉଠାଇ ମତେ କଷ୍ଟ ଦିଅ ନାହିଁ ହିମ । ଏହି ମୋର ଅନୁରୋଧ ।’’

 

କଥାଟା ବନ୍ଦ ରହିଲା ସେଇଠି । ଆଜିକାଲି ପୁଷ୍ପାର ଚାରି ଆଡ଼ର ବନ୍ଧନ ଯେପରି ଧୀରେ ଧୀରେ ଛିଡ଼ି ଯାଉଚି । ହିଂମାଶୁଙ୍କ ଉଦୟରେ ତାର ଜୀବନ ଆଲୋକିତ ହୋଇଚି । ନୀଳ କଇଁଟି ପରି ସେ ହସି ଉଠିଚି । ହିମାଂଶୁଙ୍କ ବ୍ୟତୀତ ଆଉ ସବୁ ଅନ୍ଧକାର । ସ୍ୱଜନ, ବନ୍ଧୁ, ସୁହୃଦ୍ କାହିଁ କେଉଁ ଘନ କୁହେଳିକା ଭିତରେ ମିଳାଇ ଗଲେଣି । କାହା କଥା ଭାବିବାକୁ ତାର ଆଉ ତର ନାହିଁ । ତାର ପ୍ରତ୍ୟେକଟି ମୁହୂର୍ତ୍ତ ହିମାଂଶୁଙ୍କ ପାଇଁ ଉଦ୍ଦିଷ୍ଟ । ପ୍ରତ୍ୟକ୍ଷରେ ତାଙ୍କ ସହିତ ସମୟ କଟାଉଚି କିମ୍ବା ପରୋକ୍ଷରେ ତାଙ୍କ ଭାବନାରେ ଆତ୍ମବିସ୍ମୃତ ହୋଇ ରହୁଚି । ହିମାଂଶୁଙ୍କ ପାଇଁ ତାର ନୃତ୍ୟର ଭଙ୍ଗୀ ବଦଳି ଯାଇଚି । ବେଶ ପରିପାଟୀରେ ଘୋର ପରିବର୍ତ୍ତନ ହୋଇଛି । ସେ ଆଜିକାଲି ନାଚେ ହିମାଂଶୁଙ୍କର ଆନନ୍ଦ ପାଇଁ, ନିଜକୁ ସଜାଏ ହିମାଂଶୁଙ୍କର ତୁଷ୍ଟି ପାଇଁ । ସର୍ବସ୍ୱ ସେ ଅଜାଡ଼ି ଦେଇଚି ତାଙ୍କର ପାଦତଳେ । ତାର ମନରେ କାର୍ପଣ୍ୟ ନାହିଁ । ମନରେ ଦ୍ୱିଧା ଜନ୍ମିନାହିଁ । ଏତେ ଅକାତରରେ ଏତେ ଶୀଘ୍ର ସେ ସବୁ ଦାନ କରିଦେଲା କିପରି ?

 

ଦିନେ ରଙ୍ଗମଞ୍ଚରୁ ଫେରି ପୁଷ୍ପା ତାର କ୍ଲାନ୍ତ ଶରୀରକୁ ବିଶ୍ରାମ ଦେବାପାଇଁ ପଲଙ୍କ ଉପରେ ଲୋଟି ପଡ଼ୁଚି, ଦ୍ୱାରରେ କରାଘାତ ଶୁଣିଲା । ପରିଚିତ ଏ ଶବ୍ଦ । ହିମାଂଶୁଙ୍କର କରାଘାତରେ ସ୍ୱାତନ୍ତ୍ର୍ୟ ରହିଚି । ଏତେ ରାତିରେ ? ହିମାଂଶୁ ଝଡ଼ ବେଗରେ ଘରେ ପୁଣି ଆସି ଚୌକି ଉପରେ ବସିଲେ । ଗମ୍ଭୀର ମୁଖମଣ୍ଡଳ ଦେଖି ପୁଷ୍ପା ଆତଙ୍କିତ ହେଲା । ହିମାଂଶୁ ପୁଷ୍ପାର ହାତ ଦୁଇଟି ଧରି ପକାଇ କାତର ସ୍ୱରରେ କହିଲେ–‘‘ପୁଷ୍ପ, ତୁମକୁ ଆଉ ରଙ୍ଗମଞ୍ଚରେ ନାଚିବାକୁ ହେବନାହିଁ । ପୁରୁଷ ମୁଁ । ମୋର ମନ ବୁଝିବାକୁ ଚେଷ୍ଟା କର । ଶତ ଶତ ପୁରୁଷର ଲେଲୁପ ଦୃଷ୍ଟି ତୁମ ଉପରେ ନିବଦ୍ଧ ହେବାକୁ ମୁଁ ଦେଇ ପାରିବି ନାହିଁ । ମୁଁ ଏହା ବରଦାସ୍ତ କରି ପାରିବି ନାହିଁ । ତୁମେ ଇସ୍ତଫା ଦେଇ ଦିଅ । ତୁମକୁ ମୁଁ ଆଉ ନାଚିବାକୁ ଦେବିନାହିଁ ।’’

 

ପୁଷ୍ପା ନିର୍ବାକ୍ ଭାବରେ ହିମାଂଶୁଙ୍କୁ ଚାହିଁ ରହିଲା । ତାର ନୃତ୍ୟକଳା ଦେଖି ସେ ତା ପ୍ରତି ଆକୃଷ୍ଟ ହୋଇଥିଲେ । ତାର ଅଙ୍ଗଭଙ୍ଗୀକୁ ବିମୁଗ୍ଧ ନେତ୍ରରେ ସେ ଚାହିଁ ଆସିଚନ୍ତି । ତାର ସାବଲୀଳ ତନୁଲତାକୁ ଦେଖି ସେ ଆତ୍ମହରା ହୋଇଚନ୍ତି । ଏବେ କ’ଣ ହେଲା ?

 

ପୁଷ୍ପା ହିମାଂଶୁଙ୍କର ଆହୁରି ଟିକେ ପାଖକୁ ଆସି ତାଙ୍କ ମୁଖକୁ ନିରୀକ୍ଷଣ କଲା । ଥଟ୍ଟା କରୁନାହାନ୍ତି ତ ? ବଡ଼ ଗମ୍ଭୀର ଦେଖା ଯାଉଛନ୍ତି । ସେ ପଚାରିଲା–‘‘ମୁଁ ଆଉ ନାଚିବି ନାହିଁ ?’’

 

ହିମାଂଶୁ–ନା, ଯେତିକି ନାଚି ନାମ କରିଚ, ସେତିକି ଯଥେଷ୍ଟ ।

 

ପୁଷ୍ପା–ଚାକିରୀ ଛାଡ଼ିଦେବି ? ଆଉ କଣ କରିବି ? ଏହି ତ ମୋର ରୋଜଗାରର ଏକମାତ୍ର ପନ୍ଥା ।

 

ହିମାଂଶୁ–ନା, ପୁଷ୍ପା, ତୁମେ ଆଉ ଚାକିରୀ କରିବ ନାହିଁ । ତୁମେ ମୋର; ତୁମର ଭବିଷ୍ୟତ ମୋର ଦାୟିତ୍ୱ ।

 

ପୁଷ୍ପାର ମୁଖରେ ବିଦ୍ୟୁତ୍‍ର ଝଟକ । ବିଷାଦର କଳା ବଉଦଟି ଅପସରି ଗଲା । ସେ ସଲଜ୍ଜ ଚାହାଣୀରେ ହିମାଂଶୁଙ୍କୁ ଚାହିଁ ମୁହିଁ ପୋତିଲା ।

 

ହିମାଂଶୁ ତାର ଲଜ୍ଜାବନତ ମୁଖଟିକୁ ଉପରକୁ ଉଠାଇ କହିଲେ–‘‘ମୁଁ ତୁମକୁ ବିବାହ କରିବି ପୁଷ୍ପା । ତୁମେ ହେବ ମୋ ଗୃହର କର୍ତ୍ତ୍ରୀ, ମୋ’ ସନ୍ତାନର ଜନନୀ । ନାଚିବା ଆଉ ସାଜିବ ନାହିଁ ।’’

 

ପୁଷ୍ପା ହିମାଂଶୁଙ୍କ କଥା ମାନିଚି । ରଙ୍ଗମଞ୍ଚ ପରିତ୍ୟାଗ କରିଚି ଏବଂ ତା ସହିତ ସମସ୍ତ ପୂର୍ବ ସମ୍ପର୍କ ମଧ୍ୟ ତୁଟାଇ ଦେଇଚି । ହିମାଂଶୁଙ୍କର ଉପଯୁକ୍ତ ପତ୍ନୀ ହେବାକୁ ନିଜକୁ ପ୍ରସ୍ତୁତ କରୁଚି । ଆଉ ଦୁଇମାସ ପରେ ବିବାହ । ପୁଷ୍ପା ବହୁବାର ଆଖି ବୁଜି ଭାବିଚି ତା’ ଭବିଷ୍ୟତକୁ । କି ଅଖଣ୍ଡ ଆନନ୍ଦର ଅଧିକାରିଣୀ ହେବ ସେ । ଦିହିଁଙ୍କ ମନ ଏତେ ସୁନ୍ଦର ମିଳି ଯାଉଚି । ବିବାହ ପରେ କେତେ ସୁଖୀ ନ ହେବେ ସେମାନେ । ହିମାଂଶୁ ହୃଦୟର ଆଲୋଡ଼ନ ବୁଝନ୍ତି । ସେ ଡାକ୍ତର । କିନ୍ତୁ କବି ମଧ୍ୟ । ଦୈନନ୍ଦିନ ଜୀବନର ରୁକ୍ଷତା ତାଙ୍କ ନିକଟରେ ସୁନ୍ଦର ହୋଇଯିବ । ସାଂସାରିକ ଜୀବନରେ ଆଉ କିଛି ମିଳୁ ବା ନ ମିଳୁ ମାନସିକ ଶାନ୍ତି ତ ଅକ୍ଷୂଣ୍ଣ ରହିବ ।

 

ଆଉ ମାତ୍ର କେତୋଟି ସପ୍ତାହ ପରେ ହିମାଂଶୁ ପୁଷ୍ପାକୁ ସର୍ବତୋଭାବେ ପାଇ ପାରିବେ-। ବର୍ତ୍ତମାନ ଯେ ନ ପାଇଚନ୍ତି–ତାହା ନୁହେଁ । କିନ୍ତୁ ସେହିଦିନଠାରୁ ତାଙ୍କର ହେବ ସ୍ୱତ୍ତ୍ୱାଧିକାର–ଆଇନଗତ ଦାବୀ । ଦିବସର କ୍ଲାନ୍ତି ପରେ ଦିହେଁ ଯାଇ ପାର୍କର ଗୋଟିଏ କୋଣରେ ବସିଲେ । ବିଜୁଳିବତୀର ଆଲୋକ ସେହି ପୁଷ୍ପିତ ଗୁଳ୍ମଟିକୁ ଭେଦକରି ଏହି କପୋତ ମିଥୁନଙ୍କୁ ସ୍ପର୍ଶ କରି ପାରୁ ନ ଥିଲା । ପୁଷ୍ପାର କୋଳରେ ମୁଣ୍ଡ ରଖି ହିମାଂଶୁ ନିର୍ମିମେଷ ନୟନରେ ଚାହିଁ ରହିଥିଲେ ତାଙ୍କ ମଞ୍ଜୁଳ ମୁଖମଣ୍ଡଳକୁ । ଯୌବନ ସୁଷମାର ପିୟୂଷ ଧାରା ସେ ଆକଣ୍ଠ ପାନ କରୁଥିଲେ । କବି ଭାଷାରେ ବର୍ଣ୍ଣନା କରି ଚାଲିଥିଲେ ତାର ଆଲୁଳାୟିତ କୁନ୍ତଳଠାରୁ ଅଳକ୍ତରଞ୍ଜିତ ଚରଣପ୍ରାନ୍ତ ଯାଏ-। କଣ ମନେ ହେଲା, ସେ ନିରୀକ୍ଷଣ କରି ରହିଲେ ପୁଷ୍ପାର ଅରୁଣ ଅଧରକୁ । କୋଳରୁ ମୁଣ୍ଡ କାଢ଼ିନେଇ ସିଧା ହୋଇ ବସିଲେ । ଜୁଗୁପ୍‍ସାରେ ତାଙ୍କର ନାସିକା ସ୍ଫୀତ ହୋଇଛି । ବିରକ୍ତିରେ ଲଲାଟ ରେଖାଙ୍କିତ । ସେ କମ୍ପିତ କଣ୍ଠରେ କହିଲେ–‘‘କଳୁଷିତ ତୁମର ଏ ଅଧର ଦୁଇଟି । କଳଙ୍କିତ ତୁମର ଏ ରୂପଶ୍ରୀ । ସେହି ଅନାମଧେୟ ପ୍ରେମିକ ତୁମର ଏ ସବୁ ସ୍ପର୍ଶ କରିଚି ।’’

 

ପୁଷ୍ପାର ହଠାତ୍ ବାକ୍‍ସ୍ଫୁରଣ ହେଲା ନାହିଁ । ପରେ କାତର ହୋଇ କହିଲା, ‘‘ଛିଃ, ପ୍ରିୟତମ, କିମିତି କଥାଗୁଡ଼ା କହୁଚ ? କହିଥିଲି ନା ଅତୀତର ସେ ମୃତ ଇତିହାସ ? ସମାଧି ଭିତରୁ ତାକୁ ଖୋଳି ବାହାର କରିବ ନାହିଁ ।’’

 

ହିମାଂଶୁ ଚିତ୍କାର କରି ଉଠିଲେ–‘‘ପ୍ରିୟତମ, ପ୍ରିୟତମ, ଏହିପରି ତ ତାକୁ ଡାକିଥିବ । ଆଉ ଅତୀତର ମୃତ ଇତିହାସ ! ମୁଁ ଜାଣିବି କିମିତି ହୃଦୟ ଭିତରେ ତାହା ଜୀବନ୍ତ ହୋଇ ରହିଚି କି ନା ! ତା ସ୍ମୃତି ଏତେ ପବିତ୍ର ଯେ ମୋ ପରି ଜଣେ ହୀନ ମନୁଷ୍ୟ ନିକଟରେ ତାର ନାମ ପର୍ଯ୍ୟନ୍ତ ପ୍ରକାଶ କରି ପାରୁନ ।’’ ହିମାଂଶୁଙ୍କର ଚକ୍ଷୁରେ ବହ୍ନୀର ଜ୍ୱଳନ । ପୁଷ୍ପା କାହିଁକି କୌଣସି କଥା ଲୁଚାଇବ ସେ ତାହା ସହ୍ୟ କରି ପାରୁନାହାନ୍ତି । ପୁରୁଷର ଏ ବିଚିତ୍ର ପ୍ରକୃତି । ଯେତିକି ପାଏ ତା’ଠାରୁ ବେଶି ଅପେକ୍ଷା କରେ ସେ । ଅନ୍ୟର ସ୍ୱେଚ୍ଛାଦାନକୁ ନିଜର ହକ୍ ଦାବୀ ବୋଲି ଧରି ନିଏ-। ଏଣୁ ଦାନପ୍ରତି କୃତଜ୍ଞ ହେବା ପରିବର୍ତ୍ତେ ଖୁଣ ଖୋଜି ବାହାର କରିବା ତା’ପକ୍ଷେ ସହଜ ହୁଏ-। ନାରୀର ସ୍ୱାତନ୍ତ୍ର୍ୟ କିଛି ରହୁ ଏହା ସେ ବରଦାସ୍ତ କରି ପାରିବ ନାହିଁ । ପୁରୁଷ ସେ । ତାର ଜୀବନରେ ଇତିହାସ ରହିପାରେ । ପୁରୁଷ ସେ । ବିଭିନ୍ନ ପୁଷ୍ପକୁ ପରୀକ୍ଷା କରି ମନୋମତ କୁସୁମରୁ ମଧୁ ସଂଗ୍ରହ କରିପାରେ । କିନ୍ତୁ ନାରୀ ଚକ୍ଷୁ ଖୋଲି ଯାହା ଉପରେ ଥରେ ନେତ୍ରପାତ କରିଥିବ ସେ ଯୋଗ୍ୟ ହେଉ ଅଯୋଗ୍ୟ ହେଉ, ତା ନିକଟରେ ଆମରଣ ବାନ୍ଧି ହୋଇ ରହିବାହିଁ ସମାଜର ଆଦର୍ଶ । ପୁରୁଷ ସେ । ଜୀବନର ତିକ୍ତ ଅନୁଭୂତିକୁ ଦୂରକୁ ଠେଲି ଦେଇ ନୂଆ କରି ବଞ୍ଚିବାକୁ ତାର ଅଧିକାର ଅଛି । କିନ୍ତୁ ନାରୀ ଥରେ ଭୁଲ କରି ପକାଇଥିଲେ ଜୀବନ ସାରା ଆଖିରୁ ଲୁହ ଗଡ଼ାଇବାହିଁ ତା କପାଳରେ ଲେଖା ।

 

ରାତିରେ ପୁଷ୍ପା ଉନ୍ନିଦ୍ରଭାବେ ଶଯ୍ୟାରେ ପଡ଼ି ରହିଛି । କାହିଁକି ହିମାଂଶୁ ତାକୁ ଏପରି ଅପ୍ରିୟ ପ୍ରଶ୍ନ ଗୁଡ଼ାଏ ପଚାରି ତା ମନରେ କଷ୍ଟ ଦେବାକୁ ଆରମ୍ଭ କରିଛନ୍ତି ? ଆଗେ ତ କରୁ ନଥିଲେ । ତାର ଯେ ଇତିହାସ କିଛି ଥିବ ଏ କଥା ସେ କଣ କଳ୍ପନା କରି ନ ଥିଲେ ? ତେବେ ତାକୁ ପାଇବା ପାଇଁ ଏ ଅକ୍ଲାନ୍ତ ପରିଶ୍ରମର ଦରକାର ଥିଲା କଣ ? ବର୍ତ୍ତମାନ ତାକୁ ହାତରେ ପାଇ ତା ପ୍ରତି ଏ କି ବ୍ୟବହାର ? ଆଖିରୁ ଧାର ଧାର ଅଶ୍ରୁ ବହିଲା । ସେ କାନ୍ଦି କାନ୍ଦି କ୍ଲାନ୍ତ ହୋଇ ତନ୍ଦ୍ରାଚ୍ଛନ୍ନ ହେଲା । ଆଖି ଆଗରେ ତାର ଭାସି ଆସିଲା ପୂର୍ଣ୍ଣ ବିକଶିତ ପଦ୍ମ ଫୁଲଟିଏ । ତଡ଼ାଗର ଅଗାଧ ଜଳ ମଧ୍ୟରେ ଭାସମାନ ଏହି ପୁଷ୍ପଟି ପ୍ରତି ସୌନ୍ଦର୍ଯ୍ୟପିପାସୁ ନରର ଦୃଷ୍ଟି ପଡ଼ିଲା । ସେ ଚାହିଁଲା ତାକୁ ପାଇବା ପାଇଁ । ଅଶେଷ ଶ୍ରମ କରି ଜୀବନକୁ ସଙ୍କଟାପନ୍ନ କରି ସେ ତୋଳି ଆଣିଲା ଅପୂର୍ବ ଲାବଣ୍ୟର ଆଧାର ସେହି ପ୍ରଭାବ କମଳଟିକୁ । ଆନନ୍ଦରେ ନାଚି ଉଠିଲା ତା ହୃଦୟ । ଜୀବନ ସତେ ସାର୍ଥକ ହେଲା । ବିଜୟ ଉଲ୍ଲାସରେ ସେ କିଛି କ୍ଷଣ ଆତ୍ମହରା ହେଲା । କିନ୍ତୁ ପର ମୁହୂର୍ତ୍ତରେ ତାର ମନେ ହେଲା–ଫୁଲଟି ହୁଏତ କୀଟଦଷ୍ଟ । ପଙ୍କରୁ ଜାତ ଏହି ଫୁଲ । କେତେ କୀଟ, କେତେ ସରୀସୃପ ଏହି ଫୁଲଟିକୁ ସ୍ପର୍ଶ କରିଥିବେ । ଛିଃ, କି କଦର୍ଯ୍ୟ, କି ଘୃଣ୍ୟ ।’’ ସେହି ପାଣିକୁ ଅକାତରରେ ଫୋପାଡ଼ି ଦେଲା ସେ । ପୁଷ୍ପାର ନିଦ ଭାଙ୍ଗିଗଲା । ସେ ଅକାତରରେ ଫୋପାଡ଼ି ଦେଲା ସେ । ପୁଷ୍ପାର ନିଦ ଭାଙ୍ଗିଗଲା । ସେ ଶେଯରେ ମୁହଁ ମାଡ଼ି ପୁଣି କାନ୍ଦିବାକୁ ଲାଗିଲା । ହଁ, ଘୃଣ୍ୟ ତାର ଜୀବନ । କଳୁଷିତ ତାର ଅଧର !! କଳଙ୍କିତ ତାର ରୂପ ଯୌବନ !! ପ୍ରତ୍ୟେକଟି କଥା ତା କାନରେ ପୁଣି ବାଜି ଉଠିଲା । କିନ୍ତୁ କାହିଁ ସେ ତ କେବେ କୀଟଦୃଷ୍ଟ ପରି ନିଜକୁ ମନେ କରି ନାହିଁ । ଈଶ୍ୱରଙ୍କର ଶ୍ରେଷ୍ଠ ସୃଷ୍ଟି କଣ ଏଡ଼େ ସହଜରେ କଳଙ୍କିତ ହୋଇପାରେ-? ଆଗରୁ ତ କେହି ତା ବ୍ୟକ୍ତିତ୍ୱକୁ ସ୍ପର୍ଶ କରି ନାହାନ୍ତି । ତାର ସ୍ୱାତନ୍ତ୍ର୍ୟରେ ହସ୍ତକ୍ଷେପ କରି ନାହାନ୍ତି-। କିନ୍ତୁ ବର୍ତ୍ତମାନ ସେ ନିଜକୁ ମନେ କରୁଚି ସର୍ବହରା । ବୃନ୍ତଚ୍ୟୂତ ପୁଷ୍ପଟି । ମଧୁତକ ବି ଅପସୃତ ହୋଇ ସାରିଛି । ମଉଳି ଯିବା ବେଳ ତାର ଆସି ଗଲାଣି । ଫୁଲଟିର ଦୋଷ–କେତେ କୀଟ ପତଙ୍ଗ ତାକୁ ସ୍ପର୍ଶ କରିଥିବେ । କେତେ ପ୍ରଜାପତି, ଭ୍ରମର ତା ଉପରେ ଉଡ଼ୁଥିବେ । ଏଣୁ ଶାସ୍ତି–ପରିତ୍ୟାଗ-। ଯେଉଁ ଦେଶର ଆଦର୍ଶ ଦେଉଚି ସତୀ ସୀତାକୁ ବିନା ଦୋଷରେ, କେବଳ ସନ୍ଦେହରେ ପରିତ୍ୟାଗ କରିବା, ସେଠାରେ ପୁଷ୍ପା ପରି ସାମାନ୍ୟ ନର୍ତ୍ତକୀ ଅଧିକ ନ୍ୟାୟ କଣ ଅପେକ୍ଷା କରିପାରେ ?

 

ହିମାଂଶୁଙ୍କ ମନରେ ସନ୍ଦେହ ଧୂଆଁ କୁହୁଳିଲାଣି । କି ଆକାର ଶେଷରେ ତାହା ଧାରଣ କରିବ ପୁଷ୍ପା ବେଶ୍ କଳ୍ପନା କରି ପାରୁଚି ।

 

ପରଦିନ ସକାଳୁ ହିମାଂଶୁ ନିଜ ଅସଂଯତ କଥା ପାଇଁ ଅନୁତପ୍ତ ହୋଇ ଆସିଲେ ପୁଷ୍ପାକୁ କ୍ଷମାପ୍ରାର୍ଥନା କରିବାକୁ । ପୁଷ୍ପା ହସି ହସି କ୍ଷମା ଦେଇଥିଲା । ହିମାଂଶୁ ଆଶ୍ୱସ୍ତ ମନରେ ଫେରିଗଲାବେଳେ ଅପଲକ ନେତ୍ରରେ ସେ ଅଦୃଶ୍ୟ ହେବାଯାଏ ଚାହିଁ ରହିଥିଲା । ଛଳ ଛଳ ଆଖିରୁ ତାର ଅଶ୍ରୁଧାର ବହି ଯାଇଥିଲା । ସେତିକି । ସେଇଠି ତା ଜୀବନ ଗ୍ରନ୍ଥର ଏକ ପର୍ବ ଶେଷ-

 

ହୁଏତ ହିମାଂଶୁ ବହୁ ଦିନ ଧରି ତାର ଅନୁସନ୍ଧାନ କରି ନିରାଶ ହୋଇଛନ୍ତି । ବନ୍ଧୁ ମହଲରେ ତାର ନିରୁଦ୍ଦେଶ୍ୟତା ବିଷୟରେ ନାନା ଆଲୋଚନା ହୋଇଛି । କିନ୍ତୁ କିଏ ଜାଣେ ସେ କୁଆଡ଼େ ଗଲା ?

Image

 

ଭ୍ରାନ୍ତି

 

ନିଦ୍ରିତ ନିଶୀଥର ଏକ ନୀରବ ମୁହୂର୍ତ୍ତ । ନୀରବତା ଭଙ୍ଗ କଲା ହତାଶାର ଗୋଟିଏ ରୁଦ୍ଧ ଶ୍ୱାସ । ନିମୀଳିତ ଚକ୍ଷୁ ଦୁଇଟିରୁ ତପ୍ତ ଲୋତକ ଧାରା ବହି ଆସି ଗଣ୍ଡ ସିକ୍ତ କଲା । ଅନ୍ଧକାର ରାତ୍ରି ଭିତରେ ବାହାର ସବୁ ଅନ୍ଧାର । ଶିଳ୍ପୀ ଶିଥିଳ ଶରୀରକୁ ଶଯ୍ୟା ଉପରୁ ଧୀରେ ଉଠାଇଲେ । ତାଙ୍କର କମ୍ପିତ କର କାହାର ସନ୍ଧାନରେ ସଂପ୍ରସାରିତ ହେଲା । କିନ୍ତୁ ନିବିଡ଼ ଅନ୍ଧକାର ମଧ୍ୟରେ ସେ କିଛି ଦେଖି ପାରିଲେ ନାହିଁ । ନିରାଶାରେ ସେ ପୁଣି ଶଯ୍ୟା ଉପରେ ଲୋଟି ପଡ଼ିଲେ ।

 

ବିଗତ ଜୀବନର ଅପୂର୍ଣ୍ଣ କାହାଣୀ ତାଙ୍କର ଚକ୍ଷୁ ସମ୍ମୁଖରେ ଚଳଚ୍ଚିତ୍ର ପରି ଦେଖାଦେଲା-। ଅପୂର୍ଣ୍ଣ ? ଶିଳ୍ପୀ ସେ । ସୁଖ୍ୟାତି ଅର୍ଜନ କରିଚନ୍ତି ଯଥେଷ୍ଟ । ଆର୍ଥିକ ଅନାଟନର ସମ୍ମୁଖୀନ ହେବାକୁ ପଡ଼ିନାହିଁ କେବେ । ଏ ଦେଶରେ ଏହା ସମ୍ଭବ ହୋଇ ପାରିଚି, କାରଣ ସେ ଶିଳ୍ପକୁ ଜୀବିକାର୍ଜନର ପନ୍ଥାରୂପେ ଅନୁସରଣ କରିନାହାନ୍ତି । ତାଙ୍କର ସୃଜନ ଶକ୍ତିକୁ ବାଧା ଦେବା ପାଇଁ ଉଦର ପୋଷଣର ଚିନ୍ତା ସାହସ କରିନାହିଁ । ସେ ଧନୀକ ପରିବାରର ସନ୍ତାନ ଥିଲେ । ଶିଳ୍ପ ସାଧନା ଅବସର ବିନୋଦନର ଏକ ସୁନ୍ଦର ଉପାୟ ବୋଲି ସେ ଧରି ନେଇଥିଲେ । ଜୀବନର ମଧୁମାସରେ ସେ ବହୁ ପୁଷ୍ପର ସୁଗନ୍ଧ ଆଘ୍ରାଣ କରିଛନ୍ତି–ଆଜିଯାଏ ସ୍ମୃତି ଶିହରଣ ଆଣି ଦିଏ । କୁସୁମ ଚାହେଁ ତାର ସୌରଭ ବିକିରଣ କରିବା ପାଇଁ, ଚାହେଁ ତାର ଶୋଭାର ପ୍ରତିଚ୍ଛବି ଅବଲୋକନ କରି ମୁଗ୍ଧ ହେବାକୁ । ଶିଳ୍ପୀର ତୂଳୀରେ ରୂପାୟିତ ହୁଏ ଏହି ଜୀବନ୍ତ ପୁଷ୍ପର ଚିତ୍ର । ଆଉ ଯୁବକ ଶିଳ୍ପୀ ପାଖରେ ଧରା ଦିଅନ୍ତି ଇମିତି କେତେ ସୁମନ । କ୍ଷଣିକ ପୂର୍ଣ୍ଣତା ଆଣିଦିଏ ଏହି ଶିଳ୍ପୀ ଜୀବନରେ । ବହୁକ୍ଷଣର ସମନ୍ୱୟରେ ତ ଅନନ୍ତ କାଳର ପ୍ରବାହ । ଏଣୁ ପ୍ରତିକ୍ଷଣକୁ ଉପଭୋଗ କରି ପାରିଲେ ପୌରୁଷର ସାର୍ଥକତା ଲାଭ ହେବ । ଏହା ଥିଲା ଶିଳ୍ପୀଙ୍କର ଜୀବନଦର୍ଶନ । ସେ ନିରଙ୍କୁଶ ଜୀବନଯାପନ କରିବାର ପକ୍ଷପାତୀ ଥିଲେ । ବିବାହର କ୍ଷୁଦ୍ର ଗଣ୍ଡି ଭିତରେ ଆବଦ୍ଧ ହୋଇ ରହିବାକୁ ସେ କେବେ ପସନ୍ଦ କରି ନାହାନ୍ତି । ଏଣୁ ମୁକ୍ତ ଆକାଶରେ ଉଡ଼ି ବୁଲି ତାଙ୍କର ଦିନ କଟି ଯାଇଚି । ନୀଡ଼ ରଚନା କରିବା ପ୍ରୟୋଜନ ହୋଇନାହିଁ ।

 

ଗଭୀର ତିମିର ଭିତରେ ଶିଳ୍ପୀ କଡ଼ ଲେଉଟାଇଲେ । ଏତେଦିନ ଯାଏ ସେ ଜୀବନକୁ ଅପୂର୍ଣ୍ଣ ମନେ କରି ନ ଥିଲେ । ବରଂ ନିଜର ଐଶ୍ୱର୍ଯ୍ୟରେ ତୃପ୍ତ ହୋଇଥିଲେ–ନିଜକୁ ବିଭବମୟ ମନେ କରିଆସିଥିଲେ । କିନ୍ତୁ ଏ କ’ଣ ହେଲା ? ଏ କି ପରିବର୍ତ୍ତନ ! ସେ ନିଜକୁ ଏଡ଼େ ନିଃଶ୍ୱ, ଏଡ଼େ ଦୀନହୀନ, ଏଡ଼େ ଅସହାୟ ମନେ କରୁଚନ୍ତି କାହିଁକି ? ସେ ଦୁର୍ବଳ ହୋଇ ପଡ଼ିଚନ୍ତି, ସନ୍ଦେହ ନାହିଁ । ସାମାନ୍ୟ ରୋଗାକ୍ରାନ୍ତ ବି ହୋଇଚନ୍ତି । କିନ୍ତୁ ରୋଗଶଯ୍ୟାରେ ତ ସେ ଏଥିପୂର୍ବରୁ ବହୁବାର ପଡ଼ିଚନ୍ତି । ଏପରି ସେ ନିରୁତ୍ସାହ କେବେ ହୋଇ ନାହାନ୍ତି । ଆତ୍ମପ୍ରତ୍ୟୟ ତାଙ୍କର ଅତୁଟ ଥିଲା । ଭବିଷ୍ୟତ ପ୍ରତି ଆଶା ଅକ୍ଷୂଣ୍ଣ ଥିଲା । କିନ୍ତୁ ସେ ଦିନ ଆଉ ନାହିଁ । ସେ ଆଜି ସଂପୂର୍ଣ୍ଣ ଭାଙ୍ଗି ପଡ଼ିଚନ୍ତି । ଛୋଟ ଅବୋଧ୍ୟ ଶିଶୁଟି ପରି ସେ ମୁହଁ ଘୋଡ଼ାଇ କାନ୍ଦିବାକୁ ଲାଗିଲେ ।

 

ଯୌବନର ମାଦକତା ଅପସରି ଗଲା ପରେ ତାଙ୍କ ଜୀବନର ଏକମାତ୍ର ଅବଲମ୍ବନ ଥିଲା ଶିଳ୍ପକଳା । ପ୍ରକୃତ ନାୟିକାର ସ୍ଥାନ ନେଇଥିଲେ କଳ୍ପନାସମ୍ଭୂତା ଅସଂଖ୍ୟ ନାୟିକା । ତୂଳୀ ରଙ୍ଗରେ ରୂପାୟିତ ଏହି ନାରୀମାନେ ତାଙ୍କର ସପୂର୍ଣ୍ଣ ବଶବର୍ତ୍ତୀ ଥିଲେ । କେବେ ଅମାନିଆ ହୋଇନାହାନ୍ତି । ଯେଉଁ ଦେଶରେ ଯେଉଁ ରୂପରେ ଯେତେବେଳେ ଦେଖିବାକୁ ଚାହିଁଚନ୍ତି ସେମାନେ ତାଙ୍କର ସେଇ ଅଭିଳାଷ ପୂରଣ କରିଚନ୍ତି । ନିଜେ ବିଷର୍ଣ୍ଣ ହୋଇଥିଲେ ଅଶ୍ରୁ ପ୍ରବାହରେ ସମବେଦନା ଜଣାଇଚନ୍ତି ଏଇ ମୂର୍ତ୍ତିମତୀମାନେ । ହୃଦୟରେ ଆନନ୍ଦର ମହୋତ୍ସବ ସୃଷ୍ଟି ହେଲେ ସେମାନଙ୍କ ମୁଖରେ ହାସ୍ୟର ତରଙ୍ଗ ଖେଳିଯାଏ ।

 

କିନ୍ତୁ ଏ ପୁଣି କ’ଣ ହେଲା ? ଏ କି ବିପର୍ଯ୍ୟୟ ଘଟିଲା ତାଙ୍କ ଜୀବନରେ ? ଏହି ପ୍ରେମଶୀଳା ଏକାନ୍ତ ଅନୁଗତା ସହଚରୀମାନେ ଏ କି ବିଶ୍ୱାସଘାତକତା କଲେ ? କାହିଁକି ସେମାନେ ଏତେ ନିର୍ମମ ଭାବରେ ତାଙ୍କ ସହିତ ବ୍ୟବହାର କରୁଚନ୍ତି ? ଏହି କେତେଦିନ ତଳେ ସେ ଏକ ସ୍ନାନରତା ତରୁଣୀର ତ୍ରସ୍ତ ଚାହାଣୀକୁ ରୂପ ଦେବାକୁ ଯାଇ ଦେଖିଲେ, ଏକ ବିକୃତ ମୁଖଭଙ୍ଗୀ । ଲଜ୍ଜାବନତ ନୟନ ପରିବର୍ତ୍ତେ ଚକ୍ଷୁଯୁଗଳରୁ ସ୍ଫୁଲିଙ୍ଗ ଜଳି ଉଠୁଚି । ସତେ ଯେପରି କ୍ରୋଧ ଓ ଘୃଣାରେ ନାସିକା କୁଞ୍ଚିତ ହୋଇଚି । ବିଦ୍ରୂପର ଇଙ୍ଗିତ ଅଧର କୋଣରେ । କାହିଁକି, କାହିଁକି ଏ ତ୍ରୁଟି ହେଉଚି ? ଶତ ଚେଷ୍ଟାରେ ବି ସେ ଏ ଭ୍ରମ ସଂଶୋଧନ କରି ପାରିଲେ ନାହିଁ । ଦ୍ୱିତୀୟ ଚିତ୍ରଟିକୁ ଆହୁରି ସାବଧାନ ସହକାରେ କରିବାକୁ ମନସ୍ଥ କଲେ । ମାନସୀର ସ୍ମିତହାସକୁ ଫୁଟାଇବାକୁ ତୂଳୀର କୋମଳ ସ୍ପର୍ଶ ଦେଲେ–ସୂକ୍ଷ୍ମ ରେଖାଙ୍କନ କରିବାକୁ ଚେଷ୍ଟା କଲେ; କିନ୍ତୁ ତାହା ଏକ ଭୈରବୀ ରୂପ ଧାରଣ କଲା । ଭୀମକାନ୍ତାର ଭୀଷଣ ମୁଖ ବ୍ୟାଦାନ, ସ୍ମିତହାସ୍ୟ ନୁହେଁ । ଶିଳ୍ପ ସ୍ତମ୍ଭିତ ହୋଇଗଲେ । ବ୍ୟାକୁଳ ଭାବେ ନିଜକୁ ପରୀକ୍ଷା କରି ଦେଖିଲେ । ସେ ଲକ୍ଷ୍ୟ କଲେ, ହୃତ୍‍କମ୍ପନର ପ୍ରାଚୁର୍ଯ୍ୟ ହେତୁ ବୋଧହୁଏ ତାଙ୍କର ସମସ୍ତ ଶରୀରରେ ଏକ ବେପଥୁ ସୃଷ୍ଟି ହୋଇଛି । କର କମ୍ପିତ; ସେ ସ୍ଥିର ଭାବେ ତୂଳୀକୁ ଧରି ପାରୁ ନାହାନ୍ତି । କେତେ ଦିନର ବ୍ୟର୍ଥ ପ୍ରୟାସ ପରେ ସେ ହତାଶ ହୃଦୟରେ ଶଯ୍ୟାର ଆଶ୍ରୟ ନେଲେ ।

 

ହିତାକାଂକ୍ଷୀ ବନ୍ଧୁମାନେ ତାଙ୍କର ଏ ଅସୁସ୍ଥତାର ବାର୍ତ୍ତା ପାଇ ଦୁଃଖିତ ହେଲେ । ଚିକିତ୍ସାର ବ୍ୟବସ୍ଥା କରାଗଲା । ଚିକିତ୍ସକ ମତ ଦେଲେ, ସ୍ନାୟବିକ ଦୁର୍ବଳତା । ପୁଷ୍ଟିକର ଖାଦ୍ୟ ଓ ବିଶ୍ରାମ ଅଳ୍ପ ଦିନରେ ପୂର୍ବ ସ୍ୱାସ୍ଥ୍ୟ ଫେରାଇ ଆଣିବ । କିନ୍ତୁ ମନକୁ ପ୍ରଫୁଲ୍ଲ ରଖିବାକୁ ହେବ । ରୋଗୀର ଆରାମ ପାଇଁ ସବୁ ପ୍ରକାର ଆୟୋଜନ କରାଗଲା । ଶାନ୍ତ ପରିବେଶ ପାଇଁ ଦ୍ୱିତଳ ହର୍ମ୍ୟର ଉପର କକ୍ଷଟି ଶିଳ୍ପୀଙ୍କର ବିଶ୍ରାମ ପାଇଁ ସଜ୍ଜିତ ହେଲା । ସୁରୁଚିସମ୍ପନ୍ନ ସାଜସଜ୍ଜା । ଶିଳ୍ପୀଙ୍କର ଶ୍ରେଷ୍ଠ ରଚନା କେତୋଟି କାନ୍ଥରେ ଝୁଲୁଛି । ଅତୀତର ସଫଳତାକୁ ସ୍ମରଣ କରାଇ ଦେଉଛି । କୋମଳ ତଳ୍ପରେ ବିଶ୍ରାମ ନେଲେ ଶିଳ୍ପୀ । କିନ୍ତୁ ଶାନ୍ତି ପାଇଲେ ନାହିଁ । ରିକ୍ତତା, ମହାଶୂନ୍ୟତା ତାଙ୍କୁ ଆବୋରି ରଖିଲା । ନିଃଶବ୍ଦ ରଜନୀରେ ସେ ତୂଳୀକୁ ଖୋଜିବାକୁ ହାତ ବଢ଼ାଉଥିଲେ । କିନ୍ତୁ ବିଫଳତାର ପ୍ରେତାତ୍ମା ତାଙ୍କୁ ଭୟ ଦେଖାଉଥିଲା । ସେ ହଜିଯାଇଥିବା ଅମୂଲ୍ୟ ଶକ୍ତିର ବିରହରେ ମ୍ରିୟମାଣ ହୋଇ ଯାଇଥିଲେ ।

 

କ୍ରମେ ଅନ୍ଧକାର ରଜନୀ କଟିଗଲା । ଉଷାର ପ୍ରଥମ କିରଣ ତାଙ୍କ ହୃଦୟରେ ଅପୂର୍ବ ଉନ୍ମାଦନା ଆଣିଦେଲା । କ୍ରମଶଃ ସେ ସୁସ୍ଥ ହୋଇ ଆସୁଛନ୍ତି । ଶାରୀରିକ ଶକ୍ତି ପାଇଁ ସେ ଯେଉଁ ପଥ୍ୟ ଓ ଔଷଧ ବ୍ୟବହାର କରୁଛନ୍ତି ତାହା ଫଳପ୍ରଦ ହୋଇଛି । କିନ୍ତୁ ତାଙ୍କର ସୃଜନ ଶକ୍ତିକୁ ଫେରାଇ ଆଣିବାକୁ ଏହା ଯଥେଷ୍ଟ ନୁହେଁ । ସେ ଶକ୍ତିକୁ ସଂଗ୍ରହ କରିବାକୁ ହେଲେ ତାଙ୍କର ଆବଶ୍ୟକ ନୂଆ ପ୍ରେରଣା–ଏକ ନୂତନ ବୈଦ୍ୟୁତିକ ଶକ୍ତି । ପ୍ରେମର ସ୍ପର୍ଶ ଅନୁଭୂତ ନ ହେଲେ ସୃଷ୍ଟି ଯେ ଅସମ୍ଭବ ! ଶିଳ୍ପୀ ଗବାକ୍ଷ ବାଟେ ତଳ ରାସ୍ତାର ସଦ୍ୟ ଜାଗ୍ରତ ଜନତାକୁ ଲକ୍ଷ୍ୟ କରୁଥିଲେ । କବାଟ ପାଖେ ଠକ୍ ଠକ୍ ଅବାଜ ପାଇ ବୁଲି ଚାହିଁଲେ । ନିଜ ଆଖିକୁ ବିଶ୍ୱାସ କରି ପାରିଲେ ନାହିଁ-। ସେ କଣ ସ୍ୱପ୍ନ ଦେଖୁଚନ୍ତି ? ନିଜ ଆଖି ମଳି ପୁଣି ଚାହିଁଲେ । ସତ ତ ! ସୁନ୍ଦରୀ ଯୁବତୀ ଜଣେ ଅଳ୍ପ ହସି ଭିତରକୁ ଆସୁଚି । ହାତରେ ତାର ଦରସ୍ଫୁଟ ଗୋଲାପଗୁଚ୍ଛି । ବିଗତ ଦିନର ମଉଳା ଫୁଲକୁ ଫୁଲଦାନୀରୁ ବାହାର କରି ଗୋଲାପ କଳିକା ଖଞ୍ଜିଦେଲା ସୁନ୍ଦରୀ । ଶିଳ୍ପୀଙ୍କ ପାଖକୁ ଆସି ପାନପାତ୍ରଟି ହାତକୁ ବଢ଼ାଇ ଦେଲା । ଲୋହିତାସବକୁ ଓଷ୍ଠରେ ଦେଇ ଶିଳ୍ପୀ ମୁଗ୍ଧ ନେତ୍ରରେ ଚାହିଁ ରହିଲେ ଯୁବତୀର କମନୀୟ ଅଙ୍ଗ ଯଷ୍ଟିକୁ । ଯୁବତୀଟି ତାଙ୍କୁ ବିଶ୍ରାମ କରିବାକୁ ଅନୁରୋଧ କରି ଚାଲିଗଲା । କିନ୍ତୁ ପ୍ରତିଶ୍ରୁତି ଦେଲା, ପୁଣି ଅଳ୍ପକ୍ଷଣ ପରେ ଫେରି ଆସିବ ।

 

ଶିଳ୍ପୀ ଉଠି ଛିଡ଼ା ହେଲେ । ଅଙ୍ଗ ପ୍ରତ୍ୟଙ୍ଗରେ ଅନୁଭବ କଲେ ତଡ଼ିତ୍‍ର ଖେଳା । ତାଙ୍କର ମନେହେଲା, ଯେପରି ଏ ଉଚ୍ଚ ସୋପାନ ପ୍ରାନ୍ତରେ ସେ ଆଉ ବସି ରହି ପାରିବେ ନାହିଁ–ନିମ୍ନତମ ସୋପାନକୁ ଲମ୍ଫ ଦେବେ ନିଶ୍ଚୟ ! ମନରେ ଘନ ଘନ ପ୍ରଶ୍ନ ଜାଗିଲା–କିଏ ଏ ସୁନ୍ଦରୀ ? କାହିଁକି ବଳେ ବଳେ ତାଙ୍କ ପାଖକୁ ଆସିଚି । କି ଅଭିପ୍ରାୟରେ ? କଲ୍ୟାଣମୟୀର ଆବିର୍ଭାବ ଦୈବ ଅଭିପ୍ରେତ ନିଶ୍ଚୟ ! ସୁସୁପ୍ତ ଶକ୍ତିର ପୁନର୍ଜାଗରଣ ପାଇଁ କଣ ବିଶ୍ୱସ୍ରଷ୍ଟା ଏ ଦେବୀ ମୂର୍ତ୍ତିକୁ ପଠାଇଚନ୍ତି !

 

ଶିଳ୍ପୀ ଚତୁର୍ଦ୍ଦିଗକୁ ଚାହିଁ ଦେଖିଲେ । ଆକାଶର ନୀଳିମା ଗାଢ଼ତର ହୋଇଚି । ପ୍ରଭାତର ଆଲୋକ ଅଧିକ ଉଜ୍ଜ୍ୱଳ ଓ ସ୍ନିଗ୍ଧ ଦେଖାଯାଉଚି । ବିହଙ୍ଗର କୁଜନରେ ଅପୂର୍ବ ସଙ୍ଗୀତର ମୂର୍ଚ୍ଛନା । ରାସ୍ତାରେ ଦୌଡ଼ି ଯାଉଥିବା ବୁଲା କୁକୁରଟି ବି ବେଶ୍ ସୁନ୍ଦର ଦେଖାଯାଉଚି । ସମସ୍ତେ ତ ହସୁଚନ୍ତି–ସେ ନିଜେ ବି ହସୁଚନ୍ତି । ସଂପୂର୍ଣ୍ଣ ରୋଗମୁକ୍ତ ହୋଇ ଯାଇଚନ୍ତି–ଶରୀରରେ ପୂର୍ବ ତେଜ ଫେରି ଆସିଚି । ଶିଳ୍ପୀ ଗୋଟି ଗୋଟି କରି ପ୍ରତ୍ୟେକଟି ଚିତ୍ରକୁ ନିରୀକ୍ଷଣ କରି ଦେଖିଲେ । ନିଖୁଣ ସେ ଚିତ୍ରଣ । ସମସ୍ତେ ଯେପରି ଜୀବନ୍ତ ହୋଇ ଉଠିଲେ–ହସି ହସି ତାଙ୍କୁ ଅଭିବାଦନ ଜଣାଇଲେ ।

 

ସୁନ୍ଦରୀ ଫେରି ଆସିଲା । ହାତରେ ତାର ଦ୍ରାକ୍ଷାଗୁଚ୍ଛ ଆଉ ଗୋଟିଏ ସୁନ୍ଦର ନୂଆ କବିତା ବହି । ପଚାରିଲା–‘‘ଭଲ ଲାଗୁନି ? ପଢ଼ିବେ ଏ ବହି ଖଣ୍ଡି ?’’

 

ଶିଳ୍ପୀ ଦେଖିଲେ ଓ ମାର୍ ଖାୟାମ୍‍ଙ୍କର ସ୍ୱପ୍ନ ତାଙ୍କ ଜୀବନରେ ସଫଳ ହୋଇ ଯାଉଚି । କବିତା ପଢ଼ିବେ । ତନ୍ୱୀର ସାନ୍ନିଧ୍ୟ ଲାଭ କରିବେ ଓ ଦ୍ରାକ୍ଷାସବ ଆକଣ୍ଠ ପାନ କରିବେ ବସି ବସି । ଶିଳ୍ପୀ ଯୁବତୀ ହାତରୁ ବହିଟି ନେଲେ–ସ୍ନେହଭରା କଣ୍ଠରେ ପଚାରିଲେ–‘‘ତୁମ ନାମ କଣ ?’’ ଯୁବତୀ ସହଜ ଭାବେ ଉତ୍ତର ଦେଲା–‘ଲତା’ । ଶିଳ୍ପୀ ନିବଦ୍ଧ ଚକ୍ଷୁରେ ଚାହିଁ ପୁଣି ପଚାରିଲେ–‘‘କିଏ ତୁମକୁ ଏଠିକି ପଠାଇଲା ?’’

 

ଯୁବତୀ ଶଯ୍ୟାର ଚାଦରଟା ସଜାଡ଼ୁ ସଜାଡ଼ୁ କହିଲା–‘‘ବିନୟ ବାବୁ ।’’

 

ବିନୟ ଶିଳ୍ପୀଙ୍କର ପରମ ବନ୍ଧୁ । ସେ ଶିଳ୍ପୀଙ୍କର ଏ ଦୁଃସମ୍ବାଦ ଶୁଣି ମର୍ମାହତ ହୋଇଥିଲେ । ସେ ହୃଦୟର ଅଭାବ ବୁଝନ୍ତି । ଶିଳ୍ପୀ ଖୁସି ହେଲେ ବନ୍ଧୁର ଏ ସହଯୋଗ ଯୋଗୁ । ଲତା ପଲଙ୍କ ସଜାଡ଼ି ସାରି, ଦ୍ରାକ୍ଷା ଥାଳିଟି ଶିଳ୍ପୀଙ୍କ ପାଖରେ ଥୋଇ ପଚାରିଲା–‘‘ଆପଣ କଣ ଏ ସବୁ ଚିତ୍ର ଆଙ୍କିଛନ୍ତି ? କି ଚମତ୍କାର ସତେ !’’ ଶିଳ୍ପୀ ଆନନ୍ଦରେ ସ୍ୱୀକୃତି ଜଣାଇଲେ, ଆଉ ସୁନ୍ଦରୀର ଅପୂର୍ବ ଭଙ୍ଗୀରେ ପ୍ରତିକୃତିଟିଏ ଆଙ୍କିବାର ଇଚ୍ଛା ପ୍ରକାଶ କଲେ । ଲତା ଟିକିଏ ବିବ୍ରତ ହେଲାପରି ଉତ୍ତର ଦେଲା–‘‘ମୋର ସମୟ ହେବନାହିଁ ଘଣ୍ଟା ଘଣ୍ଟା ଧରି ଏକ ସ୍ଥାନରେ ବସି ରହିବାକୁ । ମୋର ଯେ ବହୁତ କାମ ।’’

 

ଶିଳ୍ପୀ ସାମାନ୍ୟ ଆଘାତ ପାଇଲେ । ପଚାରିଲେ–‘‘ତୁମେ ତେବେ ଏଠାକୁ ଆସିଚ କାହିଁକି ?’’

 

ଲତା–‘‘ସେବା କରିବାକୁ ।’’

 

ଶିଳ୍ପୀ–‘‘ଏ କ’ଣ ଗୋଟାଏ ସେବା ନୁହେଁ ? ତୁମର ଚିତ୍ର ଆଙ୍କିଲେ ଯେ ମୋର ମହା କଲ୍ୟାଣ ହେବ–ବୁଝିପାରୁନ ?’’

 

ଲତା ଇତସ୍ତତଃ ଭାବ ଦେଖାଇ କହିଲା–‘‘ଆଚ୍ଛା, ସେ କଥା ପରେ ଦେଖାଯିବ । ଆପଣାର ବିଶ୍ରାମ ଆହୁରି ଆବଶ୍ୟକ ।’’ ଶିଳ୍ପୀ ଜାଣନ୍ତି ତାଙ୍କର ବିଶ୍ରାମ ଯଥେଷ୍ଟ ହୋଇ ସାରିଛି–ସେ ଚାହାନ୍ତି ଶକ୍ତି ଆହରଣ କରିବାକୁ । ଅମୀୟ ସୁଧାରେ ସେ ମୃତ୍ୟୁଦାୟୀ ହେବ । ତାଙ୍କର ଅନ୍ତର ନୀରସ ଶୁଷ୍କ ମନରେ ପରିଣତ ହୋଇ ଯାଉଚି–ସୁଶୀତଳ ଜଳକଣାର ସିଞ୍ଚନ ପାଇଁ ତାଙ୍କ ପ୍ରାଣ ହାହାକାର କରୁଚି । ସେ ଆଉ ଆତ୍ମସମ୍ବରଣ କରି ପାରିଲେ ନାହିଁ । ରହସ୍ୟମୟୀ ଲତାର ଖୁବ୍ ନିକଟକୁ ଘୁଞ୍ଚି ଆସିଲେ । ଲତା ଭୀରୁ ହରିଣୀ ପରି ଚଞ୍ଚଳ ହୋଇ ଉଠିଲା । ଶିଳ୍ପୀ ଗମ୍ଭୀର ଭାବେ କହିଲେ, ‘‘ଲତା–ଲତା–ଆଉ ଖେଳ ନାହିଁ ମୋ’ ସାଙ୍ଗରେ–ମୁଁ ଯେ ଅଧୀର ହୋଇ ପଡ଼ୁଚି ଲତା !’’

 

ଲତା ଦି ପହୁଣ୍ଡ ପଛେଇଗଲା । ସୁଖ ତାର ବିବର୍ଣ୍ଣ । ସେ ଦୌଡ଼ି ଚାଲିଯିବା ପୂର୍ବରୁ ଶିଳ୍ପୀ ତା’ ହାତକୁ ମୁଠାଇ ଧରିଲେ । ଆଲିଙ୍ଗନର ଲଙ୍ଗିତ ଦେଖିବା ମାତ୍ରେ ଲତା ଚିତ୍କାର କରି ଉଠିଲା । ଅତି ମର୍ମନ୍ତୁଦ ଆର୍ତ୍ତନାଦ । ଆଖିରୁ ତାର ଝର ଝର ଅଶ୍ରୁ ପ୍ରବାଦ । ଭୟରେ ସର୍ବାଙ୍ଗ ଥରି ଉଠୁଛି । ଶିଳ୍ପୀ ତାକୁ ଛାଡ଼ିଦେଇ ଥକ୍କା ମାରି ଛିଡ଼ା ହେଲେ । ଲତା ତେବେ ତାଙ୍କୁ ଭୟ କରୁଚି ? ଭୟ ନା ଘୃଣା ? କାରଣ କ’ଣ ? ସେ ଏପରି ଚିତ୍କାର କରି ତାଙ୍କୁ ହାସ୍ୟାସ୍ପଦ କରି ପକାଇଲା କାହିଁକି ? କ୍ଷୋଭରେ ତାଙ୍କର ମୁଖ କଠୋର ହୋଇଗଲା । ଲଜ୍ଜା ଓ ଗ୍ଲାନି କଣ୍ଠ ରୁଦ୍ଧ କଲା । ସେ ଦାନ୍ତ କାମୁଡ଼ି ଚୌକିଟା ଉପରେ ବସି ପଡ଼ିଲେ ।

 

ଲତାର ଚିତ୍କାରରେ ତଳ ଘରୁ ଆତ୍ମୀୟ ସ୍ୱଜନ କେତେ ଜଣ ଦୌଡ଼ି ଆସିଲେ । କଥା କ’ଣ ? ଲତା ଇମିତି ଚିତ୍କାର କଲା କାହିଁକି ? ଶିଳ୍ପୀ ପ୍ରତି ମୁହୂର୍ତ୍ତରେ ଆଶଙ୍କା କରୁଥିଲେ ତାଙ୍କ ନିଜ ବିରୁଦ୍ଧରେ ଲତାର ଅଭିଯୋଗ ଶୁଣିବାକୁ ପଡ଼ିବ ବୋଲି । ସେ ଜଣେ ନୃଶଂସ–ଅତ୍ୟାଚାରୀ ବୋଲି ପ୍ରମାଣ କରିବ ଏହି ବାଳିକା । ଲତା କାହାର ପ୍ରଶ୍ନର ଜବାବ ହଠାତ୍ ଦେଇ ପାରିଲା ନାହିଁ । ଟିକେ ସମୟ ରହି ସେ କହିଲା–‘‘ଗୋଟାଏ ବୁଢ଼ା ମାଙ୍କଡ଼ ମୋ ଆଡ଼କୁ ଦୌଡ଼ି ଆସୁଥିଲା–ଭୟରେ ମୁଁ ପାଟି କଲି ।’’ ବୁଢ଼ା ମାଙ୍କଡ଼ଟିକୁ ଖୋଜିବାକୁ ସମସ୍ତେ ଏଣେ ତେଣେ ଧାଇଁଲେ । ଶିଳ୍ପୀ ଲତାର ଅପ୍ରତ୍ୟାଶତ ଉତ୍ତରରେ ଆଶ୍ଚର୍ଯ୍ୟ ହେଲେ । ତାଙ୍କୁ ରକ୍ଷା କରିବାକୁ ଯୁବତୀର ଏ ଉପସ୍ଥିତ ବୁଦ୍ଧିକୁ ମନେ ମନେ ପ୍ରଶଂସା ନ କରି ରହି ପାରିଲେ ନାହିଁ । କିନ୍ତୁ ପର ମୁହୂର୍ତ୍ତରେ ତାଙ୍କର ମନେ ହେଲା–ଗୋଡ଼ତଳୁ ଭୂମି ରସା ତଳଗାମୀ ହେଉଛି । ସେ ଗଭୀର ପାତାଳପୁରୀର ନିବିଡ଼ ଅନ୍ଧକାର ଭିତରେ ବୁଡ଼ି ଯାଉଛନ୍ତି । କାନ୍ଥରେ ଝୁଲୁଥିବା ଦର୍ପଣଟିରେ ତାଙ୍କର ଦୃଷ୍ଟି ପଡ଼ିଲା । ତାଙ୍କୁ ତେବେ ଲକ୍ଷ୍ୟ କରି ଲତା କହିଲା–ବୃଦ୍ଧି ବାନର ! ଲୋଳିତ ଚର୍ମ–ପଳିତ କେଶ ସ୍ଥବିର, ନିଜକୁ ଚିହ୍ନି ନ ଥିଲେ ଆଜିଯାଏ-। ଯୌବନର ସମସ୍ତ ଶିହରଣ, ସମସ୍ତ ଅନୁଭୂତି ଅଙ୍ଗେ ଅଙ୍ଗେ ଜଡ଼ିତ ରହି ସୁଦ୍ଧା ସେ ବୃଦ୍ଧ !

Image

 

ପୁରସ୍କାର

 

‘‘ଦଶମ ଶ୍ରେଣୀ–

 

ପ୍ରଥମ ପୁରସ୍କାର–କୁମାରୀ ସିପ୍ରା ମହାନ୍ତି ।

 

ରାଷ୍ଟ୍ରଭାଷା ସ୍ପେଶାଲ ପ୍ରାଇଜ୍–କୁମାରୀ ସିପ୍ରା ମହାନ୍ତି ।

 

ସିଲାଇ ପ୍ରାଇଜ୍–କୁମାରୀ ସିପ୍ରା ମହାନ୍ତି ।

 

ରନ୍ଧନ ପ୍ରାଇଜ୍–କୁମାରୀ ସିପ୍ରା ମହାନ୍ତି ।

 

ଉତ୍ତମ ସ୍ୱଭାବ ପ୍ରାଇଜ୍–କୁମାରୀ ସିପ୍ରା ମହାନ୍ତି ।

 

ସଙ୍ଗୀତ ପାଇଁ ଲକ୍ଷ୍ମୀକାନ୍ତ ମେଡ଼ାଲ–କୁମାରୀ ସିପ୍ରା ମହାନ୍ତି ।

 

ସ୍ପୋର୍ଟସ୍ ପାଇଁ ପ୍ରଥମ ପୁରସ୍କାର–କୁମାରୀ ସିପ୍ରା ମହାନ୍ତି ।

 

ପ୍ରଧାନ ଶିକ୍ଷୟିତ୍ରୀ ଦମ୍ ନେଲେ । ମନ୍ତ୍ରୀ ମହାଶୟଙ୍କ ମୁଖରେ ଏକ ଅପୂର୍ବ ଦୀପ୍ତି ଦେଖାଗଲା । ସେ ସିପ୍ରାର ଶେଷ ଅର୍ଥାତ୍ ସପ୍ତମ ନମସ୍କାରଟି ଗ୍ରହଣ କରି ସାରିବା ପରେ କହିଲେ–‘‘ତୁମେ ଯେ ସବୁତକ ପୁରସ୍କାରକୁ ଏମିତି ଏକଚାଟିଆ ଅଧିକାର କରି ବସିଲ । ଏତ ବଡ଼ ଅନ୍ୟାୟ କଥା ! ହଉ ମା, ଯାଅ । ଜୀବନରେ ବଡ଼ ହୁଅ । ଖୁବ୍ ଖୁସି ହେଲି ।’’

 

କରତାଳିରେ ସ୍କୁଲ ମଇଦାନଟା ଉଛୁଳି ପଡ଼ିଲା । ସିପ୍ରାର ଗଣ୍ଡ ଆରକ୍ତ ହେଲା । ଚକ୍ଷୁ ଆନତ । ସମସ୍ତଙ୍କ ଦୃଷ୍ଟି ତା ଉପରେ ନିବଦ୍ଧ ହୋଇ ରହିଚି ବୋଲି ସେ ଜାଣି ପାରୁଥାଏ । ତାର ପଦକ୍ଷେପ କମ୍ପିତ ହେଲା । ପ୍ଲାଟଫର୍ମ ଉପରୁ କ୍ଷିପ୍ର ଗତିରେ ଚାଲିଯିବା ମଧ୍ୟ ସମ୍ଭବ ହେଉନାହିଁ । ଛାତି ପାଖରେ ଆଉଜାଇ ଧରିଚି ଗୋଟାଏ ଛୋଟ ଚମଡ଼ା ସୁଟ୍‍କେଶ୍ । ତା ଉପରେ ଛଅ ଖଣ୍ଡି ପୁସ୍ତକ, ଦୁଇଟି ବଣ୍ଡିଲ୍ ଉଲ ସୂତା, ଚାରୋଟି ନିଟିଂ କଣ୍ଟା । ଡାହାଣ ହାତରେ ଧରିଚି ଗୋଟିଏ ଟିଫିନ୍ କାରିଏର ଓ ଗୋଟିଏ ବାଡମିଣ୍ଟନ ରାକେଟ୍ ।

 

ଚନ୍ଦ୍ରାତପର ଶେଷ ଭାଗରେ ଗୋଟିଏ ବେଞ୍ଚ ଉପରେ ବସି ସୁରେଶ ଓ ଧୀରେନ୍ କରତାଳି ଦେଉଥିଲେ । ସେ କରତାଳିରେ ଆଉ ବିରାମ ନାହିଁ । ସମ୍ମୁଖସ୍ଥ ଆସନରୁ ଦୁଇ ତିନି ଜଣ ଭଦ୍ରବ୍ୟକ୍ତି ବୁଲିପଡ଼ି ପଛକୁ ଚାହିଁବା ପର୍ଯ୍ୟନ୍ତ ସେମାନେ କରତାଳି ଦେବା କାର୍ଯ୍ୟରେ ଆତ୍ମବିସ୍ମୃତ ଥିଲେ । ଧୀରେନ୍ ଟିକେ ଅପ୍ରତିଭ ହୋଇ କହିଲା–‘‘ଥାଉ, ଥାଉ । ତୋ କରତାଳି ଶୁଣିବାକୁ ଆଉ କେହି ଚାହୁ ନାହାନ୍ତି ।’’

 

ସୁରେଶ କୌଣସି ଅବସ୍ଥାରେ କେବେ ଅପ୍ରସ୍ତୁତ ବା ଲଜ୍ଜିତ ହୁଏ ନାହିଁ । ସେ ତା’ର ଗଜରି ଆସୁଥିବା କଅଁଳ ନିଶରେ ହାତ ବୁଲାଇ ନେଇ କହିଲା–‘‘ଏମାନଙ୍କୁ ବ୍ୟାକରଣ ଆସୁନାହିଁ । ପୁନରାବୃତ୍ତି ଦୋଷ କେତେ କଲେ, କହିଲୁ । ସର୍ବନାମଟାଏ ବ୍ୟବହାର ନ କରି କୁମାରୀ ସିପ୍ରା ମହାନ୍ତି, କୁମାରୀ ସିପ୍ରା ମହାନ୍ତି ଏତେ ଥର କହିବା ବ୍ୟାକରଣଗତ ଅଶୁଦ୍ଧି–ନୁହେଁ ?’’

 

ଧୀରେନ୍ ଆଖି ଦେଖାଇ ଧମକ ଗଳାରେ କହିଲା–‘‘ଚୁପ୍ କର୍ । ତୋ ପାଣ୍ଡିତ୍ୟ ଶୁଣିବାକୁ କିଏ ଏଠିକି ଆସିନାହାନ୍ତି । ତୋ ସାଙ୍ଗରେ ଆସିବା ମୋର ଭୁଲ୍ ହୋଇଚି । ଜାଣୁ ତ ବିନା କାର୍ଡ଼ରେ ଏଠି ଆସି ବସିଚୁ । ଭାଗ୍ୟକୁ ଫାଟକ ପାଖରେ ଧରାପଡ଼ି ଗଳା ଧକ୍କା ଖାଇନୁ । ତା ବୋଲି ଏଠି ବସ ଇମିତି ବକ୍ ବକ୍ ହେଉଚୁ କାହିଁକି ଶୁଣେ ?’’

 

ସୁରେଶ ତା ହାଓ୍ୱାଇନ୍ କୋଟ୍ ପକେଟରୁ କାନ୍ତା ଅତର ମଖା ରୁମାଲଟିକୁ ବାହାର କରି ସଜୋରେ ଆଘ୍ରାଣ କଲା । ଗୋଲାପ ମୁହଁଟିକୁ ପୋଛିଦେଇ କହିଲା–‘‘ସେଇ ତ ବାହାଦୁରୀ । ଦେଖି–ବିନୋଦ, ସୁନୀଳ, ହରିଶ୍ ଆଉ ସେବି କଲେଜ ଟୋକାମାନଙ୍କୁ; ମାଙ୍କଡ଼ ପରି କିମିତି ପାଚେରି ଉପରେ ଚଢ଼ି ବସିଚନ୍ତି । ଭିତରେ ପଶି ତାକୁ ସାହସ ବି ହେଲା ନାହିଁ । ମୋ ବୁଦ୍ଧି ଯୋଗୁଁ ସିନା ତୁ ଇମିତି ନିଶ୍ଚିନ୍ତରେ ବେଞ୍ଚରେ ସାମିଆନା ତଳେ ବସିଚୁ ! ରାୟ ବାହାଦୂର ହୃଷିକେଶ ସାମନ୍ତରାୟଙ୍କୁ ପୁଅଟି ମୁଁ ! ସୂକ୍ଷ୍ମବୁଦ୍ଧିରେ ମତେ କିଏ ଟପିବ ? କେତେ ବଡ଼ ବଡ଼ ଲୋକଙ୍କୁ ଟୋପି ପକାଇ ଦେଇଚି । ଆଉ ଏ ଛାର ମାଇକିନିଆ ଇସ୍କୁଲ ହତାକୁ ବିନା ନିମନ୍ତ୍ରଣରେ ପଶି ଆସିଲି ଯେ ଭାରି ବଡ଼ କଥା ହେଇଗଲା !’’

 

ସୁରେଶର ଅନର୍ଗଳ ବକ୍ତୃତାରେ ସହସା ପୂର୍ଣ୍ଣଚ୍ଛେଦ ପଡ଼ିଗଲା । ସ୍ଥଳକାୟ, କୃଷ୍ଣକାୟ, ଖର୍ବକାୟ ଶ୍ରୀ ଭୋଳାନାଥ ରଥ ମହାଶୟ ଏହା ତରୁଣଦ୍ୱୟଙ୍କ ଅଭିମୁଖରେ ଯାତ୍ରା ଆରମ୍ଭ କରୁଛନ୍ତି ବୋଲି ଧୀରେନ୍ ସୁରେଶକୁ ଇଙ୍ଗିତ ଦେଲା । ସୁରେଶର ମୁଖ ବିବର୍ଣ୍ଣ ନ ହେଲେ ସୁଦ୍ଧା ତାର ରକ୍ତିମ ଆଭା ଗାଢ଼ତର ହୋଇ ଉଠିଲା । ସେ ଆସନ ତ୍ୟାଗ କରି ବିପରୀତ ଦିଗରେ ପଦଚାଳନା ଆରମ୍ଭ କଲା ।

 

ଶ୍ରୀ ସୁରେଶ ଚନ୍ଦ୍ର ସାମନ୍ତରାୟ ଆସନ ତ୍ୟାଗ କରିବା ଦ୍ୱାରା ଯେ ଭୀରୁତା ପ୍ରକାଶ କଲେ ଏହା ଭାବିବା ଉଚିତ ହେବ ନାହିଁ । କାରଣ ସେତେବେଳେ ସମସ୍ତେ ଆସନ ତ୍ୟାଗ କରୁଥିଲେ । ଉତ୍ସବ ସମାପ୍ତ ହୋଇଥିଲା । ସମବେତ ଜନତା ମଧ୍ୟରେ ଚାଞ୍ଚଲ୍ୟ ଦେଖା ଯାଉଥିଲା-। କୋଳାହଳ ଶୁଣା ଯାଉଥିଲା । ମାନ୍ୟବର ମନ୍ତ୍ରୀ ମହାଶୟ ଉଚ୍ଚ ପୀଠ ଉପରୁ ଅବତୀର୍ଣ୍ଣ ହୋଇ ସାରିଥିଲେ । ନମସ୍କାର, ପ୍ରତିନମସ୍କାର, କୁଶଳ ପ୍ରଶ୍ନ ଓ ଉତ୍ତରରେ ସେ ବ୍ୟତିବ୍ୟସ୍ତ ହୋଇ ପଡ଼ୁଥିଲେ ।

 

ସିପ୍ରା ତାର ପୁରସ୍କାର ଗୁଡ଼ିକୁ ବିନ୍ଦୁ ଜିମା ଦେଇ ଦେବାକୁ ସିଡ଼ି ଘରଭିତରକୁ ଗଲା । ପାହାଚର ଗୋଟିଏ ମୋଡ଼ ଉପରେ ବିନ୍ଦୁ, ସଂନ୍ଧ୍ୟା ଓ ସାବିତ୍ରୀ ବସି କଣ କଥାବାର୍ତ୍ତା ହେଉଚନ୍ତି । ସିପ୍ରା ପ୍ରଥମ ପାହାଚରେ ଗଢ଼ିବା ବେଳକୁ ଶୁଣିଲା, ବିନ୍ଦୁ ବହୁଚି–‘‘ହଁ ପକ୍ଷପାତିତା ନୁହେଁ ଆଉ କଣ-? ସିପ୍ରାର ମୁହଁ ଦେଖି ସବୁ ପୁରଷ୍କାର ଦିଆ ହେଇଚି–ନ ହେଲେ ତାଠୁ କ’ଣ ଆଉ ଭଲ ସ୍ୱଭାବର ପିଲା ନାହାନ୍ତି ? ସୁଧୀରା, ସିନା ଉତ୍ତମ ସ୍ୱଭାବ ପ୍ରାଇଜ୍ ପାଇବା କଥା । କେଡ଼େ ଶାନ୍ତ, କେଡ଼େ ନମ୍ର; କ୍ଲାସରେ ମୁହଁଖୋଲି ପଦେ କଥା କହିବାକୁ ସେ ସଙ୍କୁଚିତ ହୋଇଯାଏ । ଆଉ ସିପ୍ରା ପର ଚଣ୍ଡୀମୂର୍ତ୍ତି ! ଛି, ବଡ଼ ଅନ୍ୟାୟ ହୋଇଯାଉଚି ।’’

 

ସିପ୍ରା ଆଉ ଉପରକୁ ଉଠିଲା ନାହିଁ । ସେଇଠୁ ପଛେଇ ଫେରି ଆସିଲା । କେହି ତାକୁ ଲକ୍ଷ୍ୟ କଲେ ନାହିଁ । ଆଖିରେ ତାର ଆଖିଏ ଲୁହ । ବିନ୍ଦୁର କଥାଗୁଡ଼ିକ ଯେପରି ଛାତିରେ ଛୁରି ମାରିଦେଉଛି । ବିନ୍ଦୁ ! ତାର ଅନ୍ତରଙ୍ଗ ବନ୍ଧୁ ବିନ୍ଧୁ ! ଅଥଚ ତାରି ମୁହଁରେ ଏ ବିଦ୍ରୂପ, ଏ ତାଚ୍ଛଲ୍ୟ ଭାବ !

 

ପ୍ରଧାନ ଶିକ୍ଷୟିତ୍ରୀ ମିସ୍ ଦାସ ସିପ୍ରାକୁ ଗୋଟିଏ ଜରୁରି କାମରେ ଡକାଇଲେ । ମନ୍ତ୍ରୀଙ୍କୁ ଯାଇ ସେ ତିନିଦିନ ଛୁଟି ମାଗିବ । ସିପ୍ରା ଗଲା । ସାଙ୍ଗରେ ତାର ଆଉ ଦୁଇଜଣଙ୍କୁ ବି ପଠାଗଲା–ବିନ୍ଦୁ ଓ ଅରୁଣା । ଏକାଠି ସେମାନେ ଗଲାବେଳେ ବିନ୍ଦୁ ସିପ୍ରା ସହିତ କେତେ ମିଠାମିଠା କଥା କହିଚି । ପରୋକ୍ଷରେ ତାର ଭାବ ଯେ ଏଡ଼େ ତିକ୍ତ ହୋଇପାରେ ଏ କଥା ନିଜ କାନରେ ନ ଶୁଣିଥିଲେ ସିପ୍ରା କେବେ ବିଶ୍ୱାସ କରି ନ ଥାଆନ୍ତା । ସେ ମଧ୍ୟ ନିଜ ଅନ୍ତରର ପ୍ରତିକ୍ରିୟାକୁ ସଂଗୋପନରେ ଲୁକ୍କାୟିତ ରଖିଲ ।

 

ମନ୍ତ୍ରୀଙ୍କ ମୋଟର ଷ୍ଟାର୍ଟ ହୋଇଛି, କିନ୍ତୁ ଛାଡ଼ି ନାହିଁ । ତିନି ବନ୍ଧୁ ଯାଇ ପୁଣି ଥରେ ଥରେ ନମସ୍କାର କଲେ । ବିନ୍ଦୁ କଥାଟା ଆରମ୍ଭ କଲା, ‘‘ଆମକୁ କିଛି ଦିନ ଛୁଟି ଦେଇ ଯାଆନ୍ତୁ ।’’

 

ମନ୍ତ୍ରୀ–‘‘ଛୁଟି ?’’

 

ଅରୁଣା କହିଲା–‘‘ପ୍ରତିବର୍ଷ ଆମେ ପୁରସ୍କାର ବିତରଣୀ ପରେ ଛୁଟି ପାଉଁ । ଆମକୁ ତିନିଦିନ ଛୁଟି ଦିଅନ୍ତୁ ।’’

 

ମନ୍ତ୍ରୀ ମହାଶୟ ବାଳିକା ତିନିଜଣଙ୍କୁ ଚାହିଁ ଈଷତ୍ ହସି ପଚାରିଲେ, ‘‘ଆଚ୍ଛା, ଛୁଟି ପାଇଲେ ତୁମେମାନେ କଣ କରିବ ? ତୁମ କଥା ମୋ ମନକୁ ପାଇଲେ ଛୁଟି ଦେବି ।’’

 

ବିନ୍ଦୁ ଅରୁଣା ମୁହଁକୁ ଚାହିଁଲା । ଅରୁଣା ସିପ୍ରା ମୁହଁକୁ । ସମସ୍ତେ ନୀରବ । କଣ କହିଲେ ମନ୍ତ୍ରୀଙ୍କ ମନକୁ ପାଇବ, ବୋଧହୁଏ ଏହି କଥା ସମସ୍ତେ ବିଚାର କରୁଥିଲେ । କିନ୍ତୁ କିଛି ଗୋଟାଏ ଶୀଘ୍ର ନ କହିଲେ ମନ୍ତ୍ରୀ ମହାଶୟ ବିରକ୍ତ ହୋଇ ପାରନ୍ତି । ବିନ୍ଦୁ କହିଲା, ‘‘ଆମେ ପଢ଼ି ପଢ଼ି କ୍ଲାନ୍ତ ହୋଇ ପଡ଼ିଲୁଣି; ତିନି ଦିନ ବିଶ୍ରାମ ନେବା ।’’

 

ମନ୍ତ୍ରୀ ପରିହାସ କର ପଚାରିଲେ, ‘‘କଣ ଏ ତିନି ଦିନ ଶୋଇ ଶୋଇ କଟାଇବ ?’’

 

ବିନ୍ଦୁ, ଅରୁଣା ଏକାଠି କହିଲେ, ‘‘ନା, ବୁଲିବା, ଖେଳିବା, ଆମୋଦ କରିବା, ପିକ୍‍ନିକ୍ କରିବା ।’’

 

ଜଣେ କହିବାବେଳେ ଅନ୍ୟ ଜଣେ ଇମିତି କଥା ଉପରେ କଥା କହିବାଟାକୁ ସିପ୍ରା ବଡ଼ ଅପସନ୍ଦ କରେ । ଏଣୁ ନିଜ ମନ୍ତବ୍ୟ ନ ଜଣାଇ ସେ ଚୁପ୍ ରହିଲା । ମନ୍ତ୍ରୀ ଏହା ଲକ୍ଷ୍ୟ କଲେ । ପଚାରିଲେ–‘‘ଆଚ୍ଛା, ତୁମେ କଣ କରିବ, କହିବଟି ।’’ ସିପ୍ରା ଗମ୍ଭୀର ଅଥଚ ମଧୁର କଣ୍ଠରେ ଉତ୍ତର ଦେଲା–‘‘ଛୁଟି ପାଇଲେ ମୁଁ ମୋ ବୋଉକୁ ବିଶ୍ରାମ କରିବାକୁ କହିବି ।’’

 

ମନ୍ତ୍ରୀଙ୍କ ଚକ୍ଷୁଦ୍ୱୟ ଚକ୍ଷମା ଭିତରୁ ବିସ୍ଫାରିତ ହେବା ଦେଖାଗଲା । ସେ ପଚାରିଲେ–‘‘ତା ମାନେ ?’’

 

ସିପ୍ରା କହିଲା–‘‘ବୋଉ ମୋର ଘରକାମ କରି କରି, ବାପାଙ୍କ ସେବା କରି ମୋଟେ ଫୁରସତ୍ ପାଏ ନାହିଁ । ବାପା ଚାରିବର୍ଷ ହେଲାଣି ଶଯ୍ୟାଶାୟୀ । ବୋଉ ଏ ପରିଶ୍ରମରେ କଙ୍କାଳସାର ହୋଇଗଲାଣି । ମୁଁ ଛୁଟି ପାଇଲେ ଘରକାମ ସବୁ କରିବି; ସେ ଟିକେ ବିଶ୍ରାମ ନେବ-।’’

 

ମନ୍ତ୍ରୀଙ୍କ କପାଳରେ ଚିନ୍ତାର ରେଖା ଅଙ୍କିତ ହେଲା । ସେ ଅନ୍ୟ କିଛି ପ୍ରଶ୍ନ ନ ପଚାରି କହିଲେ–‘‘ଯାଅ, ଚାରିଦିନ ଛୁଟି ଦେଲି ।’’ କଣ୍ଠସ୍ୱର ବାଷ୍ପରୁଦ୍ଧ । ମୋଟର ଛୁଟିଲା ।

 

ସ୍କୁଲରେ ଆନନ୍ଦର ଢେଉ ଖେଳିଗଲା । ପ୍ରଧାନ ଶିକ୍ଷୟିତ୍ରୀଙ୍କ ନିକଟରେ ବିନ୍ଦୁ, ଅରୁଣା ନିଜର ବାକ୍‍ଚାତୁରୀ ଦେଖାଇଲେ । ସେମାନେ କିପରି ମନ୍ତ୍ରୀଙ୍କୁ ଛୁଟି ଦେବାପାଇଁ ରାଜି କରାଇଲେ-। ସିପ୍ରାର କଥା ଉହ୍ୟ ରହିଲା । ସେ ସବୁଦିନ ପରି ଆଜି ମଧ୍ୟ ନିଜ ବିଷୟରେ ନୀରବ-

 

ଘରକୁ ଫେରିବାବେଳେ ସନ୍ଧ୍ୟା ହୋଇ ସାରିଥିଲା । ଚାଲି କରି ଯିବା ଦୁଃସାହସ ହେବ ଜାଣି ରିକ୍ସା ଖଣ୍ଡେ ଧରିଲା । ସିପ୍ରା ଅନ୍ୟମନସ୍କା । ତା କାନରେ ବିନ୍ଦୁର ସେହି କେତୋଟି କଥା ବାରମ୍ବାର ବାଜିଲା । ସେ ପୁରସ୍କାର ପାଇଁ ଯୋଗ୍ୟ ନୁହେଁ–ଉତ୍ତମ ସ୍ୱଭାବ ମଧ୍ୟ ତା’ର ନାହିଁ । କେବଳ ମୁହଁ ଦେଖି ଏ ପକ୍ଷପାତିତା ହେଉଛି । ସତେ ସେ କ’ଣ ଏଡ଼େ ଅଯୋଗ୍ୟା ? ବିନ୍ଦୁର ଏ କୂଟ ସ୍ୱଭାବରେ ସିପ୍ରା ଅତିରିକ୍ତ ବିଦ୍ରତ ହୋଇପଡ଼ିଲା । ତିନିବର୍ଷ ହେଲାଣି ସିପ୍ରା ଓ ବିନ୍ଦୁ ଏକା ଡେସ୍କରେ ବସିଆସୁଛନ୍ତି । ଏକାଠି ପଢ଼ନ୍ତି, ଏକାଠି ଖେଳନ୍ତି । ସବୁବେଳେ ଏକାଠି । ସିପ୍ରାର ଅଭାବ ଅସୁବିଧାରେ ବିନ୍ଦୁ ବହୁବାର ତାକୁ ସାହାଯ୍ୟ ମଧ୍ୟ କରିଛି । ତେବେ ଏ କି ପରିବର୍ତ୍ତନ ?

 

ହଠାତ୍ ତା ମନରେ ଅତୀତର କେଉଁ ଅତଳ ଗର୍ଭରୁ ଗୋଟିଏ କଥା ଜାଗି ଉଠିଲା । ନୂଆ କରି ସେ ପ୍ରଥମ ସ୍କୁଲରେ ଭର୍ତ୍ତି ହୋଇଥାଏ । ବୟସ ଅତି ଅଳ୍ପ–ଏଗାର ବାର ମଧ୍ୟରେ । ଅଷ୍ଟମ ଶ୍ରେଣୀରେ ସେ ସବୁଠାରୁ ଛୋଟ ଥିଲା । ମଗୁଣିର ମାସ ଖରା ଦେହକୁ ବଡ଼ ଭଲ ଲାଗୁଥିଲା । ଦଶ ମିନିଟ ଖେଳ ଛୁଟିରେ ସେ ପଡ଼ିଆରେ ବୁଲୁଥିଲା । ସୋରିଷଫୁଲିଆ ଖରା ତାର ରକ୍ତାଭଶ୍ୱେତ ଗଣ୍ଡକୁ ଅପୂର୍ବ ରାଗରଞ୍ଜିତ କରୁଥିଲା । ସେ ଗପ ବହିଟି ଧରି ପଡ଼ିଆରେ ବୁଲି ବୁଲି ପଢ଼ୁଥିଲା । ହଠାତ୍ ତା ଆଖି ପଡ଼ିଗଲା ଅଳ୍ପ ଦୂରରେ ବିନ୍ଦୁ ଓ ଆଉ ତିନି ଜଣ ତା ଆଡ଼କୁ ଆଙ୍ଗୁଠି ଦେଖାଇ କଣ କହୁଛନ୍ତି । ସେମାନଙ୍କ ମୁଖରେ ବିଦ୍ରୂପର ଭାବ ।

 

ସିପ୍ରାର ବୋଧଶକ୍ତି ଏତେ ସୂକ୍ଷ୍ମ ଥିଲା ଯେ ସେ ହଠାତ୍ ଅଭିମାନିନୀ ହୋଇପଡ଼େ । ସେମାନଙ୍କର ଏ ବ୍ୟଙ୍ଗରେ ସେ ଆଘାତ ପାଇଲା । ଧୀରେ ଧୀରେ ସେହି ଚାରି ଜଣ ତା ଆଡ଼କୁ ଆସିଲେ । ବିନ୍ଦୁ ଓ ଅନ୍ୟ ତିନି ଜଣ ପ୍ରାୟ ସମବୟସୀ । ସିପ୍ରାଠାରୁ ବଡ଼ । ପ୍ରାୟ ଚଉଦ ପନ୍ଦର ହେବ । ଏଣୁ ତେଣୁ ଦି ଚାରି ପଦ କଥା କହିବା ପରେ ହଠାତ୍ ରେଖା ଶାଢ଼ୀ ପଣତଟି ହାତରେ ଧର ସିପ୍ରାର ଗାଲକୁ ଖୁବ୍ ଜୋରରେ ପୋଛିଦେଲା । କହିଲା–‘‘ଇଃ, କେଉଁଠୁ କଳା ମେଞ୍ଚାଏ ଲଗାଇଲୁମ ?’’ ସିପ୍ରା ଭାବିଲା, ବୋଧହୁଏ କାଳି ହାତ କିମିତ ଲାଗି ଯାଇଥିବ; ଆଉ ତା ଦେଖି ଏମାନେ ହସୁଥିଲେ । ସେ ଲଜ୍ଜିତା ହେଲା; କହିଲା, ‘‘ଭଲ କରି ପୋଛି ଦିଅ ରେଖା–କିମିତି ଲାଗିଲା ମୁଁ ଜାଣି ନାହିଁ ।

 

କିନ୍ତୁ କଥାଟା ଏଡ଼େ ସରଳ ନୁହେ । ହୋ ହୋ କରି ରେଖା ହସି ଉଠିଲା । ବିନ୍ଦୁ ଓ ଅନ୍ୟ ଦୁଇ ଜଣଙ୍କ ମୁହଁ ଫିକା ପଡ଼ିଗଲା । ସେମାନେ ବାଁରେଇ ହୋଇ ଅନ୍ୟଆଡ଼େ ଚାରିଗଲେ । ସେମାନେ ଯିବା ପରେ ରେଖା କହିଲା–‘‘କେଡ଼େ ସରଳ ଅମାୟିକ ପିଲାଟିମ ତୁ ସିପ୍ରା ! ଜାଣିଛୁ, ମୁଁ କାହିଁକି ତୋ ଗାଲକୁ ପୋଛିଦେଲି ? ବିନ୍ଦୁ ମତେ କହିଲା ଯେ ତୁ କୁଆଡ଼େ ଗାଲରେ ରୁଜ୍, ଓଠରେ ଲିପଷ୍ଟିକ୍ ଆଉ ମୁହଁରେ ଲିକ୍ୱିଡ୍ ପାଉଁଡ଼ର ମାଖି ସ୍କୁଲକୁ ଆସୁ । ତୋର ଯେ ପ୍ରକୃତ ରଙ୍ଗ ଏଡ଼େ ସୁନ୍ଦର ଏ କଥା ସେମାନେ ବିଶ୍ୱାସ କରୁ ନଥିଲେ । କହୁଥିଲେ, ଏଡ଼େ ଛୋଟବେଳୁ ଇମିତି ପେଇଣ୍ଟ୍ ହୋଇ ଆସୁଛି, ଆଉ ବଡ଼ ହେଲେ କଣ ନ ହେବ ? ମୁଁ କିନ୍ତୁ ସେ କଥା ଆଦୌ ବିଶ୍ୱାସ କରି ନାହିଁ । ସେଥିଲାଗି ସେମାନଙ୍କୁ ଦେଖାଇବା ପାଇଁ ଜୋରରେ ତୋ ଗାଲ ପୋଛିଦେଲି । ଆଉ ରଙ୍ଗ ଛାଡ଼ିଯିବ କଣ ତୋ ଗାଲ ଆଉରି ଅଧିକ ଲାଲ ହୋଇଗଲା । କିଛି ଭାବିବୁ ନାହିଁ ଲୋ–ସୁନା ଭଉଣୀଟି ପରା ।’’

 

ସ୍ୱାଭାବିକ ଈର୍ଷ୍ୟା ବିନ୍ଦୁକୁ ପ୍ରଥମରୁ ଆବୋରି ଧରିଛି । କିନ୍ତୁ କାଳସ୍ରୋତରେ ସେ ସବୁ ଧୂଳିମଳି ଧୋଇ ହୋଇ ଯାଇଥିଲା । ଅନ୍ତତଃ ସିପ୍ରା ଏ କଥା ବିଶ୍ୱାସ କରିଥିଲା । କିନ୍ତୁ ପୁଣି ଯେ ଏହା ମୁଣ୍ଡ ଟେକି ଛିଡ଼ା ହେବ ସିପ୍ରାର ଧାରଣା ନ ଥିଲା । ଈଶ୍ୱରଦତ୍ତ ତାର ସୌନ୍ଦର୍ଯ୍ୟ ଓ ପ୍ରତିଭା ଯୋଗୁ ତାକୁ ବନ୍ଧୁ ମହଲରେ ଏହି ପୁରସ୍କାର ମିଳୁଛି ।

 

ସିପ୍ରାର ଭାବନାର ସ୍ରୋତ ବନ୍ଦ ହୋଇଗଲା । ଦେଖିଲା, ତା ରିକ୍ସାକୁ ଦୁଇ ଜଣ କେହି ଅନୁସରଣ କରୁଛନ୍ତି । ରିକ୍ସା ପଛେ ପଛେ ଦୁଇଟି ସାଇକଲ–ମଝିରେ ମଝିରେ ଫୁସ୍‍ଫୁସ୍‍ କଥାବାର୍ତ୍ତା । ସିପ୍ରା ଭୟବିହ୍ୱଳ ହୋଇ ରିକ୍ସାବାଲାକୁ କହିଲା, ‘‘ଜୋରରେ ଚଲା ।’’

 

ପଛରୁ ହସ । ଜଣେ କିଏ ସିନେମା ଗୀତ ଆରମ୍ଭ କଲା–ଅନ୍ୟ ଜଣେ ସିଟି ମାରିଲା । ଜଣେ କହିଲା–‘‘ପୁରସ୍କାର ନମ୍ବର ଏକ–ପୁରସ୍କାର ନମ୍ବର ଦୁଇ–ପୁରସ୍କାର ନମ୍ବର ତିନି–ପୁରସ୍କାର ନମ୍ବର ଚାରି–’’

 

ଅନ୍ୟ ଜଣେ ଧମକେଇ କହିଲା–‘‘ଦୁର୍, ପାଗଳାଟା ପରି ବକୁଚୁ କଣ ! ‘ପୁରସ୍କାର, ପୁରସ୍କାର’ କଣ ହଉଚୁ–ଦେଖୁନୁ କି ସୁନ୍ଦର ଗୋଲାପ ଫୁଲଟି–କେଉଁ ରାଜପ୍ରାସାଦର ଉଦ୍ୟାନରେ ଫୁଟିଛି କିଜାଣି ।’’

 

ରିକ୍ସାଭିତରୁ ସିପ୍ରା କହିଲା–‘‘ରଖ୍, ରଖ୍ ରିକ୍ସାବାଲା, ଏଇଠି ରଖ ।’’ ରିକ୍ସା ହଠାତ୍ ବ୍ରେକ୍ ଦେଲା । ଠିକ୍ ପଛରେ ପଛରେ ଆସୁଥିବା କବିଙ୍କର ସାଇକଲଟି ଧକ୍କା ଖାଇ ଓଲଟି ପଡ଼ିଲା । ବନ୍ଧୁ ଜଣକ ବି ହଡ଼ବଡ଼େଇ ଯାଇ ସାଇକଲରୁ ଓହ୍ଲାଇ ପଡ଼ିଲେ । ସୁରେଶ ନିଜ ପ୍ୟାଣ୍ଟରୁ ଧୂଳି ଝାଡ଼ୁ ଝାଡ଼ୁ ସିପ୍ରାର ଯିବା ବାଟକୁ ଚାହିଁ ରହିଲା । ଧୀରେନ୍ କହିଲା–‘‘ରାଜପ୍ରାସାଦର ଉଦ୍ୟାନରେ ଫୁଟି ନାହିଁ ରେ, ଦରିଦ୍ର କୁଡ଼ିଆରେ ତଳିତଳେ ।’’

 

ସିପ୍ରା ଘର ଭିତରେ ପଶିଗଲା । ଦେହରୁ ତାର ଝାଳ ବୋହି ଯାଉଛି । କି ବଜାରି ଏ ପିଲାଗୁଡ଼ାକ ! କାହିଁକି ସେମାନେ ତା ପଛରେ ଇମିତି ଲାଗିଥିଲେ ? କି ଦୋଷ କରିଛି ସେ ? ମନର ଅସ୍ଥିରତା କାହାରିକୁ ନ ଜଣାଇ ସେ ବୋଉ ପାଖକୁ ଗଲା । ବୋଉ ବାପାଙ୍କୁ ଖୋଇସାରି ପିଲା ଦୁଇ ଜଣଙ୍କ ପାଇଁ ଖାଇବାର ଯୋଗାଡ଼ କରୁଚି । ଦୁଇଟି କଂସାତାଟିଆରେ ପଖାଳ ଚିପୁଡ଼ା ହୋଇଚି; ଆଉ ଥାଳିଆଟିରେ ବଡ଼ି ଚଟୁଣି ।

 

ସିପ୍ରା ତାର ପୁରସ୍କାରଗୁଡ଼ିକ ସବୁ ନେଇ ବୋଉ ପାଖରେ ଥୋଇ ଦେଲା । ତାର ଚାରି ବର୍ଷର ଭାଇ ଦୀପକ ଆଉ ନଅ ବର୍ଷର ଭଉଣୀ ବିନ୍ଧ୍ୟା ଆସି ତାକୁ ଘେରି ବସିଲେ । ‘ଏଇଟା କଣ, ଏଇଟା କଣ’ ବୋଲି ଦୀପକ ତାକୁ ବ୍ୟତିବ୍ୟସ୍ତ କରି ପକାଇଲା । ଟିଫିନ୍ କାରିଏରଟି ଟାଣି ନେଇ ଟିକିନିଖି କରି ପରୀକ୍ଷା କଲା ପରେ ପଚାରିଲା–‘‘ଏଇଟା କଣ ଅପା ?’’ ସିପ୍ରା କହିଲା, ‘‘ୟାକୁ କହନ୍ତି ଟିଫିନ୍ କାରିଅର–କହିଲୁ ।’’

 

ଦିପୁ–‘‘ଟିଫିନ୍–କାରିର । ଏଥିରେ କଣ କରନ୍ତି ?’’

 

ସିପ୍ରା ହସି କହିଲା–‘‘ଏଥିରେ ଜଳଖିଆ ରଖାଯାଏ ।’’

 

ଦିପୁର ଆଗ୍ରହ ବଢ଼ି ଗଲା । ସେ ଟିଫିନ୍ କାରିଅରଟା ଖୋଲିବାକୁ ପ୍ରାଣପ୍ରଣେ ଚେଷ୍ଟା ଆରମ୍ଭ କଲା । ନ ପାରି କହିଲା–‘‘ଅପା, ଖୋଲ୍‍ମ । ଦେଖିବା କି ଜଳଖିଆ ଅଛି । ମୁଁ ଟିକେ ଖାଇବି ଅପା–ଆଚ୍ଛା ଆଉ ପଖାଳ ଖାଇବି ନାହିଁ । ଦେ ଅପା–’’

 

ସିପ୍ରା ହସିବ ନା କାନ୍ଦିବ ବୁଝି ପାରିଲା ନାହିଁ । ବେଚାରି ପିଲା । କି ଆଗ୍ରହ ତାର ଭଲ ଜଳଖିଆ ଟିକେ ଖାଇବ ବୋଲି । ଫମ୍ପା ଟିଫିନ୍ କାରିଅର ପୁରସ୍କାର ପାଇ ତାର ଲାଭ କଣ ? ତା ବଦଳେ କେତୋଟି ଟଙ୍କା ପୁରସ୍କାର ପାଇଥିଲେ ସେ ଅନ୍ତତଃ ଭାଇଭଉଣୀଙ୍କ ଦିନଟାଏ ଖିରି ମିଠେଇ ଚଖାଇ ପାରନା ।

 

ବିନ୍ଧ୍ୟା ପଚାରିଲା–‘‘ଅପା, ତୁ ଏଇଟା କଣ ପାଇଁ ପାଇଲୁ ? କି ପ୍ରାଇଜ୍ ?’’

 

ସିପ୍ରା କହିଲା,–‘‘କୁକିଂ ପ୍ରାଇଜ୍‌ । ମୋ ରାନ୍ଧଣା ସମସ୍ତଙ୍କଠୁ ଭଲ ହୋଇଥିଲା ବୋଲି ପାଇଲି । ମୁଁ ପରୀକ୍ଷା ଦିନ ରାନ୍ଧିଥିଲି–’’ ଅଧା ବାକ୍ୟଟିକୁ ଆଉ ଶେଷ କଲା ନାହିଁ । ସେ ଜାଣେ, ଯଦି ପୁଣି ସେ କହି ବସେ ଲୁଚି, ଆଳୁଦମ୍, ଗଜା, କୋରା ଇତ୍ୟାଦି କରିଥିଲା ବୋଲି ତେବେ ଅବୁଝା ଦିପୁ ପୁଣି ଜିଦ ଧରିବ ସେ ସବୁ ଖାଇବାକୁ । ଶୁଖିଲା ହସ ତା ଠାରେ ଖେଳିଗଲା । ଅଦୃଷ୍ଟର ଉପହାସ । ଯେ ଚମତ୍କାର ଖିରି ଖିରିସା, ଲଡ଼ୁ ତିଆରି କରି ପାରୁଛି ତା କପାଳରେ ଚିର ଦିନ ପଖାଳ ଭାତ, ଖାରିଆ ଖଡ଼ା–

Image

 

ଛାୟାପାତ

 

ମେଘୁଆ ଖରା । ସୂର୍ଯ୍ୟ ବାଦଳର ଲୁଚକାଳି ଖେଳ । ପାଣି ଝିପି ଝିପି ପକାଉଚି । ହଳଦିଆ ଖରା ଆଖିକୁ ବାଧୁଚି । ବରଙ୍କୁ ଡାକଘରକୁ ବଡ଼ ବଡ଼ ପହଣ୍ଡି ପକାଇ ଚାଲିଛି । ଆଜି କେମିତି ହେଉ ଏହି ଚାରୋଟିଯାକ ଚିଠି ଡାକରେ ଯିବ । ବେଳ ହୋଇଯାଉଛି । ଚାରୋଟି ନୀଳ ଲଫାପାରେ ଚାରୋଟି ଚିଠି । ଜଣକର ହାତ ଅକ୍ଷରରେ ଠିକଣାସବୁ ଲେଖା । ଟ୍ରେନିଂ କଲେଜ ଛାତ୍ରୀଙ୍କ ହଷ୍ଟେଲ ଦରଓ୍ୟାନ୍‍ ବରଜୁ ଚିଠି ଗୁଡ଼ିକ ଆଣିଚି ଦୂରଦୂରାନ୍ତକୁ ପଠାଇ ଦେବା ଲାଗି । କିଏ ଜାଣେ ଲଫାପା ଭିତରର କଥା । କାହାର ମରମ ଦାହ ବହନ କରିଛି ବା କେଉଁ ମିଳନ ରାଗିଣୀର ମୂର୍ଚ୍ଛନାରେ ଉଚ୍ଛ୍ୱସିତ ପତ୍ରର ପ୍ରତ୍ୟେକ ପଂକ୍ତି ।

 

ଟ୍ରେନିଂ କଲେଜ ଅଧ୍ୟକ୍ଷ ଟିକେ ଅନ୍ୟମନସ୍କ ହୋଇ ପଡ଼ିଲେ । ଆଧୁନିକ ଯୁବକ ଯୁବତୀଙ୍କ ମନରେ ସ୍ଥୈର୍ଯ୍ୟ ବିଷୟରେ ସେ ସବୁବେଳେ ସନ୍ଦିହାନ ଥିଲେ । ସେ ସନ୍ଦେହ ଦୃଢ଼ୀଭୂତ ହେବାରୁ ସେ ଭ୍ରୂକୁଞ୍ଚନ କରି ଭାବିବାକୁ ଲାଗିଲେ । ପରୀକ୍ଷା ଆଉ ଦେଢ଼ମାସ ରହିଲା । ହଠାତ୍ ଇମିତି କଲେଜରୁ ନାମ କାଟି ଦେବାପାଇଁ ଅନୁରୋଧ କରି ରଶ୍ମି ଚିଠି ଦେଇଛି କାହିଁକି ? ଭଲ ଛାତ୍ରୀ ସେ । ବିଶ୍ୱବିଦ୍ୟାଳୟରେ ଉଚ୍ଚ ସ୍ଥାନ ଅଧିକାର କରି ଥାଆନ୍ତା । ଅକ୍ଲେଶରେ ଚାକିରୀ ପାଇ ପାରନ୍ତା । ଏ ପାଗଳାମି କାହିଁକି, ସେ କେମିତି ବୁଝିବେ ? ହୁଏ ତ ମନସ୍ତାତ୍ତ୍ୱିକ ‘ଫ୍ରଏଡ଼୍’ ଏହାର କାରଣ ଦର୍ଶାଇ ପାରନ୍ତି ।

 

କଲେଜ ହଷ୍ଟେଲରେ ସମସ୍ତେ ଜାଣିଥିଲେ, ରଶି ଦି’ଦିନ ପାଇଁ ଗାଁକୁ ଯାଇଛି ବୋଲି । ଆଜି ସକାଳେ ତାକୁ ଷ୍ଟେସନ ମୁସାପିରଖାନାରେ ଛାଡ଼ିଦେଇ ଆସିଛି ସରଯୂ । ଦୁଇଟି ଘଣ୍ଟା ପରେ ରଶ୍ମିର ଚିଠିଟି ପାଇ ସେ ଚମକି ପଡ଼ିଲା । ରେଳରୁ ଚିଠିଟି ଆସିଲା ନା କଣ ? ଚିଠିଟି ପଢ଼ିବା ପୂର୍ବରୁ ଯେଉଁ ରହସ୍ୟ ଭେଦ ହୋଇ ପାରୁ ନ ଥିଲା, ପଢ଼ି ସାରିବା ପରେ ମଧ୍ୟ ତାହା ସେହିପରି ଦୁର୍ବୋଧ୍ୟ ହୋଇ ରହିଲା । ବରଂ କୌତୁହଳ ବଢ଼ିଗଲା । ଚିଠିଟି ଗତ କାଲି ପୋଷ୍ଟ ହୋଇଛି । ଏହି ହଷ୍ଟେଲରୁ ଲେଖା ହୋଇଛି । ସେ ସରଯୂକୁ କ୍ଷମା ମାଗିଚି, ନ କହି ଚିରଦିନ ଲାଗି ସେମାନଙ୍କର ସ୍ନେହର ବନ୍ଧନକୁ ଏଡ଼ାଇ ଚାଲିଯାଉଚି ବୋଲି । ବିଦାୟ ଚିଠିଟା ମର୍ମନ୍ତୁଦ, ବଡ଼ କରୁଣ । ତଥ୍ୟାପି ହୃଦୟ ଭିତରର ଆନନ୍ଦୋଚ୍ଛ୍ୱାସର ଆଭାସକୁ ଲୁଚାଇ ପାରୁନି ।

 

ବିନୋଦ ବାବୁ ଚିଠିଟି ପଢ଼ିଲେ । ଚକ୍ଷୁରୁ ତାଙ୍କର ଆଗ୍ନେୟ ଉଦ୍‍ଗୀରଣ । ପଦ୍ମିନୀ ଦେବୀଙ୍କ ନୟନରୁ ଧାରା ପ୍ରସ୍ରବଣ । ଜଣକର ସଙ୍କଳ୍ପ–ଇମିତି ଝିଅର ଆଉ ମୁହଁ ଚାହିଁବେ ନାହିଁ । ଆଉ ଜଣକର କାକୁତି ମିନତି–ଝିଅକୁ ବୁଝେଇ ସୁଝେଇ ଘରକୁ ବାହୁଡ଼େଇ ଆଣ । ପିଲା ବୁଦ୍ଧିରେ ଯାହା କରି ପକାଇଚି ଆଖି ବୁଜିଦେଲେ ସବୁ ପାଶୋରା ହୋଇଯିବ । ଆଉ ବିଳମ୍ବ କର ନାହିଁ । ନେଡ଼ି ଗୁଡ଼ କହୁଣୀକୁ ଗଡ଼ି ନ ଯାଉଣୁ ବ୍ୟବସ୍ଥା କର ।

 

ଚତୁର୍ଥ ଚିଠିଟି ଯାହାଙ୍କ ପାଇଁ ଉଦ୍ଦିଷ୍ଟ ସେ ଏହି ଚିଠିଟି ପାଇ ନିଜକୁ ଭାଗ୍ୟବାନ୍ ମନେ କରିଥିବେ ନିଶ୍ଚୟ । ବହୁ ବର୍ଷର ତପସ୍ୟା ଆଜି ଫଳବତୀ ହେବାକୁ ଯାଉଛି । ଭିକ୍ଷୁକ ବେଶରେ ଭିକ୍ଷାଥାଳ ଆଜିଯାଏ ଦେଖାଇ ଆସିଥିଲେ; କିନ୍ତୁ ଏଣିକି ସେ ହେବେ ରାଜପୁତ୍ର । ରଶ୍ମି ବ୍ୟତୀତ ତାଙ୍କ ଜୀବନରେ ଆଉ କିଛି ଆଶା ବା ଆକାଙ୍କ୍ଷା ନ ଥିଲା । ତାହା ପରିପୂର୍ଣ୍ଣ କରି ଦେବା ପାଇଁ ଆଜି ରଶ୍ମି ଭରା ନଈରେ ଆଖିବୁଜି ଲମ୍ଫ ଦେଉଚି । ଭବିଷ୍ୟତ ସୁନିଶ୍ଚିତ ନୁହେଁ । ବିପଦ ପଦେ ପଦେ ରହିଛି । ତଥାପି ହୃଦୟର ଡାକ ଏଡ଼ାଇ ଦେଇ ହେଉ ନାହିଁ । ଔପନ୍ୟାସିକ ‘‘ହାର୍ଡି’’ କହିଥିଲେ–‘‘ଯେଉଁ ବ୍ୟକ୍ତି ଅପରିଣାମଦର୍ଶୀ ନୁହେଁ, ସେ ପ୍ରକୃତରେ ପ୍ରେମିକ ବା ପ୍ରେମିକା ହୋଇ ପାରିବନାହିଁ ।’’

 

ଜନାନା ଡବାରେ ସହଯାତ୍ରିଣୀ ଆଉ ଜଣେ ମାତ୍ର ଥିଲେ । ସମବୟସୀ, ଏଣୁ ଆଳାପ ବେଶ୍ ଜମି ଆସିଲା । ବିଶାଖାପାଟଣା ପାଖେଇ ଆସିଲାଣି । ରଶ୍ମି ଚିତ୍ରିତ ଲୋମଶ ଛୋଟ ସୁଟକେଶଟି ଖୋଲିଲା । ବଙ୍ଗୀୟ ଭଉଣୀଟି ପଚାରିଲେ, ‘‘ଚିତାବାଘର ଚମଡ଼ା ବୋଧହୁଏ ?’’ ରଶ୍ମିର ସ୍ମିତହାସ ଏହାର ଉତ୍ତର ଦେଲା । ସୁଟକେଶ୍ ଭିତରୁ ସୁନାବନ୍ଧା ବାଘ ନଖର କଣ୍ଠ ଓ କର୍ଣ୍ଣଭୂଷଣ, ଗଜଦନ୍ତର କଙ୍କଣ ବାହାର କରି ନିଜକୁ ସଜାଇବା ବେଳେ ସହଯାତ୍ରିଣୀ କୌତୁହଳୀ ହୋଇ ପଚାରିଲେ, ‘‘ମିଉଜିୟମ୍‍ଟାଏ ସଙ୍ଗରେ ନେଉଛନ୍ତି ନା କଣ ?’’ ରଶ୍ମି ସଲଜ୍ଜ ଭାବ ଦେଖାଇ କହିଲା, ‘‘ହଁ, ଆହୁରି କେତେ କଅଣ ଅଛି । କୁମ୍ଭୀର ଚମଡ଼ାର ବଡ଼ ସୁଟକେଶ୍, ଅଜଗରର ଚପଲ, ନାନା ଜାତି ପକ୍ଷୀଙ୍କର କୋମଳ ପକ୍ଷ୍ମର ତୋଷକ ।’’

 

‘‘ବାଃ, ଏ ସବୁ ଯୋଗାଡ଼ କଲେ କେମିତି ?’’ ସହଯାତ୍ରିଣୀ ପଚାରିଲେ ।

 

‘‘ମୁଁ କରିନି । ସବୁ ଉପହାର । ନିଜେ ଶିକାରରେ ମାରିଥିବା ପଶୁପକ୍ଷୀଙ୍କୁ ଅମର କରି ରଖିବାର ଏ ଗୋଟାଏ ତାଙ୍କର ଖିଆଲ । ମୁଁ ଶିକାରର ପକ୍ଷପାତୀ ନୁହେଁ । ତେବେ ଅପହୃତ ଜୀବନର ଶେଷ ସ୍ମୃତିଟିକୁ ଧରି ରଖି ସେମାନଙ୍କ ପ୍ରତି ଶ୍ରଦ୍ଧା ଜ୍ଞାପନ କରିବା ଅନୁଚିତ କି ?’’

 

ଦିହେଁ ହସିଲେ । କିନ୍ତୁ ନାରୀସୁଲଭ କୋମଳତା ପୁରୁଷର ଏହି ଜଘନ୍ୟ ନିଷ୍ଠୁର ସଉକକୁ ଧିକ୍କାର କରିବାକୁ ଲାଗିଲା । ରଶ୍ମି କହିଲା,–‘‘ମୁଁ ସୁଶାନ୍ତ ବାବୁଙ୍କୁ ବାରଣ କରି ଦେଇଛି, ଏଣିକି ସେ ଆଉ ଜୀବହତ୍ୟା କରୁନାହାନ୍ତି । ଏତେ ସଉକ ଥିଲା ତାଙ୍କର ଶିକାରରେ; କିନ୍ତୁ ମୋ କଥା ରଖି ସମ୍ପୂର୍ଣ୍ଣ ଛାଡ଼ି ଦେଇଛନ୍ତି ?

 

ବନ୍ଧୁ ହସି କହିଲେ, ‘‘ବାଃ, ଭାଗ୍ୟ ଆପଣଙ୍କର । ଇମିତି ଆଜ୍ଞାଧୀନ ସ୍ୱାମୀ ପାଇବା କପାଳ କଥା ।’’ ଦିହେଁ ପୁଣି ହସି ଉଠିଲେ ।

 

ଝରକା ବାହାରକୁ ଚାହିଁ ରହିଲା ରଶ୍ମି । ମନେ ପଡ଼ିଲା ସେହି ସ୍ମରଣୀୟ ସନ୍ଧ୍ୟାର ଦୃଶ୍ୟ-। ବାଧ୍ୟ କରି ସୁଶାନ୍ତ ରଶ୍ମିକୁ ସାନ୍ଧ୍ୟଭ୍ରମଣ ପାଇଁ ମୋଟରରେ ନେଇ ଯାଇଥିଲେ । ମୁହଁ ସଞ୍ଜବେଳ-। ଛୋଟ ଗିରି ନିର୍ଝରଣୀ ନିକଟରେ ମୋଟର ଅଟକିଲା । ଉପଭୋଗ୍ୟ ସେ ବନାନୀର ଦୃଶ୍ୟ । ଝରଣା ନିକଟରେ ଦୁଇଟି ହରିଣ ହରିଣୀ ଆଣ୍ଠୋଇ ପାଣି ପିଉଥିଲେ । ଆତ୍ମତୃପ୍ତିରେ ବେକ ଭାଙ୍ଗି ବେଳେ ବେଳେ ପରସ୍ପରକୁ ଚାହୁଁଥିଲେ । ରଶ୍ମି ବିଭୋର ହୋଇ ସେହି ମୃଗ ଦମ୍ପତିକୁ ଚାହିଁ ରହିଥିଲା । ହଠାତ୍ ବନ୍ଧୁକର ଆବାଜରେ ରଶ୍ମି ଚମକି ଉଠିଲା । ଆଖି ତାର ବୁଜି ହୋଇଗଲା-। ଶିଙ୍ଘଳଟି ଭୂଇଁରେ ଲୋଟି ପଡ଼ିଛି । ମାଈ ହରିଣଟି ପ୍ରାଣ ବିକଳରେ ଦୌଡ଼ିଯାଇ କେଉଁଆଡ଼େ ଲୁଚିଗଲା । ସୁଶାନ୍ତ ବୀର ଦର୍ପରେ ଶିକାରଟିକୁ ଗାଡ଼ି ଭିତରକୁ ଟାଣି ଆଣିଲେ । କିନ୍ତୁ ରଶ୍ମିକୁ ଲକ୍ଷ୍ୟକରି ସେ ହତବୁଦ୍ଧି ହେଲେ । ମୂକ ହରିଣୀର ହୃଦୟ ବ୍ୟଥା ସତେ ଯେପରି ରଶ୍ମିର ନୟନ ଦେଇ ଝରିପଡ଼ୁଛି । ରଶ୍ମିର କାତରତା ଦେଖି ସୁଶାନ୍ତ ଅନୁତାପ କଲେ । ହାତଯୋଡ଼ି କ୍ଷମା ପ୍ରାର୍ଥନା କଲେ । ରଶ୍ମି ତାଙ୍କର ବକ୍ଷରେ ମୁଣ୍ଡ ପୋତି କହିଲା–‘‘କୁହ ଶାନ୍ତ, ଆଉ କେବେ ଇମିତି ନୃଶଂସ କାମ କରିବ ନାହିଁ । ଶପଥ କରି କୁହ, ତୁମେ ଆଉ ଜୀବହତ୍ୟା କରିବ ନାହିଁ ।’’ ସୁଶାନ୍ତ ପ୍ରତିଜ୍ଞା କଲେ କେବେ ଆଉ ଶିକାର କରିବେ ନାହିଁ ବୋଲି । ରଶ୍ମିର ମନରେ ଆଘାତ ଲାଗିଲା ଭଳି କୌଣସିଟି କାର୍ଯ୍ୟ ସେ କରିବେ ନାହିଁ ।

 

ରେଳର ଗତି କମି ଆସିଲା । ହୁଏତ ଷ୍ଟେସନ ହେଲାଣି । ରଶ୍ମି ଶାଢ଼ୀଟିକୁ ସଜାଡ଼ି ନେଇ ଛିଡ଼ା ହେଲା ଦ୍ୱାର ନିକଟରେ; ସୁଶାନ୍ତ ତାକୁ ଯେପରି ସାଙ୍ଗେ ସାଙ୍ଗେ ଦେଖି ପାରିବେ । କଳମୁଖର ଷ୍ଟେସନ ଜନାକୀର୍ଣ୍ଣ । ତୈଲଙ୍ଗି ଭାଷାରେ କଥାବାର୍ତ୍ତା । ରଶ୍ମି ନିର୍ବାକ ଭାବରେ ଠିଆ ହୋଇ ରହିଲା । କାହାନ୍ତି ସୁଶାନ୍ତ ? ତେବେ କଣ ସେ ରଶ୍ମିକୁ ନେବା ପାଇଁ ଷ୍ଟେସନକୁ ଆସି ପାରିଲେ ନାହିଁ ? କଅଣ ହେଇଛି ତାଙ୍କର ? କାହାକୁ କିଜାଣି ପଠାଇଥିବେ ତାକୁ ନେବା ପାଇଁ । ସେ ବା କିମିତି ଚିହ୍ନିବ ? ହଁ–ଫଟୋ ତ ଦେଖିଥିବ । ରଶ୍ମି ପୁଣି ଅପେକ୍ଷା କରି ସେଇଠି ଠିଆ ହୋଇ ରହିଲା । ହିନ୍ଦି ଭାଷାରେ କୁଲି ପଚାରିଲା, ‘‘ଜିନିସ ଓହ୍ଲାଇବ କି ? ଗାଡ଼ି ଓ୍ୱାଲଟେର୍ ଚାଲିଯିବ । ଘଣ୍ଟା ଦେଲାଣି ।’’ ରଶ୍ମି ଗାଡ଼ିରୁ ଓହ୍ଲାଇ ନିରାଶ ଭାବେ ଝଟକାଟାଏ ଧରିଲା । ସୁଶାନ୍ତଙ୍କ ଠିକଣା ଅନୁଯାୟୀ ଝଟକା ଯାଇ ପହଞ୍ଚିଲା ଭ୍ୟାଲି ଗାର୍ଡନକୁ ଯିବା ରାସ୍ତାରେ ସମୁଦ୍ରକୂଳର ଗୋଟିଏ ନୂଆ ଟାଇଲ୍ ଘର ସାମନାରେ । ହୃଦସ୍ପନ୍ଦନ ଚଞ୍ଚଳ ହୋଇ ଉଠିଛି, କଣ୍ଠ ଶୁଷ୍କ, ଚକ୍ଷୁ ବାଷ୍ପାକୁଳ । ରଶ୍ମି ଫାଟକ ପାଖକରୁ ଯାହା ଦେଖିଲା, ସେଥିରେ ତାର ପାଦ ଆଉ ଚିଳିଲା ନାହିଁ । ବାହାର ଘର କବାଟରେ ମସ୍ତବଡ଼ କୋଲପ । ସୁଶାନ୍ତ ଘରେ ନାହାନ୍ତି । ତେବେ ତା ଚିଠି ମିଳିବା ଆଗରୁ ସେ କାର୍ଯ୍ୟାନ୍ତରରେ କେଉଁଆଡ଼େ ଚାଲିଯାଇଛନ୍ତି ବୋଧହୁଏ । ସେ ଏବେ କଣ କରିବ ? କୂଳ ଛାଡ଼ି ମଝିଦରିଆକୁ ଚାଲି ଆସିଲାଣି; କୁଆଡ଼େ ଯିବ ? ଟ୍ରେନିଂ କଲେଜକୁ ବା ନିଜ ଘରକୁ ଫେରିଯିବା ଉପାୟ ସେ ନିଜେ ରଖିନି । ଅଜଣା ଦେଶରେ ଏକୁଟିଆ ସେ କଣ କରିବ-? ସୁଶାନ୍ତ ତାର ଦୁରବସ୍ଥା ପାଇଁ ଦାୟୀ । ରଶ୍ମିର ବକ୍ଷ କୋହରେ ଥରି ଉଠିଲା । ହଁ ସେ ଦାୟୀ । ତାକୁ ଚିରଦିନ ପାଖରେ ପାଇବା ପାଇଁ ସୁଶାନ୍ତଙ୍କର ବ୍ୟାକୁଳତା, କାକୁତିପୂର୍ଣ୍ଣ ଅସଂଖ୍ୟ ଚିଠି ରଶ୍ମିର ଏ ଅପରିଣାମଦର୍ଶିତା ପାଇଁ ଦାୟୀ । ସେ ସ୍ୱୀକୃତି ଦେଇଥିଲା ନିକଟ ଭବିଷ୍ୟତରେ ତାଙ୍କୁ ବିବାହ କରିବ ବୋଲି । କିନ୍ତୁ ଯେଉଁଦିନ ଜାଣିଲା, ସବୁ ଜଳାଞ୍ଜଳି ଦେଇ ହଠାତ୍ ଝାମ୍ପ ନ ଦେଲେ ଆଉ ରକ୍ଷା ନାହିଁ, ବାପା ବୋଉ ତେଣେ ବାହାଘର ଠିକଣା କରିଦେଉଛନ୍ତି, ସେଦିନ ସେ ସୁଶାନ୍ତଙ୍କ ନିକଟକୁ ଗୋଟିଏ ଏକ୍ସପ୍ରେସ୍ ଚିଠି ପଠାଇଦେଲା । କେବଳ ସେ କେଉଁଦିନ ଓ କେଉଁ ଗାଡ଼ିରେ ସୁଶାନ୍ତଙ୍କ ନିକଟରେ ପହଞ୍ଚିବ ଏହା ଜଣାଇଥିଲା । ଦେଖାହେଲେ ସବୁ ହଠାତ୍ ବନ୍ଦୋବସ୍ତ ହୋଇଯିବ, ଏ ବିଶ୍ୱାସ ତାର ଥିଲା । କିନ୍ତୁ ଏ କଣ ? ସୁଶାନ୍ତ କାହାନ୍ତି ? ପରମୁହୂର୍ତ୍ତରେ ପୁଣି ସେ ଆଶ୍ୱାସନା ଦେଲା ନିଜକୁ । ହୁଏତ ସୁଶାନ୍ତ ଡେରିରେ ଷ୍ଟେସନକୁ ବାହାରିଥିବେ ବା ଅନ୍ୟ ରାସ୍ତା ଦେଇ ଯାଇଥିବେ । ଅଳ୍ପବେଳ ପରେ ଫେରି ଆସିବେ । ଝଟକାକୁ ବିଦାୟ ଦେଇ ରଶ୍ମି ବାରଣ୍ଡା ଉପରେ ଜିନିଷ ରଖି ଛିଡ଼ାହେଲା ।

 

କେହି ଜଣେ ଚାକର ସେତିକିବେଳେ ଘର ପଛପଟୁ ଚିଠିଖଣ୍ଡେ ଧରି ଡାକଘର ଉଦ୍ଦେଶ୍ୟରେ ଫାଟକ ଆଡ଼କୁ ଯାଉଥିଲା । ବାରଣ୍ଡାରେ ଆଗନ୍ତୁକାକୁ ଦେଖି ଆଶ୍ଚର୍ଯ୍ୟ ହୋଇ ଦରଖଣ୍ଡିଆ ତେଲଙ୍ଗାଭାଷାରେ କଥାବାର୍ତ୍ତା କରିବାକୁ ଆରମ୍ଭ କଲା । କିନ୍ତୁ ମଝିରେ ମଝିରେ ଓଡ଼ିଆ ପାଟିରୁ ବାହାରି ପଡ଼ୁଥାଏ । ରଶ୍ମି ବୃଦ୍ଧରଏ ତ୍ରୁଟି ଦେଖି ଖୁସି ହେଲା । ସେ ଜାଣିଲା, ଏ ଅଜଣା ଅଚିହ୍ନା ଦେଶରେ ଜଣେ ଅନ୍ତତଃ ଆପଣାର ଲୋକ ଅଛି । ଭୋକିଲା ପାଟିକୁ ଆମ୍ବିଳି ଆମ୍ବ ବି ସୁଆଦ ଲାଗେ । ରଶ୍ମି ସତେଅବା ଭାସିଗଲା ବେଳେ ଗଛ ଡାଳଟି ଆଶ୍ରା ପାଇଛି । ହସି ହସି କହିଲା–‘‘ଦେଖ ନନା, ମୁଁ ତୁମକୁ ଚିହ୍ନି ସାରିଲିଣି । ତୁମେ ଆମ ଓଡ଼ିଶା ମୁଲକରୁ ଆସି ଏଠି ସୁଶାନ୍ତବାବୁଙ୍କ କଥା ବୁଝା ସୁଝା କରୁଚ, ନୁହେ ?’’

 

ଜଣେ ଉଚ୍ଚଶିକ୍ଷିତା ସଂଭ୍ରାନ୍ତବଂଶୀୟା ସୁନ୍ଦରୀ ଯୁବତୀଙ୍କ ମୁହଁରୁ ‘‘ନନା’’ ସମ୍ବୋଧନ ଶୁଣି ବ୍ରାହ୍ମଣର ଆନନ୍ଦର ସୀମା ରହିଲା ନାହିଁ । ଏ ଦେଶକୁ ଆସିଲା ଦିନଠାରୁ ସେ ଏମିତି ମିଠା କଅଁଳିଆ କଥାପାଦେ ଶୁଣି ନ ଥିଲା । ସେ ଗାମୁଛାରେ ତାର ଗୋରା ତକ ତକ ମୁହିଁଟିକୁ ପୋଛି ହସି ହସି କହିଲା, ‘‘ଝିଅ, ଆଉ ଘଣ୍ଟାକ ଆଗରୁ ଆସିଥିଲେ ସାନବାବୁଙ୍କ ସାଙ୍ଗରେ ଦେଖା ହୋଇଥାନ୍ତା । ଏଇନେ ତ ମୋଟରରେ ବାହାରିଗଲେ ।’’ ରଶ୍ମି ପଚାରିଲା–‘‘କେତେବେଳେ ଫେରିବେ ?’’ ଉତ୍କଣ୍ଠା ବଢ଼ିଯାଇଥିଲା । ବୃଦ୍ଧ ମୁଣ୍ଡ ହଲାଇ କହିଲା, ‘‘ଆଜି ତ ନୁହେରେ ମା, ଶନିବାରକୁ ଫେରିବେ, କହି ଯାଇଛନ୍ତି ।’’

 

ରଶ୍ମିର ମସ୍ତକରେ ବଜ୍ରପାତ ହେଲା । ଶନିବାର ! ଆଜିତ ରବିବାର; ଆହୁରି ଛଅଦିନ ସେ କେଉଁଠି କଣ କରିବ ? ସେ ଥକ୍କା ମାରି ନିରାଶ ଭାବେ ଛିଡ଼ା ହେବାର ଦେଖି ବୃଦ୍ଧ ତାକୁ ଆଶ୍ୱାସନା ଦେଇ କହିଲା ଯେ ଘରର ଚାବି ତା ହାତରେ । ସେ ବାହାର ବଖରାଟି ଖୋଲିଦେବ । ରୋଷେଇ କରି ଖାଇବାକୁ ଦେବ । ସାନ ବାବୁଙ୍କର ନିଜର ଲୋକ । ତାକୁ ହଇରାଣ ଦେବାକୁ କଣ ଛାଡ଼ିଦେବ ? ରଶ୍ମିର ଆଖିରେ କୃତଜ୍ଞତା ଫୁଟି ଉଠିଲା । ବୃଦ୍ଧ କହିଲା ‘‘ମା, ତମେ ମୁହଁ ହାତ ଧୋଇ ବସ, ମୁଁ ଏ ଚିଠିଟା ଡାକରେ ପକାଇ ଆସୁଛି । ସାନବାବୁ ଦେଇଛନ୍ତି ଡାକରେ ପକାଇବାକୁ-।’’ ଚିଠିର ଠିକଣାଟା ଦେଖି ରଶ୍ମି ହସି ପକାଇଲା । କହିଲା, ‘‘ନନା, ଚିଠିଟା ଡାକଘରେ ପକାଇବା ଦରକାର ନାହିଁ । ଚିଠିଟା ମୋର । ଦିଅ, କଣ ଲେଖିଛନ୍ତି ଦେଖେ ।’’ ବୃଦ୍ଧ ଅଯଥା ପରିଶ୍ରମରୁ ରକ୍ଷାପାଇ ଚିଠିଟି ବଢ଼ାଇଦେଲା ।

 

ଚିଠିରେ ଲେଖାଅଛି–‘‘ତୁମେ ଯେ ଦିନେ ନା ଦିନେ ମୋ ପ୍ରାର୍ଥନା ଶୁଣିବ ମୁଁ ଜାଣେ । ତୁମେ ଯେଉଁ ପ୍ରତିଶ୍ରୁତି ଦେଇଚ ସେହି କଥାରେ ମୁଁ ବଞ୍ଚି ରହିଚି । କେବେ ସେ ଶୁଭଦିନ ଆସିବ ତୁମେ ଜାଣ । ହଁ–ଏମିତି କଥାଗୁଡ଼ା କହି କହି ତୁମକୁ ବଡ଼ ବିରକ୍ତ କରୁଚି, ନା; ଆଚ୍ଛା, ମୁଁ ଏଣିକି ଆଉ ଏମିତି ପ୍ରଳାପ କରିବି ନାହିଁ । ପରୀକ୍ଷା ତ ମୋଟେ ଦେଢ଼ମାସ ରହିଲା । ତୁମେ ନିଶ୍ଚିନ୍ତ ମନରେ ପରୀକ୍ଷା ଦେଇଦିଅ । ତା ପରେ ବାପା ବୋଉଙ୍କୁ ପୁଣି ମନେଇବାକୁ ଚେଷ୍ଟା କର । ଯଦି ନାହିଁ କରନ୍ତି, ତେବେ ମୁଁ ତେଣିକି ଅନ୍ୟ ଉପାୟ ଭାବିବି । ସେମାନଙ୍କ ମନରେ କାହିଁକି ଆରମ୍ଭରୁ କଷ୍ଟ ଦେବ ?

 

ମୋପାଇଁ ଚିନ୍ତା କରିବ ନାହିଁ । ମୁଁ ବେଶ୍ ଭଲ ଅଛି । ମନ୍ନଥ ମୋର ବାଲ୍ୟବନ୍ଧୁ । ମାନ୍ଦ୍ରାଜରୁ ଆସି ମୋ ପାଖରେ ଚାରିଦିନ ହେବ ଥିଲା । ସେ ଜିଦ୍ ଧରି ବସିଲା ତା ଗାଁକୁ ମତେ ନେବାକୁ । ବାଧ୍ୟହୋଇ ଛୁଟି ନେଇ ଯାଉଛି; ଶନିବାର ଦିନ ଫେରି ଆସିବି ।’’

 

ରଶ୍ମି ଚିଠିରୁ ଆଖିତୋଳି ବୃଦ୍ଧକୁ ପଚାରିଲା, ‘‘ମନ୍ମଥବାବୁ କିଏ ?’’ ବୁଢ଼ା କହିଲା–‘‘ସେ ଆମ ବାବୁଙ୍କର ବଡ଼ ଦୋସ୍ତ । ବଡ଼ ଶିକାରୀ । ଏଥର ପରା ଗୋଟାଏ ମସ୍ତବଡ଼ ମହାବଳ ବାଘର ଛାଲ ଆଉ ମୁଣ୍ଡ ଆଣିଛନ୍ତି । ଏଥର କଣ କଣ ଶିକାର କରିବେ କିଜାଣି । ଦେଖିବ ନି କି ସେମାନେ ଫେରିଲେ ।’’

 

ରଶ୍ମି ପଚାରିଲା–‘‘ତୁମ ବାବୁ ବି ଶିକାର କରିବେ ?’’ ବୁଢ଼ା କହିଲା–‘‘ହଁ । ତାଙ୍କ ହାତ ବି ଖୁବ୍ ପକ୍କା ଯେ ।’’ ରଶ୍ମି ଚିନ୍ତିତ ହୋଇ ପଚାରିଲା–‘‘ତୁମ ବାବୁ ବନ୍ଧୁକ ନେଇଛନ୍ତି ?’’ ବୁଢ଼ା ହସି ଉତ୍ତର ଦେଲା–‘‘ଦି’ଦି’ ଟା ବନ୍ଧୁକ ନେଇଛନ୍ତି । କାଲି ରାତିରେ ଯାଇ କେତେ କିସମର ଗୁଳି ଖରିଦ କରି ଆଣିଲେ । ତାଙ୍କର ତ ଭାରି ସଉକି ସେଥିରେ । ତାହିଁରେ କଣ ନା, ମନ୍ନଥବାବୁ ସାଙ୍ଗକୁ ମିଳିଛନ୍ତି । କେତେ ବାରହା, ସମ୍ବର, ଜିଆଦ, କୁଟୁରା, ମୟୂର, ଚିତା ବୋହି ଆଣୁଚନ୍ତି କିଜାଣି । ତମେ ମା ଭଲ ରୋଷେଇ ଜାଣିଥିବ ତ । ସାହେବି ରନ୍ଧା ରାନ୍ଧିବ । ମୁଁ ସେଗୁଡ଼ା ଜାଣେନି । ହଁ, ମା, ଏ ଚମଡ଼ା ବାକ୍‍ସଟା ତ କଣ ଆମ ବାବୁ ତିଆରି କରାଉଥିଲେ । ତମ ପାଇଁ; ନୁହେଁ ?’’

 

ରଶ୍ମି ଅନ୍ୟମନସ୍କ ଭାବେ ଗୋଟିଏ ‘ହଁ’ କଲା । ତାର ମନେ ହେଲା, ଭୂମିକମ୍ପ ଆରମ୍ଭ ହୋଇ ଯାଇଚି । ସେ ସ୍ଥିରଭାବେ ଛିଡ଼ା ହୋଇ ପାରୁନାହିଁ ।

 

ପୁଣି ଶିକାର ? ରଶ୍ମିକୁ ଏତେ ହତାଦର ? ତା ପାଖରେ ଯେଉଁ ଶପଥ କରିଥିଲେ, ତା ଦେହଛୁଇଁ ଯେଉଁ ପ୍ରତିଜ୍ଞା କରିଥିଲେ, ତାର କିଛି ମୂଲ୍ୟ ନାହିଁ ? ବନ୍ଧୁର ଅନୁରୋଧ ଆଗରେ ରଶ୍ମିର ସବୁ କାକୁତିମିନତି ଭୁଲି ହୋଇଗଲା ? ଜଣେ ବନ୍ଧୁର କଥାରେ ଯଦି ରଶ୍ମିପ୍ରତି ଏତେ ଅବିଚାର, ତେବେ ଶତ ଶତ ବନ୍ଧୁ ଆସି ରଶ୍ମି ବିରୁଦ୍ଧରେ ଛିଡ଼ାହେଲେ ସେ କଣ କରି ପାରିବେ ?

 

ତା ଛଡ଼ା ରଶ୍ମିକୁ ଠକିବାକୁ ଆରମ୍ଭ କଲେଣି । ଅତି ଛୋଟ କଥା ହୋଇପାରେ; ତଥାପି ସତ୍ୟଗୋପନ କରିବାରେ କି ପ୍ରୟୋଜନ ଥିଲା ? କାହିଁ ଶିକାର କଥା ତ କିଛି ଉଲ୍ଲେଖ କରି ନାହାନ୍ତି ? ତେବେ ତା ପରୋକ୍ଷରେ ଗୋଟାଏ କଥା, ପ୍ରତ୍ୟକ୍ଷରେ ଗୋଟାଏ କଥା । ସେ ଆଉ ବିଶ୍ୱାସ କରିବ କେମିତି ?

 

ରଶ୍ମିକୁ ଚାରିଆଡ଼ ଅନ୍ଧକାର ଦେଖାଗଲା । ସେ ଖୁଣ୍ଟକୁ ଆଉଜି ଆଖି ବୁଜି ଛିଡ଼ାହେଲା । ଡାକବାଲା ଆସି ଚିଠିଖଣ୍ଡେ ଦେଇଗଲା । ଏକ୍ସପ୍ରେସ ଡେଲିଭରି ମୋହର ମୁଦା ଚିଠି ସାଧାରଣଚିଠିର ଚବିଶ ଘଣ୍ଟା ପରେ ଆସି ପହଞ୍ଚିଚି । ରଶ୍ମି ଦେଇଥିବା ଜରୁରି ଚିଠିଟି । ଚିଠିଟି ରଶ୍ମି ଟିକି ଟିକି କରି ଚିରି ଫୋପାଡ଼ି ଦେଲା । ରଶ୍ମିର ହଠାତ୍ ଏ ମାନସିକ ବିକୃତି ଦେଖି ବୃଦ୍ଧ ଟିକେ ଶଙ୍କିଗଲା । କିନ୍ତୁ ପୁଣି ଅସହାୟା ଝିଅଟିର ଅସ୍ଥିରତା ଦେଖି ତାକୁ ଆଶ୍ୱାସନା ଦେବାକୁ ଆରମ୍ଭ କଲା । କିନ୍ତୁ କଣ ବୋଲି ସେ ସାନ୍ତ୍ୱନା ଦେବ ? ସେ କି ଜାଣେ ତାର ମନର ଝଡ଼ କଥା !!

Image

 

Unknown

କୁହୁକ-ସ୍ପର୍ଶ

 

ବୀଣାର ଶେଷ ଝଙ୍କାରଟି ବନ୍ଦ ହୋଇଗଲା । ଅଶୋକ ଚମକି ପଡ଼ି ଘଡ଼ିକୁ ଚାହିଁ ଦେଖିଲେ, ସାଢ଼େ ନଅଟା ବାଜିଲାଣି । ନୈରାଶ୍ୟର ଦୀର୍ଘଶ୍ୱାସଟି ସ୍ୱତଃ ବାହାରି ଆସିଲା । ତାଙ୍କର ଏ ଭାବ ଯେ କେହି ଦେଖିଲେ ଭାବିବ ସେ ପାଗଳ । ନ ହୋଇଥିଲେ ସାରାଦିନର ଅବିଶ୍ରାନ୍ତ ପରିଶ୍ରମ ପରେ ମଣିଷ କାମରୁ ଛୁଟି ପାଇ ଆଶ୍ୱସ୍ତିର ନିଃଶ୍ୱାସ ମାରିବ କଅଣ, ସେ ଓଲଟି ଦୁଃଖିତ ହେଉଛନ୍ତି । ସତେ ଯେପରି ସେ ଦିନରାତି କର୍ମ୍ମକ୍ଷେତ୍ରରେ ପଡ଼ିରହିବାକୁ ଲୋଡ଼ୁଛନ୍ତି–ନିଜର ଘର ସଂସାରକୁ ଫେରିଯିବାକୁ ଆଦୌ ସ୍ପୃହା ନାହିଁ । ହୋଇପାରେ, ରହସ୍ୟ କିଛି ଥିବ ।

 

ବେତାର ଯନ୍ତ୍ରରେ ‘‘ଜୟହିନ୍ଦ୍’’ ଶୁଣାଗଲା । ଆଉ ତା ସଙ୍ଗେ ସଙ୍ଗେ ଶିଳ୍ପୀ, ଗାୟକ, ବାୟକ, କର୍ମଚାରୀ ସମସ୍ତେ କୋଳାହଳ କରି ବେତାର କେନ୍ଦ୍ରରୁ ବିଦାୟ ଘେନି ଚାଲିଗଲେ । ଏକା ବସି ରହିଲେ ଟେବୁଲ୍ ପାଖରେ ଅଶୋକ । ହାତରେ ତାଙ୍କର ଅସମ୍ପୂର୍ଣ୍ଣ କବିତାଟିଏ । ମାନସୀର ଅନୁପମ ରୂପ ବର୍ଣ୍ଣନା ସରିଛି । କବି ମନ ଭୁଲା ରୁଚିର ବେଶଭୂଷାର ଆଭାସ ଦିଆ ହେଉଛି ମାତ୍ର-। କବରୀରେ ମଲ୍ଲିକାମାଳା–କପାଳରେ ଲୋହିତ କୁଙ୍କୁମ ବିନ୍ଦୁ–ସୁବଳିତ ଅଙ୍ଗର ବିଭବକୁ ସମ୍ପୂର୍ଣ୍ଣଭାବେ ଆବୃତ କରି ରଖିବାକୁ ଅକ୍ଷମ ଝୀନ ବସନ..... ଇତ୍ୟାଦି କେତୋଟି ଭାବ କବିତାର ସୁଲଳିତ ଛନ୍ଦରେ ରୂପାୟିତ ହୋଇ ଉଠୁଛି । ଏତିକିବେଳେ ଦରଓ୍ୟାନ ବତୀ ଲିଭାଇ କବାଟ ବନ୍ଦ କରିବ ବୋଲି ସେଠାକୁ ଆସିଲା । ପଚାରିଲା–ବାବୁ, ‘‘ଆଜି କଅଣ ଘରକୁ ଯିବେ ନାହିଁ କି-?’’

 

ଅଶୋକ କଳ୍ପନାରାଜ୍ୟରୁ ବାସ୍ତବ ଜଗତକୁ ଫେରି ଆସିଲେ । ତାଙ୍କୁ ବର୍ତ୍ତମାନ ଷ୍ଟୁଡ଼ିଓ ଛାଡ଼ି ନିଜ ନୀଡ଼କୁ ଫେରି ଯିବାକୁ ହେବ । ନୀଡ଼ ? ତାଙ୍କର ଭ୍ରୂକୁଞ୍ଚିତ ହେଲା । ମୁଖମଣ୍ଡଳ ଛାୟାଙ୍କିତ । ଅଶୋକ ପୁଣି ଥରେ ନିଜ ହାତ ବନ୍ଧା ଘଡ଼ିକୁ ଚାହିଁଲେ । ନଅଟା ଚାଳିଶ ମାତ୍ର । ପ୍ରତିକୂଳ ବାତାବରଣ ମଧ୍ୟରେ ତାଙ୍କୁ ଆହୁରି ନଅଘଣ୍ଟା କୋଡ଼ିଏ ମିନିଟ ଅତିବାହିତ କରିବାକୁ ହେବ । ସକାଳ ସାତଟାରେ ସେ କର୍ମକ୍ଷେତ୍ରରେ ଆସି ଉପସ୍ଥିତ ହେବା ପର୍ଯ୍ୟନ୍ତ ତାଙ୍କୁ ପିଞ୍ଜିରାବଦ୍ଧ ସଦ୍ୟପାଳିତ ପକ୍ଷୀଟି ପରି ଛଟପଟ ହେବାକୁ ପଡ଼ିବ ସିନା । ନା, ଯେତେଦୂର ସମ୍ଭବ ସେ ବାହାର ଜଗତରେ ରହିବାକୁ ଚେଷ୍ଟା କରିବେ । ସିନେମା ସେକେଣ୍ଡ ସୋ ପାଇଁ ଆଉ ଅଳ୍ପ ସମୟ ବାକୀ । ସାଇକଲ୍ ଛୁଟିଲା ସେହି ଦିଗରେ ।

 

ବୀର ବିଜୟୀ ବେଶରେ ନାୟକ ଫେରି ଆସିଛି ରଣକ୍ଷେତ୍ରରୁ । ତାକୁ ଅଭ୍ୟର୍ଥନା କରିବା ପାଇଁ କି ବିପୁଳ ଆୟୋଜନ ! ଗୃହର ସାଜସଜ୍ଜା ଆଡ଼ମ୍ବରମୟ । ଖାଦ୍ୟପେୟର ବ୍ୟବସ୍ଥା ଲୋଭନୀୟ । ସମସ୍ତଙ୍କ ମୁଖ ଉତ୍‍ଫୁଲ୍ଲ । ବିଶେଷତଃ ନାୟିକାର ଅନ୍ତରର ଦୀପ୍ତିରେ ସମସ୍ତ ପ୍ରାସାଦଟି ସତେ ଯେପରି ଉଦ୍ଭାସିତ ହୋଇ ଉଠୁଛି । ସମସ୍ତ ଆୟୋଜନ ସରିଛି । ନାୟିକାର ବେଶି ପରିପାଟୀ, କେଶବିନ୍ୟାସ ଅତି ଚମତ୍କାର । କିନ୍ତୁ ସେ ନିଜ ପ୍ରତିକୃତି ଦର୍ପଣରେ ଦେଖି ଅତୃପ୍ତି ପ୍ରକାଶ କଲା । କିଛି ଯେପରି ଅପୂର୍ଣ୍ଣ ରହିଯାଇଛି । ସେ କ୍ଷିପ୍ରଗତିରେ ଯାଇ ପୁଷ୍ପୋଦ୍ୟାନରେ ପହଞ୍ଚିଲା । ଚମ୍ପକ କଳିକା କେତୋଟି ଆହରଣ କରି କବରୀଟିକୁ ସଜାଇବା ପରେ ସେ ବୁଝିଲା, ବର୍ତ୍ତମାନ ସେ ତା ପ୍ରିୟତମକୁ ସ୍ୱାଗତ ଜଣାଇବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ । ଚମ୍ପକ କଳିକା ନ ହୋଇ ମଲ୍ଲିକାମାଳା ବା ଗୋଲାପ ଗୁଚ୍ଛ ହୋଇଥିଲେ ହୁଏତ ଅଧିକ ମନୋରମ ହୋଇଥାଆନ୍ତା; କିନ୍ତୁ ନାୟିକାର ସେଥିପ୍ରତି ଦୃଷ୍ଟି ନାହିଁ । ଏହି ଚମ୍ପକ କଳିକା ଅନ୍ୟ କାହା ପାଇଁ ଯେତେ ସାମାନ୍ୟ ହେଉ ନା କାହିଁକି ନାୟିକା ପାଇଁ ତାହା ଅମୂଲ୍ୟ ନିଜ ଉଦ୍ୟାନରେ ଏହା ଅଲଭ୍ୟ ହୋଇଥିଲେ ସେ ଦୂର ଦେଶାନ୍ତରରୁ ଏହା ସଂଗ୍ରହ କରିଥାଆନ୍ତା । କେଉଁ କରୁଣ ନୀରବ ସନ୍ଧ୍ୟାର ସ୍ମୃତି ସହିତ ଏହି ଚମ୍ପକ ନିବିଡ଼ ଭାବେ ବିଜଡ଼ିତ ତାକୁ ଧରିରଖିବା ପାଇଁ ନାୟିକାର ଏହି ପୁଷ୍ପ ପ୍ରତି ହୁଏ ପ୍ରଗାଢ଼ ଆସକ୍ତି । ବିଦାୟ ବେଳାରେ ନାୟକ ନିଜ ହାତରେ କେତୋଟି କଳିକା ତା କୃଷ୍ଣକୁନ୍ତଳ ମଧ୍ୟରେ ସଜାଡ଼ି ରଖି ତୁନି ତୁନି କହିଥିଲା–‘‘ତୁମେ ଚମ୍ପକ ଗୋରୀ ନା, ସେଥିପାଇଁ ଏହି ଚମ୍ପାକଢ଼ ତୁମକୁ ବେଶ୍ ସାଜୁଛି ।’’

 

ଅଶୋକଙ୍କ ମନ ବିଚଳିତ ହୋଇ ପଡ଼ିଲା । ରୂପେଲି ପର୍ଦ୍ଦା ଉପରେ ତାଙ୍କର ଦୃଷ୍ଟି ସ୍ଥିର ଥିଲେ ସୁଦ୍ଧା ହୃଦୟ ଆଲୋଡ଼ିତ ହେବାକୁ ଲାଗିଲା । ନାୟକ ୠଣକ୍ଷେତ୍ରରୁ ଫେରିବ ବୋଲି ପ୍ରତୀକ୍ଷାରେ ନାୟିକାର ଯେଉଁ ଆକୁଳତା, ପ୍ରିୟତମର ତୁଷ୍ଟି ପାଇଁ ଯେଉଁ ଆନ୍ତରିକ ପ୍ରଚେଷ୍ଟା ଏହା କଅଣ କେବଳ ରଙ୍ଗମଞ୍ଚରେ ସମ୍ଭବ ? ଏହା କଅଣ କେବଳ ଅଭିନୟରେ ଆବଦ୍ଧ ? ବାସ୍ତବ ଜୀବନରେ ଏହାର ସ୍ଥାନ କେଉଁଠି ? କେତେଜଣ ସ୍ତ୍ରୀ ନିଜ ସ୍ୱାମୀର ଫେରି ଆସିବା ବାଟକୁ ଚାହିଁ ବସି ଥାଆନ୍ତି ? ସ୍ୱାମୀର ମନୋରଞ୍ଜନ ପାଇଁ ନିଜକୁ ରୂପଗୁଣରେ ସୁନ୍ଦର କରି ରଖିବାକୁ ଚେଷ୍ଟା କରନ୍ତି ? ପୁରୁଷ ଯେଉଁ କଠିନ ପରିଶ୍ରମରେ ଘର୍ମାକ୍ତ ହୋଇଥାଏ ତାହା କାହା ସକାଶେ ? ଜୀବନ ସଂଗ୍ରାମରେ ସେ ଯେ ନିତି ଲଢ଼ି ଲଢ଼ି କ୍ଲାନ୍ତଶ୍ରାନ୍ତ ହୋଇ ଫେରେ ସେତେବେଳେ ସେ କି ପ୍ରକାର ଅଭ୍ୟର୍ଥନା ପାଇଥାଏ ?

 

ରାତି ପ୍ରାୟ ସାଢ଼େ ବାରଟା । ଦ୍ୱାରଦେଶରେ ମୃଦୁ କରାଘାତ । ଅଶୋକ ମୁହଁ ଫିଟାଇ ପାଞ୍ଚ ଛଅ ଥର ଡାକିବା ପରେ ଦୁଆର ଖୋଲିଲା । ଖୋଲି ଦେଇଗଲା ଚାକର ଟୋକା ଦାମା ।

 

ଅଶୋକ ଶଯ୍ୟା ନିକଟରେ ଡାକିଲେ–ମଞ୍ଜୁ, ମଞ୍ଜୁ, ଉଠ–ଗାଇବା ଚାଲ ।

ବିରକ୍ତମିଶା ଗଳାରେ ଉତ୍ତର ମିଳିଲା–ନା, ମୁଁ ଖାଇବି ନାହିଁ ।

ଅଶୋକ ବିଛଣା ଉପରକୁ ଝୁଙ୍କିପଡ଼ି ପଚାରିଲେ–‘‘କାହିଁକି ?’’

‘‘ଅଧ ରାତିରେ ଖାଇବା ମୁଁ ପସନ୍ଦ କରେ ନାହିଁ ବୋଲି ।’’

‘‘ଆରେ, ସବୁବେଳେ କଅଣ ଅଧରାତି ହେଉଚି–ଆଜି, ପରା ଟିକେ ସିନେମା ଚାଲି ଯାଇଥିଲି ।’’

‘‘ହଁ, କଥା ବେଶ ବନେଇ କହିପାର ତ । ମୁଁ ଜାଣେ ତୁମେ ଆଜିକାଲି କୁଆଡ଼େ ଯାଉଚ, କଣ କରୁଚ । ତୁମର ଏତେ କୈଫିୟତ ଦେବା ଦରକାର ନାହିଁ ।’’

ଅବିଶ୍ୱାସ ଓ ସନ୍ଦେହର ସୃତ୍ରପାତ ହେଲା । ଅଗ୍ନିର ଏହି କ୍ଷୀଣ ଶିଖାଟିକୁ ଆଦ୍ୟରୁ ନିର୍ବାପିତ କରି ନ ପାରିଲେ ଯେ ତାହା ଦିନେ ସର୍ବଭୁକ୍ ଅନଳର କରାଳ ରୂପରେ ଅଶେଷ କ୍ଷତି କରିବ ସେ କଥା ଜାଣି ସୁଦ୍ଧା ଅଶୋକ ନୀରବ ରହିଲେ । କାରଣ ? ଔଦାସୀନ୍ୟ । ଉଚ୍ଚକୋଟି ଭାବନାରେ ସେ ସବୁବେଳେ ଲିପ୍ତ ଥାଆନ୍ତି । ନିମ୍ନସ୍ତରକୁ ଆସିବାକୁ ସେ ଘୃଣା କରନ୍ତି । ସୌନ୍ଦର୍ଯ୍ୟପିପାସୁ ମନ ତାଙ୍କର ସବୁଠାରେ ସୌନ୍ଦର୍ଯ୍ୟର ସନ୍ଧାନରେ ଥାଏ । ଯେଉଁଠାରେ କିଛି ଅସୁନ୍ଦର, କୁତ୍ସିତ ଇଙ୍ଗିତ ପାଆନ୍ତି ବା କୌଣସି ଅରୁଚିକର, ଅବାଞ୍ଛନୀୟ ବିଷୟର ସମ୍ମୁଖୀନ ହୁଅନ୍ତି ସେଠାରୁ ତତ୍‍କ୍ଷଣାତ୍ ଗତି ବଦଳାଇ ଦେବାକୁ ସେ ସବୁବେଳେ ଚେଷ୍ଟା କରନ୍ତି । ଏହା ତାଙ୍କର ଦୋଷ ହୋଇ ଥାଇ ପାରେ; କିନ୍ତୁ ଏହା ଯେ ଆଜନ୍ମ ପ୍ରବୃତ୍ତି ।

ଛୋଟ ଦୋତାଲା ଘରଟି । ବାହାର ସୁନ୍ଦର । ଭିତରଟା ମଧ୍ୟ ସୁନ୍ଦର ହୋଇ ପାରିଥାଆନ୍ତା; କିନ୍ତୁ ହୋଇନାହିଁ । ଅଗଣା ମଝିରେ ସକାଳର ଅଳିଆ ଜମାହୋଇ ରହିଚି । ଦୁଇବର୍ଷର ପିଲାଟି ସେହି ଅଳିଆ ଭିତରୁ କୟାଁ ମଞ୍ଜି କେତୋଟି ସାଉଁଟୁଛି । ମଇଳା ଫ୍ରକ୍‍ ଖଣ୍ଡେ ପିନ୍ଧିଚି । ମୁଣ୍ଡରେ କେତେଦିନ ହେଲା ତେଲ ଟିକେ ବାଜି ନାହିଁ । ଦିନ ପ୍ରାୟ ଏଗାରଟା; କିନ୍ତୁ ରୋଷେଇଶାଳରେ କାର୍ଯ୍ୟ ବ୍ୟସ୍ତତାର ଆଭାସ ନାହିଁ । ହୁଏତ ରୋଷେଇ ଆରମ୍ଭ ହୋଇନାହିଁ । ତଳଘରେ ଯେଉଁ ପ୍ରଶସ୍ତ କୋଠରୀଟି ଆଗନ୍ତୁକମାନଙ୍କର ଦୃଷ୍ଟି ଆକର୍ଷଣ କରେ ତା ଭିତରେ ଆସବାପତ୍ର ଅନେକ ଗୁଡ଼ାଏ ରହିଚି; କିନ୍ତୁ କିଛି ନ ଥିଲେ ବୋଧହୁଏ ଭଲ ହୋଇ ଥାଆନ୍ତା । କାରଣ ପ୍ରତ୍ୟେକଟି ଜିନିଷ ଧୂଳିର ଆଧାର ହୋଇ ରହିଛି । ଘର ଛାତିରୁ ଅଳନ୍ଧୁ ଲମ୍ବିଆସି ମଶାରୀ ବାଡ଼କୁ ଛୁଇଁଲାଣି । ରାତିର ଶେଯ ଏ ଯାଏ ସଜଡ଼ା ଯାଇନାହିଁ । ଅଲଗୁଣିରେ ଲୁଗାପଟା ଅଯତ୍ନରେ ରହିଚି । କେତେ ତଳେ ଲୋଟି ପଡ଼ିଚି ।

ବାହାର ପିଣ୍ଡାରେ ଜୋତାଶବ୍ଦ । କେହି ଦୁଇଜଣ ଆସିଚନ୍ତି । ପୁରୁଷ ଜଣକ ବାହାରେ ଅପେକ୍ଷା କଲେ । ସ୍ତ୍ରୀ ସୁଷମା ଦେବୀ ଘର ଭିତରକୁ ପଶି ଆସିଲେ । ମାର୍ଜିତ ରୁଚିର ବେଶ ପରିପାଟୀ, କଥା କହିବା ଭଙ୍ଗୀରେ ଶିକ୍ଷାସଂସ୍କୃତିର ପରିଚୟ ମିଳେ । ସୁଷମା ଦେବୀ ମଞ୍ଜୁଳାକୁ ଦେଖି ଯେତିକି ଆନନ୍ଦିତ ହେଲେ ସେତିକି ନିରାଶ ମଧ୍ୟ ହେଲେ । ମଳିନ ମୁହଁରେ ତାର ହସ ନାହିଁ-। ଆଖିରେ ବିରକ୍ତିର ଚାହାଣୀ । ପରିଧେୟ ଖଣ୍ଡେ ତେଲଚିକିଟା, ହଳଦି, ହାଣ୍ଡି କଳାରେ ଚିତ୍ରିତ ମଇଳା ଶାଢ଼ୀ । ତାକୁ ବି ଯେପରି ଭାବେ ପିନ୍ଧିଚି ତାହା ଭାରତର କେଉଁ ପ୍ରଦେଶର ବୈଶିଷ୍ଟ ବୁଝାଯାଉ ନାହିଁ । ପିନ୍ଧିଚି କହିଲେ ଠିକ ହେବ ନାହିଁ; ଶରୀର ଆଚ୍ଛାଦନ କରିଛି ମାତ୍ର । ମୁଣ୍ଡବନ୍ଧା ହୋଇନାହିଁ । ମଥାର ସିନ୍ଦୂର ବିନ୍ଦୁ ରେଖାରେ ପରିଣତ ହେଲାଣି ।

ଖୁସି ଗପ କରୁ କରୁ ପ୍ରାୟ ବାରଟା ବାଜିଲା । ବାହାରେ ଦୁଇଜଣ ପୁରୁଷଙ୍କ ଗଳା ଶୁଣିପାରି ସୁଷମା ଟିକେ ଚଞ୍ଚଳ ହୋଇ ଉଠି କହିଲେ–‘‘ମଞ୍ଜୁ, ଅଶୋକ ବାବୁ ଫେରିଲେଣି ପରା । ତୁମେ ଯାଅ, ତାଙ୍କ କଥା ବୁଝିବ ।’’

ତାଙ୍କ କଥା ବୁଝିବି କଅଣ ମ ? ସେ କଅଣ ଛୁଆଟି ହୋଇଚନ୍ତି କି ?

 

ଆରେ, ତାଙ୍କ ଖିଆପିଆ–

 

ସେ ଖାଉ ଖାଉ ଦି’ଟା ବାଜିବ । ଏବେ ରୋଷେଇ ତ ହୋଇନାହିଁ ।

 

ତଥାପି ତାଙ୍କର କଣ ଦରକାର ଥିବ–ସେ କଥା ଶୁଣି ଆସିବ ଯାଅ । ଆଚ୍ଛା, ତୁମେ ଯେଉଁ ବେଶରେ ଅଛ, ତାକୁ ବି ପାଳଟିବ ନାହିଁ ?

 

ମଞ୍ଜୁ ଏକଥା ନାପସନ୍ଦ କରି କହିଲା–ତାଙ୍କୁ ଦେଖାଇବା ପାଇଁ ଏଇନା ସଜବାଜ ହେବି ନା କଅଣ ? ଆମେ କଅଣ ଏଇ ନୂଆ ବାହା ହେଇଚୁ କି ? ପୁରୁଣା ହୋଇ ଗଲୁଣି, ପିଲାର ମାଆ ହେଲିଣି–ଏବେ କି ସଉକ କରିବି ?

 

ସୁଷମା ଏ ଉତ୍ତରରେ ବ୍ୟଥିତା ହେଲେ । ବୟସରେ ସେ ମଞ୍ଜୁଠାରୁ ଯଥେଷ୍ଟ ବଡ଼ । ଇଚ୍ଛା ହେଲା, ବଡ଼ ଭଉଣୀ ପରି ତାକୁ ଦି ପଦ କଡ଼ା କଥା କହି ଚେତାଇ ଦେବାକୁ ଯେ ତାର ଏ ମନୋଭାବ ଶେଷକୁ ତାର ଅଭାବନୀୟ ଅକଲ୍ୟାଣ କରିବ; ଆତ୍ମଘାତୀ ପନ୍ଥା ସେ ଅନୁସରଣ କରୁଛି ମାତ୍ର । କିନ୍ତୁ କ୍ଷଣିକ ଉତ୍ତେଜନାକୁ ଦମନ କରି ସେ ନରମ ଗଳାରେ ତାକୁ ଉପଦେଶ ଦେବାକୁ ଆରମ୍ଭ କଲେ । ଫଳରେ ମଞ୍ଜୁଳାର ମୁଖରେ ଯେଉଁ ପ୍ରତିକ୍ରିୟା ପ୍ରତିଫଳିତ ହେଲା ତାହା ଲକ୍ଷ୍ୟ କରି ସୁଷମା ଶୀଘ୍ର ବିଦାୟ ନେବା ବାଞ୍ଛନୀୟ ମନେ କଲେ ।

 

ଦିନକର ଘଟଣା । ଶ୍ରାବଣର ଅବିଶ୍ରାନ୍ତ ଧାରା ବର୍ଷଣ । ନିଜ କୋଠାରୀଟି ଭିତରେ ଏକାକୀ ଚିନ୍ତାମଗ୍ନ ଅଶୋକ । ହାତରେ ଲେଖନୀ, କିନ୍ତୁ ନିଷ୍କ୍ରିୟ । ଭାବନା ସ୍ରୋତ କେଉଁଠି ଯେପରି ଟିକେ ଅଟକି ଯାଇଚି । ସେ ଭାଷାରେ ତାହା ପ୍ରକାଶ କରି ପାରୁ ନାହାନ୍ତି । ସେ ଚାହାନ୍ତି ପ୍ରେରଣା-। ପ୍ରଦୀପର ଶିଖା କ୍ଷୀଣ ହୋଇ ଆସୁଚି–ଆବଶ୍ୟକ, ସ୍ନେହ । ପୁଣି ସେ ନବଦୀପ୍ତିରେ ପ୍ରଜ୍ୱଳିତ ହୋଇ ଉଠିବ । ଶକ୍ତିରୂପିଣୀ ନାରୀର ସୁକୋମଳ କର ସ୍ପର୍ଶରେ ସଞ୍ଚରି ଉଠିବ ଅପୂର୍ବ ଓଜ–ଜାଗ୍ରତ ହେବ ସୁସୁପ୍ତ ପ୍ରତିଭା । ଅଶୋକ ଲୋଡ଼ିଲେ ସେହି ଶକ୍ତିଦାୟିନୀ ନାରୀର ସାନ୍ନିଧ୍ୟ ।

 

ମଞ୍ଜୁ ସହିତ ଦିନ ଦି ପ୍ରହରଠୁ ତାଙ୍କର ଦେଖା ହୋଇ ନାହିଁ । ହୁଏତ ସେ ନିଜେ ତା ପାଖକୁ ଯାଇପାରି ନାହାନ୍ତି–ବଡ଼ କାର୍ଯ୍ୟବ୍ୟସ୍ତ ଥିଲେ । କିନ୍ତୁ ମଞ୍ଜୁ ଥରେ ବି ଆସିନାହିଁ ତାଙ୍କ କଥା ବୁଝିବାକୁ । ସନ୍ଧ୍ୟା ଟପି ଯାଇଚି । ଅଶୋକ ବଡ଼ ଅସ୍ଥିର ହୋଇ ଉଠିଲେ । ମଞ୍ଜୁକୁ ଡାକି ଦେବାପାଇଁ ଦାମକୁ ପଠାଇ ଦେଇ ଉତ୍ସୁକ ନୟନରେ ଚାହିଁ ରହିଲେ ମଞ୍ଜୁର ପ୍ରତୀକ୍ଷାରେ ।

 

କୁନିର ଚିତ୍କାରରେ ଅଶୋକ ଚମକି ଚାହିଁଲେ । ମଞ୍ଜୁ କୁନିର ହାତକୁ ଧରି ଘୋଷାଡ଼ି ଘୋଷାଡ଼ି ଆଣୁଚି । କୁନି ମା’ର ପଣତ କାନିକୁ ଧରି ଭୂଇଁରେ କାନ୍ଦି କାନ୍ଦି ଲୋଟି ଯାଉଚି । ଗୋଟିଏ ସୁର ଧରିଚି ‘ମା, ମତେ ମିଠେଇ ଦେ ।’ ମଞ୍ଜୁ ବିରକ୍ତ ହୋଇ ଦି ବିଧା କସି ସାରିଲାଣି ଝିଅ ପିଠିରେ । ମଞ୍ଜୁକୁ ଚାହିଁ ଦେଇ ଅଶୋକ ମ୍ରିୟମାଣ ହୋଇ ପଡ଼ିଲେ । ନୈରାଶ୍ୟର ଚାହାଣୀ ସ୍ଥିର ରହିଲା ମଞ୍ଜୁର ଅରୁଚିକର ବେଶ ଉପରେ । ଦିନ ସାରା ସେ ଇମିତି କଅଣ କାର୍ଯ୍ୟବ୍ୟସ୍ତ ଥିଲା ଯେ ମୁଣ୍ଡ ବାନ୍ଧିବାକୁ ବା ଶାଢ଼ୀଟା ଭଲଭାବେ ପିନ୍ଧିବାକୁ ସମୟ ପାଇଲା ନାହିଁ ? ତା ଛଡ଼ା ଅଶୋକର ହୃଦୟର ବାଣୀ ବୁଝି ପାରୁଛି ତ ? ଅଶୋକ ସନ୍ଦିଗ୍ଧ ଚିତ୍ତରେ ତାକୁ ଚାହିଁ ରହିଲେ । ମଞ୍ଜୁ ସେ ଚାହାଣୀ ନିକଟରେ ସବୁବେଳେ ଅସ୍ୱସ୍ତି ଅନୁଭବ କରେ । ଆଜି ବି ସେ ଟିକେ ବିଗଳିତ ହୋଇ କହିଲା–‘‘କାହିଁକି ମତେ ଡାକୁଥିଲ ? କଅଣ ଏମିତି ଜରୁରୀ କାମ ଥିଲା କି ? ଘର ଜଞ୍ଜାଳ, ପିଲା ଜଞ୍ଜାଳ, ତା ସାଙ୍ଗକୁ ତୁମ ଜଞ୍ଜାଳ ବଳି ପଡ଼ୁଚି । ସତରେ ଏ କୁନି ମୋ ପ୍ରାଣ ଖାଇଲାଣି । କି ଅଝଟ ଅମାନିଆ ପିଲାଟା । ତା ଜ୍ୱାଳାରେ ମତେ ଏ ଘର ଛାଡ଼ି କୁଆଡ଼େ ପଳାଇବାକୁ ଇଚ୍ଛା ହେଉଚି–’’

 

ଅଶୋକଙ୍କର ଆଉ ଶୁଣିବାକୁ ଧୈର୍ଯ୍ୟ ନ ଥିଲା । ନାରୀକୁ ପ୍ରେୟସୀ ଓ ଜନନୀର ଆଦର୍ଶ ରୂପରେ ଦେଖିବା ତାଙ୍କ ଅଦୃଷ୍ଟରେ ନ ଥାଇ ପାରେ । ସେ ଗମ୍ଭୀର ହୋଇ କହିଲେ–‘‘ଯାଅ, କଅଣ କରୁଥିଲ କରିବ ଯାଅ । ମୁଁ ଆଉ ତୁମକୁ ବ୍ୟସ୍ତ କରିବି ନାହିଁ । ମତେ ଟିକେ ଏକା ଛାଡ଼ିଦିଅ–ଭାବିବାକୁ ଦିଅ–’’ । ଏ ବ୍ୟବହାରରେ ମଞ୍ଜୁ ଆହୁରି ବିରକ୍ତ ହୋଇ ସେଠାରୁ ଚାଲି ଯାଉଥିଲା । ଅଶୋକ ପଛରୁ ଡାକି ପୁଣି କହିଲେ–‘‘ମଞ୍ଜୁ, ତୁମେ ସୁଷମା ଦେବୀଙ୍କଠୁ କଅଣ କିଛି ଶିଖି ପାରୁନ ? ତାଙ୍କୁ ଟିକେ ଅନୁକରଣ କରିବାକୁ ଚେଷ୍ଟା କର । ଭିତର କଥା ମୁଁ କହୁନାହିଁ–ଅନ୍ତତଃ ବାହାରଟା ସଜାଇ ରଖ । ତୁମର ଲାବଣ୍ୟ ଅଛି; ତାକୁ ଲୁଚାଇ ନ ରଖି ପ୍ରକାଶ କର । ମତେ ଖୁସି କରିବା କଣ ତୁମର କର୍ତ୍ତବ୍ୟ ନୁହେ ?’’

 

ମଞ୍ଜୁ ଏ କଥାରେ ଆଘାତ ପାଇଲା । ସେ କହିଲା, ‘‘ବାହ୍ୟ ସୌନ୍ଦର୍ଯ୍ୟ ଦେଖି ଯେ ମୁଗ୍ଧ ହୁଏ ସେପରି ଲୋକକୁ ସନ୍ତୁଷ୍ଟ କରିବା ମୋ ଜନ୍ମର ଉଦ୍ଦେଶ୍ୟ ନୁହେ । ମୁଁ ଜାଣେ, ତୁମକୁ କେବେ ସନ୍ତୁଷ୍ଟ କରି ପାରିବି ନାହିଁ । ଯେ ପାରିବ ସେ....’’ ଆଉ ସେ କହି ପାରିଲା ନାହିଁ । କୋହ ଚାପିଧରି ଦୌଡ଼ି ଚାଲିଗଲା ।

 

ଚଞ୍ଚଳା ମଞ୍ଜୁର ଦୁଃଖ ବୁଝେ; ତା ଅଭିମାନକୁ ମୂଲ୍ୟ ଦିଏ । ସେ ଭାବେ, ଅଶୋକ ଅବୁଝା, ଏକଜିଦିଆ । ସେଥିପାଇଁ ମଞ୍ଜୁର ଦୋଷ ଧରୁଚନ୍ତି । ମଞ୍ଜୁର ପ୍ରତ୍ୟେକ କଥାକୁ ସମର୍ଥନ କରିବା ଚଞ୍ଚଳାର ଗୋଟିଏ ଅଭ୍ୟାସ । ସେଦିନ ଖରାବେଳେ ଦିହେଁ ଯାଇ ବସିଥିଲେ ଚଞ୍ଚଳାର ବାରିପଟ ବଗିଚାରେ, ଝଙ୍କା ଆମ୍ବଗଛ ଛାଇତଳେ । ଦୁହିଁଙ୍କର ମୁହଁ ପୋଖରୀ ଆଡ଼େ ଥିଲା । ମଞ୍ଜୁର ଆଖିରୁ ଲୁହ ପୋଛିଦେଇ ଚଞ୍ଚଳା କହିଲା–‘‘ସତେ ଭଉଣୀ, ଅଶୋକ ବାବୁଙ୍କର ଏ ବଡ଼ ଅନ୍ୟାୟ । ତୁ ତ ତୋର କର୍ତ୍ତବ୍ୟ କରୁଚୁ–ଘରଧନ୍ଦାରେ ଦିନ କାଟୁଚୁ–ତୋର ବା ବେଳ କାହିଁ ତାଙ୍କ ନୟନ-ପ୍ରୀତିକର ହେବାକୁ ?’’

 

‘ନୟନ-ପ୍ରୀତିକର’ ପଦ ଯୋଡ଼ିକ ଉଚ୍ଚାରଣ କରିବାରେ ଚଞ୍ଚଳାର ମସ୍ତିଷ୍କରେ କ’ଣ ଗୋଟାଏ ପୁରୁଣା ସ୍ମୃତି ଜାଗି ଉଠିଲା । ସେ ଅତି ଆଗ୍ରହରେ ଘର ଭିତରକୁ ଦୌଡ଼ି ଯାଇ ଖଣ୍ଡେ ପୁରୁଣା ଖବର କାଗଜ ଧରି ଆସିଲା । ମଞ୍ଜୁକୁ କହିଲା, ‘ପ୍ରଜାତନ୍ତ୍ର’ ‘ନାରୀଜଗତ’ରେ କଅଣ ଲେଖାଅଛି ଶୁଣ । ‘‘ଯଦି ସ୍ତ୍ରୀ ସ୍ୱାମୀର ନୟନ-ପ୍ରୀତିକର ହେବାକୁ ଚେଷ୍ଟା କରେ ସେ ଆଉ ଘର ଓଳାଇ ପାରିବ ନାହିଁ କି ଗୋରୁଙ୍କ ଯତ୍ନ ନେଇ ପାରିବ ନାହିଁ । ଯେଉଁ ସ୍ୱାମୀ ନୟନପ୍ରୀତିକର ପ୍ରେମ ଉପରେ ନିର୍ଭର କରି ସ୍ତ୍ରୀ ଉପରେ ସ୍ନେହ ସୋହାଗ ଢାଳିପାରେ ସେ ସ୍ୱାମୀ ସ୍ୱାମୀ ନୁହେଁ–ସେ ସ୍ୱାମୀ ରୂପ ବିଳାସୀ–କାମନା ସମ୍ଭୋଗୀ ।’’

 

ମଞ୍ଜୁଳାର ନିଜ ଭାବନାର ପ୍ରତିଧ୍ୱନି ମାତ୍ର ସେ ଶୁଣି ପାରିଲା । ଆଶ୍ୱସନା ପାଇ କହି ପକାଇଲା–‘‘ହଁ ଲୋ । ଏସବୁ ଅକ୍ଷରେ ଅକ୍ଷରେ ସତ । ପ୍ରକୃତ ପ୍ରେମ ଥିଲେ କଅଣ ସେ ଏତେ ଛୋଟ ଛୋଟ କଥା ଲକ୍ଷ୍ୟ କରନ୍ତେ ? ଆନ୍ତରିକ ସ୍ନେହ ନ ଥିବାରୁ ସିନା ବାହ୍ୟ ଆଡ଼ମ୍ବରକୁ ଲୋଡ଼ୁଛନ୍ତି । ନା, ନା, ମୋର ସେଠି ଆଉ ସ୍ଥାନ ନାହିଁ । ମତେ ଗୋଟାଏ କିଛି କରିବାକୁ ପଡ଼ିବ । ନ ହେଲେ ମୋ ଜୀବନ ବ୍ୟର୍ଥ ହୋଇଯିବ ସିନା । ଆଚ୍ଛା ବନ, ତୁ ତ ରମେଶ ବାବୁ କଂଗ୍ରେସ କର୍ମୀଙ୍କୁ ଭଲ ଭାବେ ଜାଣୁ । ତାଙ୍କ ସାଥିରେ ଟିକେ ମୋ ବିଷୟ କଥାବର୍ତ୍ତା କରି ସେହି ଆଶ୍ରମରେ କିଛି ଗୋଟାଏ ବନ୍ଦୋବସ୍ତ କରି ପାରନ୍ତୁ ତ ତେବେ ଜାଣନ୍ତି ତୁ ମୋର ପ୍ରକୃତ ବନ୍ଧୁ । ନିରାଡ଼ମ୍ବର ସରଳ ଜୀବନ କଟାଇ ଦେଶ ସେବାରେ ଜୀବନ ଉତ୍ସର୍ଗ କରି ଦିଅନ୍ତି ।’’

 

ହୃଦୟ ବେଗରେ ଗଦ ଗଦ ହୋଇ ଚଞ୍ଚଳା କହିଲା, ‘‘ହଁ ମଞ୍ଜୁ, ତୋ ଭଳି ମୋ ଭଳି ଝିଅଙ୍କର ସ୍ଥାନ ସେହିଠାରେ । ଆଶ୍ରମ କର୍ମୀମାନଙ୍କର ଆଦର୍ଶରେ ନିଜକୁ ଗଢ଼ିନେବା ଆମପାଇଁ କଷ୍ଟକର ହେବନାହିଁ । ଆମେ ଚାହୁଁ, ସରଳ ସାଧାରଣ ଜୀବନ କଟାଇବାକୁ । ଜାକଜମକରେ ଆମର ଦରକାର ନାହିଁ । ଦେଖୁନୁ ଉମାଦେବୀ, ବିମଳା ଦେବୀଙ୍କୁ । ଆହା କି ଉଦାସୀନ ସେମାନେ ନିଜ ସୁଖ ସ୍ୱାଚ୍ଛନ୍ଦ୍ୟ–ବେଶ ଭୂଷା ପ୍ରତି । ସେଦିନ ବିମଳା ଦେଈଙ୍କୁ ଦେଖିଲି କଲେଜ ହତା ଭିତରକୁ ବଡ଼ ତରତର ହୋଇ ପଶି ଯାଉଥିଲେ । ମୁଣ୍ଡ ନୁଖୁରା । ଖୋସାଟା ଅଧା ପିଟି ଗଲାଣି । ଖଦଡ଼ ଶାଢ଼ୀଟା ଚପଲରେ ମାଡ଼ି ହୋଇ ଗୋଡ଼ପାଖରେ ଫଡ଼ାଏ ଚିରି ଯାଇଛି । ପାନ ପିକ କିମିତି କେଜାଣି ପାଟିରୁ ବୋହି ପଡ଼ିଲା ଯେ ଶାଢ଼ୀର ଅଧାଯାଏ ଦାଗ ହୋଇଗଲା । ମୋର ନଜର ଯିମିତି ପଡ଼ିଯାଇଛି ଅନୁରୋଧ କଲି ମୋ ଘରକୁ ଟିକେ ଆସି ଲୁଗାଟା ପାଲଟି ପକେଇବାକୁ । ସେ କଅଣ କହିଲେ ଜାଣୁ ? କହିଲେ, ‘‘ମୁଁ ଯଦି ନିଜକୁ ସଜାଇ ବସିବି ତେବେ ଦେଶ କାମ କରିବି କିମିତି ? ମାଳିକି ଛେଳ ଆଡ଼ୁଆ । ଆମକୁ ସେମିତି ଭଲ ମୁଣ୍ଡବନ୍ଧା, ଭଳି ଲୁଗାପିନ୍ଧା ଅଡ଼ୁଆ ।’’

 

‘‘କିନ୍ତୁ ତାଙ୍କ କଥାଟାକୁ ଆଦର୍ଶ ବୋଲି ମାନିନେବା କଣ ଉଚିତ କି ?’’ ଦୁହେଁ ଚମକି ପଛକୁ ଚାହିଁଲେ । ସୁଷମା ଦେବୀ କେତେବେଳୁ ଆସି ସେଠି ଛିଡ଼ା ହୋଇଚନ୍ତି, କାହାର ଲକ୍ଷ୍ୟ ନାହିଁ । ସେ କ୍ଷମା ମାଗି କହିଲେ, ଚଞ୍ଚଳାକୁ ଖୋଜି ଖୋଜି ଏଠିକି ଚାଲି ଆସିଥିଲେ । ସେମାନଙ୍କ କଥାରେ ବ୍ୟାଘାତ ଦେବାକୁ ଚାହିଁ ନ ଥିଲେ । ତେବେ ଏତିକି ନ କହି ରହି ପାରୁ ନାହାନ୍ତି ଯେ ବିମଳା ଦେଈଙ୍କ କଥାର ମୂଲ୍ୟ ବେଶି ନା ନେହେରୁଜୀଙ୍କ ଉପଦେଶର ଗୁରୁତ୍ୱ ବେଶୀ ? ଶ୍ରୀ ନେହେରୁ ଅଳ୍ପ କେତେକ ମାସ ତଳେ ଗୋଟିଏ ମହିଳା ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ କହିଥିଲେ–‘‘ସୌନ୍ଦର୍ଯ୍ୟବୋଧ ପ୍ରତ୍ୟେକ ନାରୀର ରହିବା ନିହାତି ଆବଶ୍ୟକ । ବିଶ୍ୱର ପ୍ରତ୍ୟେକ ପଦାର୍ଥର ସୌନ୍ଦର୍ଯ୍ୟ ଉପଲବ୍ଧି କରିବା ସଙ୍ଗେ ସଙ୍ଗେ କେହି ସୌନ୍ଦର୍ଯ୍ୟର ବୃଦ୍ଧି ସକାଶେ ସଚେଷ୍ଟ ରହିବା ଉଚିତ ।’’ ଆମ ଦେଶବାସୀଙ୍କର ମନୋଭାବକୁ ନିନ୍ଦା କରି ସେ କହିଥିଲେ ଯେ ସରଳ ନିରାଡ଼ମ୍ବର ଜୀବନଯାପନ କରିବା ବାହାନାରେ ସେମାନେ କୁତ୍ସିତ ଅରୁଚିକର ପରିଧେୟ ପିନ୍ଧିବାକୁ ଏବଂ ଅଶୋଭନୀୟ ବ୍ୟବହାର କରିବାକୁ ପଶ୍ଚାଦ୍‍ପଦ ହେଉ ନାହାନ୍ତି–ଏହା ବଡ଼ ଲଜ୍ଜାର ଓ ଦୁଃଖର କଥା । ସୌନ୍ଦର୍ଯ୍ୟ ବୋଧ ଯେ ଗୋଟାଏ ଅତି ମହତ୍ ଗୁଣ ସେ କଥା ସେ ସ୍ପଷ୍ଟ ବୁଝାଇ ଦେଇଥିଲେ ।

 

ଆଉ ଅଧିକ ବକ୍ତୃତା ହେବା ଦ୍ୱାରା ଏମାନେ ବିବ୍ରତ ହୋଇ ପଡ଼ିବେ, ଏହି ଭୟରେ ସେ କଥାର ଗତି ବଦଳାଇ କହିଲେ–‘‘ବ୍ରଜବାବୁ ବାରଣ୍ଡାରେ ଏକା ଛିଡ଼ା ହୋଇଛନ୍ତି । ଆସ ତୁମ ଦୁହିଁଙ୍କ ସହିତ ପରିଚୟ କରାଇ ଦେବି ।’’

 

ଚଞ୍ଚଳା, ମଞ୍ଜୁ ପରସ୍ପରକୁ ଚାହିଁଟିକେ ସଂକୋଚ ପ୍ରକାଶ କରୁଥିଲେ । ସୁଷମା ହସିଦେଇ କହିଲେ–‘‘ଏହିକ୍ଷଣି ଦେଶ ସେବିକା ହେବାପାଇଁ ସଂକଳ୍ପ କରୁଥିଲ; ଆଉ ଜଣେ ବୟସ୍କ ଗଣ୍ୟମାନ୍ୟ ବ୍ୟକ୍ତିଙ୍କ ନିକଟକୁ ଆସିବାକୁ ଏତେ ଲାଜ ? ପୁଣି ଆଉ କେହି ନୁହନ୍ତି–ମୋର ସ୍ୱାମୀ । ଆସ ଆସ, ବିଚାରୀ ଭଦ୍ରବ୍ୟକ୍ତିଙ୍କୁ ଅପମାନିତ କରନାହିଁ ।’’

 

କେତେ ମାସ ପରେ–

 

ଅଶୋକ ସାଇକଲଟା ଅଗଣା ଦୁଆରକୁ ଆଉଜାଇ ଦେଇ କୋଠରୀଟି ଭିତରକୁ ପଶିଗଲେ । ଘର ଭିତରଟାକୁ ଭଲ ଭାବେ ଥରେ ଆଖି ବୁଲାଇନେଇ ଦେଖିଲେ, କୋଠରୀଟି ନୂଆ ଜୀବନ ପାଇଚି । ଶୁଖିଲା ପତ୍ର ଝଡ଼ି ଯାଇଚି–ବସନ୍ତର କାଉଁରୀ ଛୁଆଁରେ ନୂଆ ପତ୍ର ଯେମିତି ଚାରିଆଡ଼େ କଅଁଳିଚି । ମଇଳା ଟେବୁଲ କନା ପରିବର୍ତ୍ତେ ଏମ୍ଭ୍ରଇଡେରି ହୋଇଥିବା ସୁନ୍ଦର ଚାଦର ଖଣ୍ଡେ ପଡ଼ିଛି-ବହିତକ ସଜଡ଼ା ହୋଇ ରହିଚି–ଧୂଳି ଝଡ଼ା ଯାଇଚି । ଫୁଲଦାନୀରେ ସଜ ଫୁଲ–ପଲଙ୍କଟାର ରୂପ ଲୋଭନୀୟ ହୋଇ ଉଠିଛି–ଝରକାରେ ନୂଆ ପର୍ଦ୍ଦା । କଥା କଣ ? କିଏ ଏସବୁ ଗଲା ? ମଞ୍ଜୁ ଛଡ଼ା ଏ ଘରେ ଦ୍ୱିତୀୟ ନାରୀ ନାହିଁ । ତେବେ ତାର ଏ ପରିବର୍ତ୍ତନ ହେଲା କେମିତି-?

 

ଅଶୋକ ଆଶ୍ଚର୍ଯ୍ୟରେ ଚାହିଁଚନ୍ତି । ମଞ୍ଜୁ ହାତରେ ଜଳଖିଆ ଥାଳିଆଟି ଧରି ଘର ଭିତରକୁ ପଶି ଆସିଲା । ଅଶୋକ ସ୍ତମ୍ଭୀଭୂତ । ମଞ୍ଜୁର ଅପୂର୍ବ ରୂପଶ୍ରୀରେ ଅଶୋକର ଆଖି ଝଲସି ଉଠିଲା । ଓଃ, କି ଅଲୌକିକ ରୂପଲାବଣ୍ୟକୁ ସେ ଏ ପର୍ଯ୍ୟନ୍ତ ଢାଙ୍କି ରଖିଥିଲା । ଅଶୋକ ଜାଣନ୍ତି, ମଞ୍ଜୁ ସୁନ୍ଦରୀ ଏବଂ ଇଚ୍ଛା କଲେ ସେ ଆହୁରି ବିକଶି ଉଠନ୍ତା । କିନ୍ତୁ ଏହା ତାଙ୍କର କଳ୍ପନାର ବସ୍ତୁ ହୋଇ ପ୍ରାୟ ରହିଯାଏ । ଆଜି ବାସ୍ତବରେ ତାକୁ ଏ ଭାବରେ ଦେଖି ଅଶୋକ ଖୁସି ହେଲେ । ମୁହଁରେ କିନ୍ତୁ କିଛି ସେ ବ୍ୟକ୍ତ କରି ପାରିଲେ ନାହିଁ । ଭାବପ୍ରବଣ ଲୋକ ସେ । ଆଖିରେ ଭାବ ଫୁଟାଇବା ତାଙ୍କ ଅଭ୍ୟାସ । ମୁହଁର ଭାଷାଠାରୁ ହୃଦୟର ଭାଷାକୁ ଅଧିକ ଉଚ୍ଚ ଆସନ ଦିଅନ୍ତି ସେ । ଏଣୁ ସବୁବେଳେ ମିତଭାଷୀ । ମଞ୍ଜୁ କିନ୍ତୁ କଣ କେବେ ତାଙ୍କ ହୃଦୟର ଭାଷା ବୁଝିଚି ? ଅଶୋକ କଥା ନ କହି କେବଳ ମଞ୍ଜୁକୁ ନିରୀକ୍ଷଣ କଲେ ।

 

ମଞ୍ଜୁ ଜଳଖିଆ ଥାଳିଆଟା ଥୋଇ ଦେଇ ପାଣି ଆଣିବାକୁ ଚାଲିଗଲା । ତାର ଗତିରେ ଚଞ୍ଚଳତା ।

 

ଅଶୋକ ଆନନ୍ଦିତ ହେଲେ ଯେତିକି ତାଠାରୁ ବେଶ ଆଶ୍ଚର୍ଯ୍ୟାନ୍ୱିତ ହେଲେ । କିମିତି ଏ ପରିବର୍ତ୍ତନ ସମ୍ଭବ ହେଲା ? ପୁଣି ଏହା କ୍ଷଣିକ ନୁହେଁ ତ ? ସତେ କଣ ମଞ୍ଜୁ ଏତେ ଦିନେ ଅଶୋକଙ୍କ ହୃଦୟର ବାଣୀ ବୁଝିଲା ? ତାଙ୍କ ବ୍ୟାକୁଳ ଆହ୍ୱାନର ଜବାବ ଦେଲା ?

 

ବାରଣ୍ଡାରେ କାହାର ସ୍ୱର ଶୁଣିପାରି ଅଶୋକ କାନ ଡେରିଲେ । ବ୍ରଜମୋହନ ବାବୁ କହୁଛନ୍ତି–‘‘ମଞ୍ଜୁ ଦେବୀ, ଧନ୍ୟବାଦ । ମୋର ଛୋଟ ଅନୁରୋଧଟି ରକ୍ଷାକରି ଆଜି ଯେ ଏହି ନୀଳ ଶାଢ଼ୀଟି ପିନ୍ଧିଚନ୍ତି ସେଥିପାଇଁ ମୁଁ ଚିରଋଣୀ । ଆପଣଙ୍କୁ ଏ ପୋଷାକ ଖୁବ ମାନେ । ମୁଁ ଯେତେ ଥର ଆସିବି ଆପଣ ଅନ୍ତତଃ ମୋରି ପାଇଁ ଇମିତି ସାଜି ରହିଥିବେ । ନ ହେଲେ ମୋର ମନରେ ବଡ଼ ଆଘାତ ଲାଗିବ । ହଁ, ଏହି ହସ ହସ ମୁହଁଟି ମଣିଷକୁ କେଡ଼େ ଆତ୍ମହରା କରି ପକାଏ ଜାଣିଛନ୍ତି ? ସେଥିରୁ ମୁଁ ଯେପରି କେବେ ବଞ୍ଚିତ ନ ହୁଏ ସେଥିପ୍ରତି ଦୃଷ୍ଟି ଦେବେ ।’’

 

ମଞ୍ଜୁ ପାଣି ଗିଲାସଟା ଟେବୁଲ ଉପରେ ଥୋଇ ଦେଇ ଚଞ୍ଚଳ ବୁଲିପଡ଼ି ବାହାରକୁ ଚାଲି ଆସିଲା । ଅଶୋକଙ୍କର ସୁକ୍ଷ୍ମ ଶ୍ରବଣ ଶକ୍ତିକୁ ମଞ୍ଜୁର ବଡ଼ ଭୟ । ତାଙ୍କର ତୀକ୍ଷ୍ଣ ଦୃଷ୍ଟି ଆଗରେ ସେ ବଡ଼ ସଙ୍କୁଚିତ ।

 

ଅଶୋକ ଅଳ୍ପ ହସିଲେ । ଏଥିରେ ବା ଆଶ୍ଚର୍ଯ୍ୟ କଅଣ ? କିଏ ସେ ଯାଦୁକର ଶୁଷ୍କ ବୃକ୍ଷକୁ ପୁଷ୍ପିତ କରି ପାରିଛି, ତାଙ୍କର ଆଉ ବୁଝିବାର ବାକୀ ରହିଲା ନାହିଁ । କିନ୍ତୁ ମୁହଁ ଖୋଲି ଏ ବିଷୟରେ କାହାକୁ କିଛି କହିବାକୁ ସେ ଅସମର୍ଥ । ସେ ବୁଝିଲେ, ନିଜେ ସେ ଚିରଦିନ ଦାବୀ କରି ଆସିଚନ୍ତି, ସମାଲୋଚନା କରି ଆସିଚନ୍ତି, କିନ୍ତୁ ମଞ୍ଜୁକୁ ପ୍ରଶଂସା କରି ତା ମନ ଧରିବାକୁ ଚେଷ୍ଟା କରିନାହାନ୍ତି । ନିଜର ଭୁଲ୍ ବୁଝିଲେ; କିନ୍ତୁ ଅଭିମାନରେ ବକ୍ଷ ଭାରାକ୍ରାନ୍ତ ହେଲା । ଅକୁହା କୋହରେ ପଞ୍ଜରା ଥରି ଉଠିଲା ।

Image

 

ଦ୍ୱନ୍ଦ୍ୱ

 

ମର୍ମର ପ୍ରସ୍ତରର ପ୍ରଶସ୍ତ ଅଙ୍ଗନ । ମଧ୍ୟଭାଗରେ ଅନୁଚ୍ଚ ମଣ୍ଡପ । ବିତାନରେ ଦେବ ଦେବୀ, ମୟୁର, ବୃକ୍ଷଲତାଦିର ଚିତ୍ରାଙ୍କିତ ହୋଇଚି । ରଙ୍ଗ ବେରଙ୍ଗର ଦୀପଝାଡ଼ ଦୋଳାୟିତ । ମଣ୍ଡପ ଉପରେ ତିନୋଟି ସିଂହାସନ ସଜ୍ଜିତ । ସିଂହାସନ ପ୍ରକୃତରେ ନୁହେଁ; ଗଜାସନ । ସିଂହ ପରିବର୍ତ୍ତେ ଗଜମୂର୍ତ୍ତି ଚାରୋଟି ଆସନକୁ ଧରି ରଖିଚି । ଗଜଦନ୍ତ ନିର୍ମିତ ଶ୍ୱେତ ଆସନର ପଶ୍ଚାତ୍‍ଭାଗରେ ନୀଳ ଲୋହିତ ମଖମଲ ଗଦି । ସ୍ଥାନେ ସ୍ଥାନେ ସ୍ୱର୍ଣ୍ଣ ଓ ରୌପ୍ୟ ଲତା ପତ୍ରରୁ ସୂକ୍ଷ୍ମ କର୍ମ । ଆସନ ଅଳଙ୍କୃତ କରିଛନ୍ତି ଦୁଇଜଣ ପ୍ରୌଢ଼ା ଓ ଜଣେ ଷୋଡ଼ଶୀ । ପାର୍ଶ୍ୱରେ ତିନିଜଣ ପରିଚାରିକା ସୁବିଶାଳ ବ୍ୟଜନ ଧୀରେ ଧୀରେ ସଞ୍ଚାଳନ କରୁଛନ୍ତି । ପାଦଦେଶରେ ଆଠ ଦଶ ଜଣ ଦାସୀ ବସି କଥୋପକଥନ କରୁଛନ୍ତି । କିଏ ତାମ୍ବୁଳ ସଜାଉଚି, କିଏ ଚନ୍ଦନ ଘୋରୁଚି, କିଏ ବା ନାନା ଜାତିର ସୁଗନ୍ଧ ପୁଷ୍ପର ମାଳା ଗୁନ୍ଥୁଚି । ସନ୍ଧ୍ୟା ଆସନ୍ନ ପ୍ରାୟ ।

 

ଷୋଡ଼ଶୀ ସାନ ଜେମାଦେଈ ହାତ ବଢ଼ାଇ ଚମ୍ପାକୁ ସ୍ପର୍ଶ କଲେ । ସେ ଚାହିଁବାରୁ ତାକୁ ଭ୍ରୂରେ ଇଙ୍ଗିତ କଲେ । ଚମ୍ପା ଛିଡ଼ା ହେଲା । ହାତଯୋଡ଼ି ପ୍ରୌଢ଼ାଙ୍କ ସମ୍ମୁଖକୁ ଗଲା । ବିନୀତ ସ୍ୱରରେ ଆରମ୍ଭ କଲା–‘‘ରାଣୀମା, ବାରାଣାସୀରୁ ଜଣେ ଯାଦୁକର ଆସିଚି । ରାଇଜଯାକ ତା ଯାଦୁବିଦ୍ୟା ଦେଖି ଆଚମ୍ବିତ ହେଉଚନ୍ତି । ପାଟମହାଦେଈଙ୍କର ଆଦେଶ ହୁଅନ୍ତା ଯଦି ରାଜବାଟୀକୁ ଆସି ତା ବିଦ୍ୟା ଦେଖାନ୍ତା ।’’

 

ପ୍ରଥମ ପ୍ରୌଢ଼ା ଭୁକୁଞ୍ଚନ କରି ଜିଜ୍ଞାସୁ ନୟନରେ ଦ୍ୱିତୀୟାଙ୍କୁ ଚାହିଁଲେ । ଦ୍ୱିତୀୟା ସାନରାଣୀ । କିନ୍ତୁ ବୟସରେ ବଡ଼ ରାଣୀଙ୍କ ଠାରୁ ବଡ଼ ଏବଂ ରାଜାଙ୍କର ବିଶେଷ ଅନୁଗ୍ରହପାତ୍ରୀ । ସାନରାଣୀ ମୁଖ ବିକୃତ କରି କହିଲେ–‘‘ପୁରୁଷର ଛାଇ ଅନ୍ଦରମହଲରେ କେବେ ପଡ଼ିଲାଣି ଯେ ଏବେ ପଡ଼ିବ ?’’

 

ଜେମା କହିଲେ–‘‘ମାମା, ଜାଲପର୍ଦ୍ଦା ଟାଣିଦେଲେ ହେବ ନାହିଁ ?’’ ବଡ଼ରାଣୀଙ୍କର କୌତୁହଳ ଜାଗିଚି । ସେ ରହସ୍ୟମୟ ଯାଦୁକରର ଚାତୁରୀ ଦେଖିବାକୁ ହେଉ ବା ସ୍ୱ କନ୍ୟାର ଅଭିଳାଷ ପୁରଇ କରିବାକୁ ହେଉ ଆଗ୍ରହ ଦେଖାଇ ପଚାରିଲେ, ‘‘ସେ ଆଲୁଅରେ ରହିବ, ଆମେ ଅନ୍ଧାରରେ ଜାଲ ପଛରେ ରହିବା, ସେଥିରେ ଆପତ୍ତି କଣ ଅଛି ?’’

 

କିନ୍ତୁ ସାନରାଣୀ ଅବିଗଳିତ । ଗମ୍ଭୀର ଗଳାରେ ଜବାବ ଦେଲେ, ‘‘ଏ ରାଣୀହଂସପୁରରେ ପରପୁରୁଷର ପାଦ ପଡ଼ିବ ନାହିଁ । ଜେମା ବିବାହ ପର୍ଯ୍ୟନ୍ତ କୌଣସି ପୁରୁଷର ମୁଖ ଦର୍ଶନ କରି ପାରିବେ ନାହିଁ ।’’ ଏ ଦୃଢ଼ ଉତ୍ତରରେ ସମସ୍ତେ ନୀରବ ହୋଇଗଲେ ।

 

ଜେମା ଚନ୍ଦ୍ରପ୍ରଭାଙ୍କର ମନ ମଉଳିଗଲା । ନିସ୍ତରଙ୍ଗ ଜୀବନ ତଡ଼ାଗରେ ସମୀରଣର ମୃଦୁ ଆଘାତ ବି ନାହିଁ । ଦିନ ରାତି ବର୍ଷ ମାସର ଗତି ଦୈନଦିନ ଜୀବନରେ କୌଣସି ଚମକ ଆଣିନାହିଁ । ଦୀର୍ଘ ଷୋହଳ ବର୍ଷ ସମଧାରରେ ବହି ଯାଉଚି । ଯେ କୌଣସି ଦିନର କର୍ମସୂଚୀ ସମାନ, ସମୟ ନିର୍ଘଣ୍ଟ ବି ଅପରିବର୍ତ୍ତନୀୟ । ଶରୀର ସଜ୍ଜା, କେଶ ବିନ୍ୟାସରେ ପ୍ରାୟ ବେଶୀ ସମୟ କଟିଥାଏ । କିନ୍ତୁ ତା ମଧ୍ୟ ନିଜେ କରିବାକୁ ପଡ଼େନାହିଁ । ସିଂଘାର କାର୍ଯ୍ୟ ସ୍ୱତନ୍ତ୍ର ଦାସୀର । ଅଳସ ଜୀବନର କ୍ଲାନ୍ତି ଜେମା ଦେଈଙ୍କୁ ବଡ଼ ବାଧୁଚି । କିନ୍ତୁ ହଲଚଲ ହେବାର ଉପାୟ ନାହିଁ । ରାଜକୁଳରେ ନାରୀ ଜନ୍ମାକୁ ନିନ୍ଦି ଗଜକୁମାରୀ ମୌନ ହୁଅନ୍ତି । ସାନ ମାମାଙ୍କର ଏ ଆଦେଶ ବି ସେ ମଥା ପୋତି ସହିନେଲେ । ଚମ୍ପାକୁ ଡାକି ସେ ଛାତ ଉପରକୁ ଯିବାକୁ ଇଚ୍ଛା ପ୍ରକାଶ କଲେ । ଦିହେଁ ଅନ୍ୟ ଦୁଇଜଣ ଦାସୀଙ୍କ ସାଙ୍ଗରେ ତ୍ରିତଳ ପ୍ରାସାଦ ଉପରକୁ ଉଠିଲେ ।

 

ମୁହୂର୍ତ୍ତକ ମଧ୍ୟରେ ନାରୀ କଣ୍ଠର ଆର୍ତ୍ତନାଦରେ ରାଜବାଟୀ କମ୍ପି ଉଠିଲା । ବେଦନାର କରୁଣ ରୋଦନ ସହ ଭୟ ବିହ୍ୱଳା ତରୁଣୀମାନଙ୍କର ଚିତ୍କାରରେ ସମସ୍ତେ ସ୍ତମ୍ଭିତ ହୋଇଗଲେ । ଉପର ଘରକୁ ସମସ୍ତେ ଦୌଡ଼ିଲେ । କୋଠା ଛାତ ଉପରେ ଗୋଟିଏ କୋଣରେ ରାଜକୁମାରୀ ପଡ଼ି ରହିଛନ୍ତି । ଦାସୀମାନେ ତାଙ୍କୁ ଘେରିରହି କ୍ରନ୍ଦନ ଓ ଚିତ୍କାର କରୁଛନ୍ତି । ବିଦ୍ୟୁତ୍ ଆଲୋକର ବ୍ୟବସ୍ଥା ନାହିଁ । କ୍ଷୀଣ ଦୀପାଲୋକରେ ବଡ଼ରାଣୀ ଦେଖିଲେ, ଜେମାଙ୍କ ପାଦ ମୂଳରେ ଦୁଇଟି କ୍ଷତି ଚିହ୍ନି । ଚମ୍ପା ଥରି ଥରି କହିଲା–‘‘ନାଗ ସାପଟାଏ ଜେମାଙ୍କ ଗୋଡ଼ରେ ଗୁଡ଼େଇ ହୋଇ ଦଂଶି ଦେଇଚି । ଜେମାଙ୍କର ଚେତା ବୁଡ଼ି ଯାଉଚି ।’’

 

ସମସ୍ତ ପ୍ରାସାଦଟି ଭୂମିକମ୍ପରେ ଯେପରି ଆଲୋଡ଼ିତ ହୋଇଗଲା । ନାନା ମୁଖରୁ ନାନା କଥା, ନାନା ଯୁକ୍ତି ତର୍କ, ଆଲୋଚନା, ମନ୍ତବ୍ୟ, ଟିପ୍ପଣୀ, ପରାମର୍ଶ ଚାଲିଲା; କିନ୍ତୁ ଉପଯୁକ୍ତ ପ୍ରତିକାର କରିବାକୁ କାହାର ସାମର୍ଥ୍ୟ ହେଲାନାହିଁ । ଏତିକି ବେଳେ ଯୁବରାଜଙ୍କର ଶିକ୍ଷକ ରଞ୍ଜନବାବୁ ଡାକ୍ତରଙ୍କୁ ସାଙ୍ଗରେ ଧରି ଘଟଣା ସ୍ଥଳରେ ପହଞ୍ଚିଲେ । ଏହି ପୁରୁଷ ଦୁଇ ଜଣ କିପରି ଅନ୍ତଃପୁରରେ ପ୍ରବେଶ କଲେ କେହି ଜାଣି ପାରିଲେ ନାହିଁ । ପୁରୁଷ ରୂପ ଦେଖି ବୃଦ୍ଧା ଦାସୀମାନେ ଗର୍ଜି ଉଠିଲେ । ଯୁବତୀମାନେ ନିଜ ପରିଧେୟ ସଂଯତ ଅଛି କି ନାହିଁ ପରୀକ୍ଷା କରି ନେଇ ଓଢ଼ଣା ଟାଣିଲେ । ଅପାଙ୍ଗ ଦୃଷ୍ଟିରେ ଆଗନ୍ତୁକମାନଙ୍କୁ ଚାହିଁ ରହିଲେ । ପୌଢ଼ା ସୁନା ଆଗକୁ ଆସି ଜଣାଇ ଦେଲା ଯେ ରାଣୀମା’ଙ୍କ ବିନା ଆଦେଶରେ କାହାରି ପ୍ରବେଶ ଅଧିକାର ନାହିଁ । ଏଣୁ ସେମାନେ ଔଷଧ ତା ହାତରେ ଦେଇ ଚାଲିଯାଆନ୍ତୁ; ନଚେତ ଦଣ୍ଡିତ ହେବେ । କିନ୍ତୁ ରଞ୍ଜନବାବୁ ଏ ଧମକରେ ହଟିଗଲେନାହିଁ । ସେ ସିଧା ବଡ଼ରାଣୀଙ୍କ ନିକଟକୁ ଯାଇ ଅବସ୍ଥାର ଗୁରୁତ୍ୱ ବୁଝାଇଦେଲେ । ବଡ଼ରାଣୀଙ୍କ ସଂଜ୍ଞା ଲୋପ ହେବା ଉପରେ । ସେ ବ୍ୟାକୁଳ ଭାବେ ଝିଅର ଚିକିତ୍ସା ପାଇଁ ଅନୁମତି ଦେଲେ । ସାନରାଣୀ ଅବସ୍ଥା ଦେଖି ବ୍ୟବସ୍ଥା କରିଦେଲେ ।

 

ଅଚେତା ଜେମାଙ୍କୁ ମଶାରୀ ଜାଲ ଭିତରେ ଶୁଆଇ ଦିଆଗଲା । ଜାଲ ଉପରେ ଚାଦର ବେଢ଼ା ହେଲା । ଏହି ଚାଦର ଓ ଜାଲରେ ଗୋଟିଏ ଛିଦ୍ର କରାଗଲା । ସେହି ଛିଦ୍ର ମଧ୍ୟ ଦେଇ ଡାକ୍ତର ରୋଗିଣୀର ପାଦ ଦେଖି ପରୀକ୍ଷା କରିପାରିବେ, ଔଷଧ ଲଗାଇ ପାରିବେ । ଚିକିତ୍ସା ହେଲା; କ୍ଷତ ସ୍ଥାନକୁ ଛୁରିରେ ଚିରି ବିଷାକ୍ତ ରକ୍ତ ଶୋଷି ବାହାର କରିଦେବା ନିହାତି ଦରକାର ବୋଲି ଡାକ୍ତର କହିଲେ । କିନ୍ତୁ ଶୋଷିବା ଲୋକର ପାଟିରେ କୌଣସି କ୍ଷତ ଥିଲେ । ତା’ ର ଜୀବନ ଶଙ୍କାକୁଳ ହେବ ବୋଲି ମଧ୍ୟ ଜଣାଇଦେଲେ । ଦାସୀମାନେ ପରସ୍ପରର ମୁଖକୁ ଚାହିଁ ନୀରବ ରହିଲେ । ବଡ଼ ରାଣୀ ସେତେବେଳକୁ ମୂର୍ଚ୍ଛିତା । ସାନରାଣୀଙ୍କର ନିଷେଧାଜ୍ଞାକୁ ଭ୍ରୂକ୍ଷେପ ନକରି ରଞ୍ଜନ ମଶାରୀ ପାଖରେ ଆଣ୍ଠୋଇ ପଡ଼ିଲେ ଓ ମୁହଁ ଲଗାଇ ରାଜକୁମାରୀଙ୍କ ପାଦରୁ ବିଷାକ୍ତ ରକ୍ତ ଶୋଷି ବାହାର କଲେ । ଅଳ୍ପକ୍ଷଣ ପରେ ଜେମାଙ୍କ ସଂଜ୍ଞା ଫେରି ଆସିଲା । ସେ ଉଠି ବସି ଜାଲ ଖୋଲି ରଞ୍ଜନକୁ ଚାହିଁଲେ । ସେ କ’ଣ ସ୍ୱପ୍ନ ଦେଖୁଛନ୍ତି ? ସୁଶ୍ରୀ ଯୁବକ ଜଣେ ତାଙ୍କ ପାଦକୁ ଘନ ଘନ ଚୁମ୍ବନ ଦେଉଚି କାହିଁକି ? ଜେମାଙ୍କ ମୁଣ୍ଡ ପୁଣି ଘୂରାଇ ଦେଲା; ସେ ଶଯ୍ୟାରେ ଲୋଟିପଡ଼ିଲେ ।

 

ସେ ଦିନ ରାଜା ସାହେବଙ୍କର ମୁଖ ଆରକ୍ତ । ଚକ୍ଷୁ ରୋଷକଷାୟିତ । ସାନ ରାଣୀଙ୍କ କକ୍ଷରୁ ଆସି ସିଧା ନିଜ ବୈଠକ ଖାନାକୁ ଗଲେ । ରଞ୍ଜନକୁ ସେଠାକୁ ଡକାଇଲେ । ରଞ୍ଜନ ବିନୀତ ଭାବେ ନମସ୍କାର ଜଣାଇ ଛିଡ଼ା ହେଲେ । ରାଜା ସାହେବ ଗର୍ଜ୍ଜନ କରି ଉଠିଲେ–‘‘ତୁମେ ସେ ଦିନ ଜେମାଦେଈଙ୍କର ଅଙ୍ଗ ସ୍ୱର୍ଶ କରିଚ ?’’

 

ରଞ୍ଜନ–‘‘ତାଙ୍କ ପାଦକୁ ସ୍ପର୍ଶ କରିଚି ମାତ୍ର ।’’

 

ରାଜା–‘‘କାହା ଅନୁମତିରେ ?’’

 

ରଞ୍ଜନ–‘‘କର୍ତ୍ତବ୍ୟ ଅନୁରୋଧରେ ।’’

 

ରାଜା–‘‘ଖୁବ୍ ଦୁଃସାହସ ତ ତୁମର !

 

‘‘ରାଜକୁମାରୀର ପଦଲେହନ କରିବାରୁ ସେ ଦିନ ଗୋଟାଏ ଶ୍ୱାନକୁ ଗୁଳି କରି ମାରି ଦେଇଚି । ତୁମର ଦଶା ସେଇୟା ହେବା ଉଚିତ । ଏତେ ଆସ୍ପର୍ଦ୍ଧା; ସାମାନ୍ୟ ଦରିଦ୍ର ପ୍ରଜା, ରାଜକୁଳ କଳୁଷିତ କରିବାକୁ ଚେଷ୍ଟା !’’

 

ରଞ୍ଜନ–‘‘ରାଜକୁମାରୀଙ୍କର ପ୍ରାଣ ରକ୍ଷା କରିବା ମୋର ଅପରାଧ ? ମୁଁ ତ କଳୁଷିତ କାହାକୁ କରିନି ।’’

 

ରାଜା ଦାନ୍ତ କାମୁଡ଼ି ଗର୍ଜି ଉଠିଲେ–‘‘ଚୁପ୍, ଶୟତାନପାଜି । ତୋର ସ୍ପର୍ଶ ଘୃଣ୍ୟ । ତୋର ମୁହଁ ଚାହିଁବା ପାପ । ଆଜିଠାରୁ ରାଜବାଟୀରେ ତୋ ପାଦ ଯେପରି ନ ପଡ଼େ । ଭଲ ଦଶା ଅଛି, ଜୀବନ ଧରି ଫେରି ଯାଉଚୁ । ନ ହେଲେ ଏଇଠି ଏଇ ପୋଖରୀ ପଙ୍କରେ ତୋ ମୁର୍ଦ୍ଦାରକୁ ପୋତି ଥାଆନ୍ତି ।’’

 

ରଞ୍ଜନ ନୀରବ ଭାବେ ଉଠି ଚାଲିଗଲେ । ରାଜବାଟୀରେ ସେହି ଦିନୁ ସେ ଆଉ ପାଦ ପକାଇ ନାହାନ୍ତି । ରାଜବଂଶର କାହାକୁ ଦେଖି ନାହାନ୍ତି । ତଥାପି ରାଜପ୍ରଭାବ ଅଙ୍ଗେ ଅଙ୍ଗେ ଅନୁଭବ କରିଛନ୍ତି । ସେ କିମ୍ବା ତାଙ୍କ ସ୍ୱଜନ କେହି ସେହି ରାଜ୍ୟରେ କୌଣସି ଚାକିରୀ ପାଇଲେ ନାହିଁ । ଖଜଣାର ତାଡ଼ନା ବେଶୀ ହେଲା । ଗୋଟାଏ ଯୋଡ଼ାଏ ମକଦ୍ଦମାରେ ଲଢ଼ି ସର୍ବସ୍ୱାନ୍ତ ହେବାକୁ ପଡ଼ିଲା ।

 

ରଞ୍ଜନ ଦୀନ କୁଟୀର ଭିତରେ ଡବିରି ଆଲୁଅରେ ଚିଠି ଖଣ୍ଡେ ଲେଖୁଥିଲେ । ସୁଧୀର ଝଡ଼ ବେଗରେ ପଶି ଆସିଲା । ସୁଧୀର ରଞ୍ଜନର ମାମୁଁ ପୁଅ ଭାଇ । ରଞ୍ଜନକୁ ନିଜ ପିଠି ଦେଖାଇ କହିଲା–‘‘ଭାଇ, ଦେଖ ଏ ଅତ୍ୟାଚାର !’’ ରଞ୍ଜନ କଥାଟା ବୁଝିଲେ । ରାଜା ସାହେବଙ୍କ ମୋଟର ଦେଖି ସୁଧୀର ଜୁହାର କରି ନାହିଁ । ଏହି ଅପରାଧରେ ରାଜାଙ୍କଠାରୁ ଶାସ୍ତି ମିଳିଲା କୋଡ଼ିଏ ବେତ ପ୍ରହାର । ରାଜା–ରାଜା, ପ୍ରଜା–ପ୍ରଜା । ରାଜାଙ୍କୁ ରାଜଭକ୍ତି ନ ଦେଖାଇଲେ ପ୍ରଜାମାନଙ୍କୁ ଦଣ୍ଡ ଭୋଗ କରିବାକୁ ହୁଏ । ରାଜକର୍ମଚାରୀ ବୃନ୍ଦ ଓ ସ୍ତାବକ ମଣ୍ଡଳୀ ଏ ଯୁକ୍ତିର ଅନୁମୋଦନ କରିଥିଲେ ।

 

ଦୀର୍ଘ ପନ୍ଦର ବର୍ଷ ବିତି ଯାଇଚି । ରଞ୍ଜନର ଅବସ୍ଥାରେ ବିଶେଷ କିଛି ପରିବର୍ତ୍ତନ ହୋଇନାହିଁ । ନୁଆଣିଆ ଚାଳ ଘରଟି ଛାଉଣୀ ଅଭାବରୁ ଆହୁରି ନଇଁ ପଡ଼ିଚି । ରଞ୍ଜନର ଆରାମ ଚୌକିର କନାଟାରେ ତାଳି ଉପରେ ତାଳି ପଡ଼ି ପଡ଼ି ବେଶ୍ ସ୍ଥୂଳ ଦେଖା ଯାଉଚି । ରଞ୍ଜନ ପ୍ରୌଢ଼; କିନ୍ତୁ ଦାରିଦ୍ର୍ୟର କୃପାରୁ ଆହୁରି ଅବିବାହିତ ରହିଚନ୍ତି । ବାହ୍ୟଜଗତ ସହିତ ତାଙ୍କର କୌଣସି ସମ୍ପର୍କ ନ ଥାଏ । ନିଜ କ୍ଷେତବାଡ଼ିର ସ୍ୱଳ୍ପ ଆୟରେ କୌଣସି ପ୍ରକାରେ ଜୀବନ କଟିଯାଏ । ଭଙ୍ଗା ଟେବୁଲ ପାଖେ ବସି ଗଭୀର ରାତିରେ ମିଞ୍ଜି ମିଞ୍ଜି ଆଲୁଅରେ ସେ କଅଣ ଲେଖୁଥାଆନ୍ତି । ଗ୍ରାମବାସୀମାନେ ସେହି ରାସ୍ତା ବାଟ ଦେଇ ଗଲାବେଳେ ଡାକଟିଏ ଦିଅନ୍ତି–‘‘ରଞ୍ଜୁଭାଇ ଚେଇଁଚ-?’’ ସବୁବେଳେ ସେହି ଏକା ଜବାବ–‘‘ହୁଁ’’ ।

 

ମାଘ ମାସର ଶୀତଳ ସକାଳ । ରଞ୍ଜନ ଦାଣ୍ଡପିଣ୍ଡାରେ ଆରାମ ଚୌକିଟିରେ ବସି ଖରା ପୋଉଁଚନ୍ତି । ଆଶ୍ଚର୍ଯ୍ୟ ହୋଇ ଦେଖିଲେ, ମଫସଲ ରାସ୍ତାରେ ମୋଟର ଗାଡ଼ି ଆସୁଚି । ଏ ନିପଟ ପଡ଼ା ଗାଁରେ ମୋଟର ଗାଡ଼ି ଗୋଟାଏ ବିଚିତ୍ର ଜିନିଷ । ମୋଟର ପଛରେ ଅସୁମାରି ଗାଁ ପିଲାଏ ଗୋଡ଼ାଇଛନ୍ତି । ମୋଟରଟି ଅଙ୍କାବଙ୍କା ଗାଁ ଦାଣ୍ଡରେ ଧୂଳିପଟଳ ଉଡ଼ାଇ ଆସିଲା । ରଞ୍ଜନଙ୍କ ଚାଳଘର ଆଗରେ ଛିଡ଼ାହେଲା । ରଞ୍ଜନ ଅବାକ ହୋଇ ଚାହିଁଲେ, ଗାଡ଼ି ଭିତରୁ ଷାଠିଏ ବର୍ଷର ବୃଦ୍ଧ ରାଜାସାହେବ ରୂପାମୁଣ୍ଡିଆ ହାତବାଡ଼ିଟି ଧରି ଓହ୍ଲାଇ ଆସୁଛନ୍ତି । ତାଙ୍କ ସହିତ ତିନି ଚାରି ଜଣ ପୁରୁଣା ରାଜକର୍ମଚାରୀ ବି ଓହ୍ଲାଇଲେ । ରଞ୍ଜନଙ୍କ ଅବଚେତନ ମାନସରେ ଅପ୍ରିୟ ପ୍ରତିକ୍ରିୟା ଜନ୍ମିଲା; କିନ୍ତୁ ସେ ନିଜକୁ ସମ୍ଭାଳି ନେଇ ପାହାଚ ତଳକୁ ଓହ୍ଲାଇଲେ । ହାତଯୋଡ଼ି ରାଜାସାହେବଙ୍କୁ ଜୁହାର କଲେ । ରାଜା ସାହେବ ସ୍ନେହ ଗଦ୍‍ଗଦ୍‍ ସ୍ୱରରେ ରଞ୍ଜନଙ୍କୁ ପ୍ରତିନମସ୍କାର ଜଣାଇ ତାଙ୍କର ଦୁଇଟି ହାତକୁ ମୁଠାଇ ଧରିଲେ । ରଞ୍ଜନ ସହିତ କୁଡ଼ିଆ ଭିତରେ ପଶି ଭଙ୍ଗା ଆରାମ ଚୌକିରେ ବସିଲେ । ଗାଁ ପିଲାଏ କୁତୂହଳୀ ହୋଇ ଚାରିପଟେ ଘେରିଗଲେ । ରାଜାସାହେବଙ୍କ ମୁଖରେ ହସ-। ଉଲଙ୍ଗ ଶିଶୁମାନଙ୍କ ପିଠି ଆଉଁଷିଲେ । ପକେଟରୁ ମିଠେଇ ବାହାର କରି ସେମାନଙ୍କ ହାତରେ ଦେଲେ । ଚାହୁଁ ଚାହୁଁ ଗାଁଟାଯାକର ଲୋକ ରୁଣ୍ଡ ହୋଇଗଲେ । ସମସ୍ତଙ୍କ କୁଶଳୀବାର୍ତ୍ତା ପ୍ରଶ୍ନ କଲା ପରେ ରାଜାସାହେବ ରଞ୍ଜନକୁ ପାଖକୁ ଡାକି କାନ୍ଦ କାନ୍ଦ ସ୍ୱରରେ ତାକୁ କ୍ଷମାପ୍ରାର୍ଥନା କଲେ-। ଯୌବନରେ ସେ ଅନ୍ଧ ଥିଲେ । ତାଙ୍କ ଚକ୍ଷୁ ଖୋଲି ଯାଇଚି । ରଞ୍ଜନ ପରି ଆତ୍ମତ୍ୟାଗୀର ମାହାତ୍ମ୍ୟ ସେ ବୁଝି ନ ଥିଲେ । ରଞ୍ଜନ ଉପରେ ସେ ସମସ୍ତ ଆସ୍ଥା ନ୍ୟସ୍ତ କରିଚନ୍ତି । ସେ ଉଦାର ଗୁଣରେ ରାଜାସାହେବଙ୍କ କ୍ଷମା ଦେଇ ତାଙ୍କୁ ସାହାଯ୍ୟ କରନ୍ତୁ ।

 

ରଞ୍ଜନ ସ୍ୱଭାବତଃ ଭାବପ୍ରବଣ । ବୃଦ୍ଧି ରାଜାଙ୍କର ଏ ଅନୁଶୋଚନା ଦେଖି ତାଙ୍କ ଚକ୍ଷୁ ବାଷ୍ପାକୁଳ ହୋଇଗଲା । ସେ ସର୍ବାନ୍ତଃକରଣରେ ରାଜାଙ୍କ ପୂର୍ବ ଦୁଷ୍ମୃତିକୁ କ୍ଷମା କଲେ । ପୁଣି ଯଥାସାଧ୍ୟ ତାଙ୍କୁ ସାହାଯ୍ୟ କରିବେ ବୋଲି ପ୍ରତିଶ୍ରୁତି ଦେଲେ । ରାଜା ଧନ୍ୟବାଦ ଜଣାଇ ଯିବା ପାଇଁ ଉଠିଲେ । ଭଗ୍ନକୁଟୀର ଉପରେ ଦୃଷ୍ଟି ପଡ଼ିବାରୁ ଛାଉଁଣି ପାଇଁ ଦୁଇ ଶହ ଟଙ୍କା ରଞ୍ଜନଙ୍କ ଆପତ୍ତି ସତ୍ତ୍ୱେ ତାଙ୍କ ହାତରେ ଗୁଞ୍ଜି ଦେଇ ମୋଟରରେ ବସିଲେ ।

 

ଗୋଧୂଳି ବେଳା । ରଞ୍ଜନା ପୂର୍ବାହ୍ନର ସେହି ଅଭୂତପୂର୍ବ ଘଟଣାକୁ ମନରେ ଓଲଟପାଲଟ କରୁଚନ୍ତି, ଜଣେ ଅପରିଚିତ ଆସି ଖବର ଦେଲା, ‘‘ରଞ୍ଜନ ବାବୁଙ୍କୁ ଚନ୍ଦ୍ରପ୍ରଭା ଦେଈ ଖୋଜୁଛନ୍ତି ।’’ ରଞ୍ଜନ ସ୍ତବ୍ଧ । ‘‘ଚନ୍ଦ୍ରପ୍ରଭା ଦେଈ ?’’ ‘‘ହଁ, ଜେମାଦେଈ ।’’ ରଞ୍ଜନ ପଚାରିଲେ, ‘‘ସେ ଏ ଗାଁରେ ?’’ ଲୋକଟି ଉତ୍ତର କଲା, ‘‘ସେ ବିବାହ ପରେ ଏହି ପ୍ରଥମ ଏ ରାଜ୍ୟକୁ ଆସିଚନ୍ତି । ଆପଣଙ୍କ ସହିତ ସାକ୍ଷାତ କରିବାକୁ ଏ ଗାଁକୁ ଆସିଚନ୍ତି । ଗାଁ ପାଠାଗାରଠାରେ ଆପଣଙ୍କ ଅପେକ୍ଷାରେ ବସିଚନ୍ତି ।’’

 

ରଞ୍ଜନ କିଛି ବୁଝି ପାରିଲେ ନାହିଁ ହଠାତ୍ ତାଙ୍କ ଦରଟା ଏତେ ବଢ଼ିଗଲା କିମିତି ? ପିତା ସକାଳେ ଆସିଲେ । ସନ୍ଧ୍ୟା ପୂର୍ବରୁ ରାଜକନ୍ୟା ଆସି ତାଙ୍କୁ ପୁଣି ଖୋଜୁଛନ୍ତି । ରାଜକନ୍ୟାଙ୍କୁ ଜୀବନରେ କେବେ ଦେଖିବେ ଏ କଥା ସ୍ୱପ୍ନରେ ସୁଦ୍ଧା କଳ୍ପନା କରି ନାହାନ୍ତି । ଆଜି ସେ ନିଜେ ତାଙ୍କୁ ଡକାଉଚନ୍ତି ।

 

ରଞ୍ଜନ ପାଠାଗାରରେ ପ୍ରବେଶ କରି ସ୍ଥାଣୁ ପାଲଟିଗଲେ । ଅପୂର୍ବ ରୂପର ଝଲକରେ କକ୍ଷଟି ଝଲସି ଉଠୁଚି । ଦେବୀ ପ୍ରତିମା ଚନ୍ଦ୍ରପ୍ରଭା ଈଷତ୍ ହସି ମଥା ନୁଆଁଇ ନମସ୍କାର କଲେ । ରଞ୍ଜନଙ୍କ ବାକ୍‍ସ୍ଫୁରଣ ହେଲାନାହିଁ । ପ୍ରତିନମସ୍କାର ଜଣାଇବା ପାଇଁ ବି ଉପସ୍ଥିତ ବୁଦ୍ଧିହଜି ଯାଇଥିଲା । ଚନ୍ଦ୍ରପ୍ରଭା, ରଞ୍ଜନଙ୍କୁ ବସିବାକୁ ଅନୁରୋଧ କରି ପଚାରିଲେ–‘‘ଆପଣ ମୋ ଉପରେ ରାଗିଚନ୍ତି ?

 

ରଞ୍ଜନ ବିସ୍ମିତ ହୋଇ ବିସ୍ଫାରିତ ନେତ୍ରରେ କେବଳ ଚାହିଁ ରହିଲେ । ପରେ ଉତ୍ତର ଦେଲେ, ‘‘କାହିଁକି ରାଗିବି ?’’

 

ଚନ୍ଦ୍ରପ୍ରଭା–‘‘ପୂର୍ବ କଥା ସବୁ ମନରୁ ପୋଛି ଦିଅନ୍ତୁ । ମୋ ଲାଗି ଏତେ ଦୁଃଖ ସହିଲେ ବୋଲି ମୁଁ ନିଜେ ଲଜ୍ଜିତା ।’’

 

ରଞ୍ଜନ–‘‘ସେ କଥା ସବୁ ଥାଉ । ଆପଣଙ୍କ ଆସିବାର ଉଦ୍ଦେଶ୍ୟ ଜାଣିପାରେ କି ?’’

 

ଚନ୍ଦ୍ରପ୍ରଭା–‘‘ଆପଣ ଶିକ୍ଷିତ । ଆପଣଙ୍କୁ କ’ଣ ବୁଝାଇବି ? ତେବେ ଆପଣ ନିଶ୍ଚୟ ଅନୁମାନ କରିସାରିଥିବେ, ମୁଁ କାହିଁକି ଆପଣଙ୍କ ପାଖକୁ ଆସିଚି । ଆପଣଙ୍କ ସାହାଯ୍ୟ ଉପରେ ଆମ ଚେଷ୍ଟାର ସଫଳତା ଯେ କେତେ ନିର୍ଭର କରୁଚି, ସେ କଥା ଆପଣ କ’ଣ ଜାଣିପାରୁ ନାହାନ୍ତି-?’’

 

ରଞ୍ଜନ କଥାର ମର୍ମଟା ବୁଝିଲେ । କହିଲେ–‘‘ଓ, ନିର୍ବାଚନ ସମ୍ପର୍କରେ ଏଠିକି ବୋଧହୁଏ ଆସିଚନ୍ତି ?’’

 

ଚନ୍ଦ୍ର–ଠିକ୍ ଅନୁମାନ କରିଚନ୍ତି ।

 

ରଞ୍ଜନ–ଆପଣ କଷ୍ଟ କରି ଆସିବାର କ’ଣ ଦରକାର ଥିଲା ? ମୁଁ ତ ଯେପରି ହେଉ ସାହାଯ୍ୟ କରି ଥାଆନ୍ତି ।

 

ଚନ୍ଦ୍ର–ଆପଣ ସତେ କେଡ଼େ ମହତ୍, କେଡ଼େ ହୃଦୟବାନ୍ । ତଥାପି ମୋର କର୍ତ୍ତବ୍ୟ, ଥରେ ଆସି ମୁହଁରେ ଅନୁରୋଧ କରିବା । ମୁଁ କିଛି ନ କହୁଣୁ ଆପଣ ଯେ ସାହାଯ୍ୟ କରିବାକୁ ସ୍ଥିର କରିଥିଲେ ଏଥିରେ ମୋ ମଥା ନଇଁ ଯାଉଚି ।

 

ରଞ୍ଜନ–ଆପଣ ସିନା କହି ନ ଥିଲେ; କିନ୍ତୁ ମୁଁ ଆଗରୁ ଶୁଣିଚି । ଆପଣ ବୋଧହୁଏ ଜାଣନ୍ତି ନାହିଁ, ରାଜାସାହେବ ନିଜେ ଆସି ଆଜି ସକାଳେ ମତେ ଏ କଥା କହି ଯାଇଚନ୍ତି । ମୁଁ ତାଙ୍କୁ ପ୍ରତିଶ୍ରୁତି ଦେଇଚି, ଯଥାସାଧ୍ୟ ସାହାଯ୍ୟ କରିବି ବୋଲି ।

 

ଚନ୍ଦ୍ରପ୍ରଭା ଚୌକିଟା ଠେଲି ଛିଡ଼ାହେଲେ । ମୁଖ ବିବର୍ଣ୍ଣ ପଞ୍ଜରା ଥରାଇ ଗୋଟାଏ ଅସ୍ପଷ୍ଟ କରୁଣ ଦୀର୍ଘଶ୍ୱାସ ବାହାରି ଆସିଲା । ସେ ରଞ୍ଜନଙ୍କୁ କାତରଭାବେ ଚାହିଁ କହିଲେ–‘‘କଣ କଲେ ? ଆପଣ କଣକଲେ ?’’ ରଞ୍ଜନଙ୍କର ବିସ୍ମୟ ଆହୁରି ଘନୀଭୂତ ହେଲା । ସେ ପଚାରିଲେ ‘‘କଣ ହେଲା ? କିଛି ଭୁଲ କରିଚି ?’’

 

ଚନ୍ଦ୍ର–ଭୁଲ ନୁହେଁ ? ଆପଣ ରାଜାସାହେବଙ୍କୁ ପୁଣି ସାହାଯ୍ୟ କରିବେ ?

 

ରଞ୍ଜନ–ରାଜାସାହେବ–ଆପଣଙ୍କ ପିତା ।

 

ରତ୍ନ–ହଁ, ହଁ, ପିତା । ତାଙ୍କର ଅତ୍ୟାଚାର ପାଶୋରିଗଲେ ?

 

ରଞ୍ଜନ–ସେ ଅନୁତପ୍ତ, କ୍ଷମା ମାଗିଚନ୍ତି ।

 

ରତ୍ନ–ସେ ମିଠା କଥାରେ ଭୁଲିଗଲେ ? କ୍ଷମା ମାଗିବାକୁ ବେଳ ମିଳିଲା ନିର୍ବାଚନ ସମୟକୁ ? ଅନୁତାପ ପୂର୍ବରୁ ସ୍ପର୍ଶ କରି ନଥିଲା ?

 

ରଞ୍ଜନ–ଆପଣ ଯେ କହିଲେ ନିର୍ବାଚନରେ ସାହାଯ୍ୟ କରିବାକୁ ?

 

ଚନ୍ଦ୍ର–ହଁ, ନିର୍ବାଚନରେ ମତେ ସାହାଯ୍ୟ କରିବାକୁ କହୁଥିଲି । ମୁଁ ବାପାଙ୍କ ବିରୁଦ୍ଧରେ ଛିଡ଼ା ହେଇଚି । ଏହି ନିର୍ବାଚନ ମଣ୍ଡଳୀରେ ପ୍ରତିଦ୍ୱନ୍ଦିତା କରୁଚି । ଭାବିଥିଲି, ଆପଣ ସ୍ୱଦେଶପ୍ରେମୀ-। ଆପଣ ଦରିଦ୍ର ପ୍ରଜାମାନଙ୍କ ପାଇଁ ଲୁହ ଢାଳୁଥିବେ । ଆପଣ ମତେ ସାହାଯ୍ୟ କରି ମୂକ ଜନତାର ମଙ୍ଗଳ କରିବେ; ନିଷ୍ପେଷିତା ନାରୀ ଜାତିର କଲ୍ୟାଣ କରିବେ । କିନ୍ତୁ ଆପଣ ମତେ ନିରାଶ କଲେ । ବଡ଼ ସରଳ ବିଶ୍ୱାସୀ ଆପଣ । ଆପଣଙ୍କୁ ଦୋଷ ଦେବି ନାହିଁ । ମୋ ଭାଗ୍ୟର ଦୋଷ । ନ ହେଲେ କାଲି ସନ୍ଧ୍ୟାରୁ ଆସିବାକୁ ଚେଷ୍ଟା କରି ଆସି ପାରି ନଥାନ୍ତି କାହିଁକି ? ମୋର ଆଉ କିଛି କହିବାର ନାହିଁ । ଆପଣଙ୍କ ତ୍ୟାଗ ଓ ମହତ୍ତ୍ୱ ମୋ ଜୀବନର ପ୍ରଧାନ ପ୍ରେରଣା । ଜୀବନର ଶେଷ ପର୍ଯ୍ୟନ୍ତ ମତେ ତାହା ଆଲୋକ ଦେଖାଇବ । ବିଦାୟ ଦିଅନ୍ତୁ–

 

ସଜଳ ନୟନରେ ଚନ୍ଦ୍ରପ୍ରଭା ବୁଲି ପଡ଼ି ଅନ୍ଧାର ଭିତରେ ଲୁଚିଗଲେ ।

 

ରଞ୍ଜନ ମାନସିକ ଦ୍ୱନ୍ଦ୍ୱର ସମାଧାନ ପାଇଁ ନିଜ କୁଟୀର ଅଭିମୁଖେ ଆଗେଇଲେ ।

Image

 

ଦେବତାର ଅଭିମାନ

 

ମ୍ଲାନ ଚନ୍ଦ୍ରମାର ଅସ୍ପଷ୍ଟ ଆଲୋକରେ ମଧ୍ୟ ଦିହେଁ ଦୁହିଁଙ୍କର ମୁଖର ଭାବ, ଚକ୍ଷୁର ଭାଷା ସହଜରେ ଦେଖି ପାରୁଥିଲେ–ଉପଲବ୍ଧିକରି ପାରୁଥିଲେ । ଜଣକର ମୁଖ ଗମ୍ଭୀର ଅଥର ଆଖିରେ ଅନୁନୟର ସୂଚନା । ଅନ୍ୟ ଜଣକର ମୁଖ ଅଜଣା ଆଶଙ୍କାରେ ଭୟବିହ୍ୱଳ । ଚକ୍ଷୁ ମୁଦିତ ଥିଲେ ସୁଦ୍ଧା ବନ୍ୟା–ସ୍ରୋତର ଗତି ରୁଦ୍ଧ କରି ପାରୁ ନାହିଁ । କେତେକ୍ଷଣ ପରେ ଅମର ପୁଣି ଥରେ କହିଲେ–‘‘ଶୁଣ ସାଧନା, ଆହୁରି ଥରେ କହୁଛି ଶୁଣ । ଭୁଲିବନାହିଁ–ତୁମେ ଯେଉଁଠି ଥାଅ ପଛେ ମୋର ଶେଷ ସମୟବେଳେ ଯେପରି ହେଉ ଉପସ୍ଥିତ ହେବ । ଏହି ମୋର ଅନୁରୋଧ । ମୁଁ ତୁମ କୋଳରେ ମୁଣ୍ଡ ଦେଇ ଶେଷ ନିଦ୍ରାରେ ଶୋଇ ପଡ଼ିବି–ଶେଷ ଥର ପାଇଁ ତୁମ ମୁହଁକୁ ଚାହିଁ ଆଖି ବୁଜିବି । ନା, ନା, ବିଚଳିତ ହୋଇ ପଡ଼ ନାହିଁ । ହୁଏତ ସେ ଦିନ କେବେ ଆସିବ ନାହିଁ । କିନ୍ତୁ ଯଦି ସମ୍ଭବ ହୁଏ ତେବେ ମୋ କଥା ରକ୍ଷା କରିବାକୁ ଚେଷ୍ଟା କରିବ, କହି ।’’

 

ସାଧନା ବେଶୀ କିଛି କହିବା ଭଳି ଅବସ୍ଥାରେ ନ ଥିଲା । ତା ଗୋଡ଼ ଚଳୁନାହିଁ, ଗଳା ଥରୁଛି–ମୁଣ୍ଡ ଘୁରାଇ ଦେଉଛି । ସେ ଥକ୍କା ମାରି ବସି ପଡ଼ିଲା । ବୋଲି ସ୍ତୂପକୁ ଭରା ଦେଇ ନିଜର ଶାରୀରିକ ଓ ମାନସିକ ଦୁର୍ବଳତାକୁ ଦୂର କରିବାକୁ ଚେଷ୍ଟା କଲା । ଅସ୍ତମୁଖ ଚନ୍ଦ୍ରକୁ ନମସ୍କାର କରି ମନେ ମନେ ଗୁହାରି କରି କହିଲା–‘‘ଅନାବିଳ ପ୍ରେମର ଯଦି କିଛି ପ୍ରକୃତ ଶକ୍ତି ଥାଏ, ହୃଦୟର ଗଭୀରତା ଓ ଆନ୍ତରିକତାର ଯଦି କିଛି ମୂଲ୍ୟ ଥାଏ, ତେବେ ହେ ଚନ୍ଦ୍ର, ତୁମେ ଚାଲିଯିବା ପୂର୍ବରୁ ଶୁଣିଯାଅ–ମୁଁ ସେ ଅଶୁଭ ଦିନଟିକୁ ଆସିବାକୁ ଦେବି ନାହିଁ । ମୋ ଆଗରୁ ସେ ଚାଲିଯିବେ–ଏହା କଦାପି ହେବ ନାହିଁ । ତୁମେ ସାକ୍ଷୀ ।’’ ଏତିକି କହିସାରିବା ପରେ ସାଧନ ଟିକେ ପ୍ରକୃତିସ୍ଥ ହେଲା । କଥାର ସୁଅ ବଦଳି, ଯାଇଥିଲା । ଦୁହେଁ ଆସନ୍ନ ବିଚ୍ଛେଦର ବେଦନା ତୀବ୍ର ଭାବେ ଅନୁଭବ କରୁଥିଲେ । ନିଜ ନିଜର ସତ୍ତାକୁ ସମ୍ପୂର୍ଣ୍ଣ ଭୁଲି ଯାଇଥିଲେ । ଚନ୍ଦ୍ରଙ୍କୁ କ୍ଷଣକ ସକାଶେ ଲୁଚାଇଦେଇ ଦୁଇଟି ହଂସ ଆକାଶରେ ଉଡ଼ି ଯାଉଥିଲେ ।

 

କ୍ଷିପ୍ର ଗତିରେ ରେଲଗାଡ଼ି ଧାଇଁଛ–କାହା ପ୍ରତି ତାର ଭ୍ରୁକ୍ଷେପ ନାହିଁ । କିନ୍ତୁ ସମସ୍ତଙ୍କ ମନରେ ଚଞ୍ଚଳତା ଆଣି ଦେବା ଶକ୍ତି ଅଛି ତା’ର । ବିଲର ଚାଷୀ ନଇଁ ପଡ଼ି ରେଳକୁ ଚାହିଁଛି–ଗାଁ ଦାଣ୍ଡରୁ ପିଲାଏ ଡାକ ଦେଇ ଧାଇଁ ଆସିଛନ୍ତି । ପକ୍ଷୀ ଦୁଇଟି ଟେଲିଗ୍ରାଫତାରରେ ବସିଥିଲେ ଉଡ଼ିଗଲେ । ଗୋଠର ଗାଈ ଘାସ ଚରିବା ଭୁଲିଲେ । ପାଣି ମାଠିଆ ଧରି ନଈବନ୍ଧ ଉପରକୁ ପଲ୍ଲୀବଧୂମାନେ ଚଢ଼ିଆସୁଥିଲେ–ରେଳର ଆକର୍ଷଣରେ ଓଢ଼ଣା ଫାଙ୍କରୁ ମୁହଁ କାଢ଼ି ଚାହିଁଲେ ।

 

ସଧନା କାହା ସହିତ କଥା କହୁନାହିଁ, କିମ୍ବା କାହା ଆଡ଼େ ନଜର ଦେଇନାହିଁ । ଗଭୀର ଚିନ୍ତାମଗ୍ନା ସେ–ଅସୀମ ଭାବନାରେ ବିଭୋର ସେ ! କାହାକୁ ଭ୍ରୂକ୍ଷେପ କରିବାକୁ ଅବସର କାହିଁ ତା’ର ? କିନ୍ତୁ ସେ ମଧ୍ୟ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରୁଛି । ରେଳଡ଼ବାର ଶତକଡ଼ା ନବେ ଜଣଙ୍କର ଦୃଷ୍ଟି ତାରି ଉପରେ କେନ୍ଦ୍ରୀଭୂତ ହୋଇ ରହିଛି । ବିଶେଷ ଭାବରେ ଜଣେ ତାର ଏ ଉଦାସୀନତା ଲକ୍ଷ୍ୟ କରି ଆତ୍ମ ସମ୍ବରଣ କରି ରହିପାରିଲେ ନାହିଁ । ତାର ଧ୍ୟାନ ଭଙ୍ଗ କରିବା ଉଦ୍ଦେଶ୍ୟରେ କମଳବାବୁ ଡାକି କହିଲେ–‘‘କୋଇଲା ଗୁଣ୍ଡ ଆଖିରେ ପଡ଼ିବ–ମୁହଁଟା ବାହାରକୁ ରଖିଛ କାହିଁକି ? ଏଇ ଦେଖ ଖବର କାଗଜରେ କଅଣ ବାହାରିଛି । କଟକ ସହରରେ ଗତ ଜନଗଣନା ଅପେକ୍ଷା ଶତକଡ଼ା ତିନିଭାଗ ଜନ ସଂଖ୍ୟାରେ ବୃଦ୍ଧି ହୋଇଛି । ଆମ ଦେଶ କି ମାରାତ୍ମକ ପନ୍ଥାରେ ଗତି କରୁଛି କହ ତ ? ବାସ୍ତବିକ ଜନ୍ମନିରୋଧ ବ୍ୟବସ୍ଥା ବାଧ୍ୟତାମୂଳକ ନ ହେଲେ ଏ ଦେଶର ଆଉ ଭବିଷ୍ୟତ ନାହିଁ ।’’ ସାଧନାର ହୃଦୟତନ୍ତ୍ରୀରେ ଯେଉଁ ଝଙ୍କାର ଉଠୁଥିଲା ତାହା ହଠାତ୍ ବନ୍ଦ ହୋଇଗଲା । ମସ୍ତିଷ୍କର ଆହ୍ୱାନରେ ହୃଦୟର ସ୍ୱନ୍ଦନ ଧୀର ଓ କ୍ଷୀଣ ହୋଇ ଆସିଲା । ସେ କମଳ ବାବୁଙ୍କ ସହିତ ଦେଶର ଗୁରୁ ସମସ୍ୟାନେଇ କେତେ କଅଣ ଆଲୋଚନା ଆରମ୍ଭ କରିଦେଲା ।

 

ରେଲ ଷ୍ଟେସନରୁ ଯେଉଁ ରାସ୍ତାଟା ଆସିଛି ତାହା କ୍ରମେ ପାହାଡ଼ ଉପରକୁ ଉଠିଛି । ପଥୁରିଆ ରାସ୍ତା । ସ୍ଥାନେ ସ୍ଥାନେ ଗିରି ନିର୍ଝରିଣୀର ଶୁଷ୍କ ଶଯ୍ୟା ରାସ୍ତାଟିକୁ ବାଲୁକାମୟ କରିଦେଇଛି । ରାସ୍ତାର ଦୁଇ ପାର୍ଶ୍ୱରେ ଆମ୍ବ, ପଣସ, ପିଜୁଳି, ବାଦାମ ଆଦି ନାନା ଫଳ ଗଛର ବଗିଚା । ରାସ୍ତାଟି ସରିଛି ଠିକ୍ କମଳ ବାବୁଙ୍କ ବସା ଘରର ପାହାଚ ପାଖରେ । ସାଧନା ମୁଗ୍ଧ ନେତ୍ରରେ ସ୍ଥାନଟିର ରମଣୀୟତା ଉପଭୋଗ କରୁଥିଲା । ତାର କୌତୁହଳୀ ଦୃଷ୍ଟି ଯାଇ ପଡ଼ିଲା ଗୋଟିଏ ସଂକୀର୍ଣ୍ଣ ପଥ ଉପରେ–ବକ୍ରିମ ଗତିରେ ପଛ ପାହାଡ଼ ଭିତରେ କେଉଁଆଡ଼େ ଲୁଚି ଯାଇଛି-। ପଚାରି ବୁଝିଲ, ସେହି ସରୁ ରାସ୍ତାଟି ଯାଇଁ ନିକଟସ୍ଥ ଉଚ୍ଚ ପାହାଡ଼ର ପାଦ ଦେଶକୁ । ସେଠାରେ ‘ଆରୋଗ୍ୟ କୁଣ୍ଡ’ ବୋଲି ଗୋଟିଏ ପଥର ବନ୍ଧା ଜଳ ଭଣ୍ଡାର ରହିଛି । ସେହି ବାରଧାରାର ଉତ୍ପତ୍ତି କେଉଁଠାରେ ତାହା କେହି ଜାଣନ୍ତି ନାହିଁ । କିନ୍ତୁ ବର୍ଷସାରା ସେହି କୁଣ୍ଡଟି ପୂର୍ଣ୍ଣ ଥାଏ । ଅଥଚ ଅନବରତ କୁଣ୍ଡର ଗୋଟିଏ କୋଣରୁ ପାଣି ଝରି ଯାଉଥାଏ ପାହାଡ଼ ତଳକୁ । କଥିତ ଅଛି, ସେଠାରେ ସ୍ନାନ କଲେ ଦୁଇଟି ଉପକାର ହୁଏ । ଶରୀରର ସ୍ୱାସ୍ଥ୍ୟ ଅତୁଟ ରହେ । ପୁଣି ସେଠାରେ ସ୍ନାନ ସାରି ଝଙ୍କା ବରଗଛ ମୂଳରେ ଭଗବତୀ ଠାକୁରାଣୀଙ୍କଠାରେ ଫୁଲ ଚଢ଼ାଇଲେ ନିଜର କାମନା ସିଦ୍ଧି ହୁଏ । କୁଣ୍ଡଟି ରହିଚି ପାହାଡ଼ର ମଧ୍ୟ ଦେଶର ଅଳ୍ପ ତଳକୁ । କିନ୍ତୁ ଶିଖର ଉପରେ ଗୋଟିଏ ପ୍ରକାଣ୍ଡ ପଥର । ବହୁ ଦୂରରୁ ସୁଦ୍ଧା ତାର ଧଳା ବର୍ଣ୍ଣଟି ଚକ୍ ଚକ୍ କରୁଥାଏ । ପ୍ରଶସ୍ତ ମଣ୍ଡପ ପରି ଜଣା ପଡ଼ୁଥାଏ । ସାଧନା ପଚାରିଲା, ‘‘ତଳେ ତ ପାଣିକୁଣ୍ଡ–ଠାକୁରାଣୀଙ୍କ ଆସ୍ଥାନ ସବୁ ରହିଛି–ଏତେ ଉଚ୍ଚରେ ସେହି ପଥରଟିର ବିଶେଷତ୍ୱ କଅଣ ଥାଇପାରେ ? ତା’ର କିଛି ଇତିହାସ ଅଛି କି ?’’ କମଳ କହିଲେ–‘‘ନା ନା, ଇତିହାସ କିଛି ନାହିଁ । ପ୍ରାକୃତିକ ସୌନ୍ଦର୍ଯ୍ୟ ଦେଖିବା ପାଇଁ ଯେଉଁମାନେ ପାଗଳ, ଉଦାହରଣ ସ୍ୱରୂପ ଯେପରି ତୁମେ, ସେହିମାନଙ୍କ ପାଇଁ ସେହି ପଥରଟିକୁ ଚିକ୍କଣ ଓ ପରିଷ୍କାର କରି ରଖାଯାଇଛି, ସେଠି ବସିଲେ ବହୁତ ଦୂର ଯାଏ ଦେଖିହୁଏ । ମୁଁ ନିଜେ କେବେ ଯାଇନି; କିନ୍ତୁ ସମସ୍ତେ କହୁଛନ୍ତି, ସେଠାରୁ ଶ୍ରୀକ୍ଷେତ୍ରର ଅନେକାଂଶ ଦିଶେ–ଦେବାଳୟଟିତ ସ୍ପଷ୍ଟ ଦେଖାଯାଏ ।’’ ଶ୍ରୀକ୍ଷେତ୍ରର ନାଁ ଶୁଣି ସାଧନାର ମୁଖରେ ଭାବାନ୍ତରର ସୂଚନା ପ୍ରକାଶିତ ହେଲା । ହୃଦୟର ଉଚ୍ଛ୍ୱାସକୁ ଦବାଇ ଦେଇ ସେ କହିଲା–‘‘ଏହି ଆରୋଗ୍ୟ କୁଣ୍ଡରେ ମୁଁ ନିତି ସ୍ନାନ କରିବାକୁ ଆସିଲେ ଭଲ ହୁଅନ୍ତା ନାହିଁ ?’’

 

କମଳ ଉତ୍ସାହିତ ହୋଇ କହିଲେ–‘‘ନିଶ୍ଚୟ । ସେହି ଜଳର ରାସାୟନିକ ଗୁଣ ଖୁବ୍ ଅଛି-। ସେଠାରେ ଗାଧୋଇଲେ କୌଣସି ଚର୍ମରୋଗ ବା ବାତ ହୁଏ ନାହିଁ । ତେବେ ଖୁବ୍ ଭୋରରୁ ଆସି ଗାଧୋଇ ନ ଗଲେ ପରେ ବହୁତ ଲୋକ ଆସି ପାଣିକୁ ଅପରିଷ୍କାର କରିଦେଇ ପାରନ୍ତି ।’’

 

ଅନୁମତି ପାଇ ସାଧନା ଉତ୍‍ଫୁଲ୍ଲ ହୋଇ ଉଠିଲା । କେହି ଉଠିବା ଆଗରୁ ସୂର୍ଯ୍ୟୋଦୟର ବହୁତ ପୂର୍ବରୁ ସେ ଆସି ସ୍ନାନ ସାରେ ପ୍ରତିଦିନ । କିନ୍ତୁ ସେତିକିରେ ତୃପ୍ତି ମିଳେ ନାହିଁ । ସେ ଧୀରେ ଧୀରେ ଉଠିଯାଏ ପର୍ବତ ଶିଖରର ଧଳା ପଥର ଉପରକୁ । ଅପଲକ ନେତ୍ରରେ ଚାହିଁ ରହେ ସୁଦୂର ନୀଳାଚଳ ଧାମକୁ । ଦିନ ଦିନ କରି କେତେ ବର୍ଷର କେତେ ମଧୁର ଅନୁଭୂତି ସବୁ ମନକୁ ଆସେ । ଚକ୍ଷୁ ବାଷ୍ପାକୁଳ ହୋଇଯାଏ । ନିରୀକ୍ଷଣ କରି ଦେଖେ ଶ୍ରୀମନ୍ଦିରର ତୁଙ୍ଗ ଶିଖରକୁ, ଚାରି ପଟେ ଘେରି ରହିଥିବା ପ୍ରଶସ୍ତ ରାସ୍ତାକୁ । କିଛି ସ୍ପଷ୍ଟ ଦିଶେ ନାହିଁ । ତଥାପି ସେ ଆଶ୍ୱସ୍ତ ହୁଏ । ଏହି ଦାଣ୍ଡରେ ଆମର ନିତିଦିନ କର୍ମ କ୍ଷେତ୍ରକୁ ଏତିକିବେଳେ ଯାଆନ୍ତି । ବର୍ତ୍ତମାନ ମଧ୍ୟ ସାଇକେଲ୍ ଛୁଟାଇ ଯାଉଥିବେ । ସେ ଚିହ୍ନି ପାରିବ ନାହିଁ ଜାଣେ; ତଥାପି ତାଙ୍କର ଅସ୍ତିତ୍ୱକୁ ଅନୁଭବ କରିବ ଏଇଠି ଛିଡ଼ା ହୋଇ । ଦେବାଳୟକୁ ପୁଣି ଚାହେଁ । ଆନତ ଶିରରେ ଦେବତାଙ୍କୁ ଜୁହାର କରେ । ସାଙ୍ଗରେ ଆଣିଥିବା ଦେବତାଙ୍କ ଉଦ୍ଦେଶ୍ୟରେ ଅଶ୍ୱତ୍ଥ ଗଛ ଡାଳରେ ଥୋଇ ଦେଇ ଆସେ । ଆଉ ନିଜର ମନ କଥା ଅବ୍ୟକ୍ତ ଭାଷାରେ ଶୁଣାଇଦିଏ ।

 

ସାଧନାର ଏହା ଗୋଟିଏ ଦୈନନ୍ଦିନ ଅଭ୍ୟାସ ହୋଇ ଗଲାଣି । ଉଚ୍ଚ ଗିରିଶୃଙ୍ଗ ଆରୋହଣର କ୍ଲାନ୍ତି ତାକୁ ଏଥିରେ ବିରତ କରାଇ ପାରିନାହିଁ । ପ୍ରତ୍ୟୁଷରେ ତୁହିନ–ଶୀତଳ ଜଳରେ ଅବଗାହନ କରିବାକୁ ଡରିଯାଇ ନାହିଁ । ଦିବସର ଏହି ବେଳାଟି ତାର ଚିର ଆକାଂକ୍ଷିତ; ଚିର ଇପ୍ସିତ । ସେଦିନ କମଳବାବୁ ଟିକେ ସନ୍ଦେହମିଶା ଗଳାରେ ପଚାରିଲେ–‘‘ସାଧନା, ତୁମେ ସ୍ନାନ ସାରି କଅଣ ରୋଜ୍ ଗିରିଶୃଙ୍ଗକୁ ଉଠୁଛ କି ? କାହିଁକି ଏତେ ବିଳମ୍ବ ହେଉଛି ତୁମର ? ପ୍ରତିଦିନ ସେଠିକି ଯିବାର ପ୍ରୟୋଜନୀୟତା କିଛି ଦେଖୁନାହିଁ ତ !’’

 

ସାଧନା ଜାଣେ, ସତ କଥା କହିବା ଦ୍ୱାରା ବିଶେଷ ଲାଭ ନାହିଁ । ତା ହୃଦୟ ବୀଣାର ଅତି ସୂକ୍ଷ୍ମ କୋମଳ ଧ୍ୱନିଟିକୁ ଶୁଣି ବୁଝିବା ଶକ୍ତି ସମସ୍ତଙ୍କର ନଥାଇ ପାରେ । ସେ ନିଜ ବୁଦ୍ଧିର ଆଶ୍ରୟ ନେଲା । କହିଲା–‘‘ତୁମେ ନା ମତେ କହିଥିଲ ଉଇଁ ଆସୁଥିବା ସୂର୍ଯ୍ୟର କଅଁଳ ତେଜକୁ ଚାହିଁବା ଦ୍ୱାରା ଚକ୍ଷୁର ଦୃଷ୍ଟି ଶକ୍ତି ବଢ଼େ ବୋଲି ? ପ୍ରାତଃସ୍ନାନ ସାରି ମୁଁ ସେହି ବାଳାରୁଣର କିରଣକୁ ଦେଖିବାକୁ ଯାଏ । ପର୍ବତ ଘେରା ଏହି ସ୍ଥାନଟିରେ କାହିଁ କେବେ ତ ମୁଁ ସୂର୍ଯ୍ୟୋଦୟ ଦେଖିପାରୁ ନାହିଁ । ସୂର୍ଯ୍ୟ ଦିଶିବା ବେଳେ ତେଜ ପ୍ରଖର ହୋଇ ସାରିଥାଏ–ଚକ୍ରବାକ ସତେ ଏଠି ତ ମୋଟେ ଦେଖା ଯାଉ ନାହିଁ । ତା ଛଡ଼ା ପ୍ରତିଦିନ ସକାଳେ ପାହାଡ଼ ଚଢ଼ିବାଦ୍ୱାରା ମୋର ଯଥେଷ୍ଟ ଅଙ୍ଗଚାଳନା ହେଉଛି–’’

 

କମଳ ଏ ଯୁକ୍ତିରେ ତୃପ୍ତ ହେଲେ । ସେ ଚାହାନ୍ତି, ସାଧନାର ସ୍ୱାସ୍ଥ୍ୟ ଅକ୍ଷୁଣ୍ଣ ରହୁ । ସେ ଆନନ୍ଦରେ କହିଲେ, ‘‘ଠିକ୍ ଠିକ୍ । ତୁମେ ଏଠାରେ ମାସଟାଏ ରହିଗଲେ ତୁମ ଦେହରେ ସ୍ୱାସ୍ଥ୍ୟ ପୁରି ଉଠିବ । ଶାରୀରିକ ସ୍ୱାସ୍ଥ୍ୟ ଏଠାରେ ଅତି ସୁନ୍ଦର ରହେ ।’’ ସାଧନା କହି ଆସୁଥିଲା–‘‘ଆଉ ମାନସିକ ସ୍ୱାସ୍ଥ୍ୟ ?’’ କିନ୍ତୁ ଅଟକିଗଲା ଜାଣି ଜାଣି ।

 

ସାଧନା ଅମର ପାଖକୁ ଚିଠି ଲେଖିଛି–‘ଆସନ୍ତା ରବିବାର ଦିନ ସକାଳ ସାତୁଟାରେ ତୁମେ ସେଠି ମନ୍ଦିରକୁ ଯିବ । ମୁଁ ଏହି ପାହାଡ଼ ଉପରେ ଅପେକ୍ଷା କରିଥିବି । ତୁମେ ସେଠି–ମୁଁ ଏଠି; ତଥାପି ଏକା ସାଙ୍ଗରେ ଦିଅଁଙ୍କୁ ପ୍ରଣାମ କରିବା, ଆଶୀର୍ବାଦ ମାଗିବା, ମନର ବ୍ୟଥା ଜଣାଇବା । ଘଣ୍ଟା ଦେଖି ସବୁ କାମ କରିବା ତ ତୁମର ଅଭ୍ୟାସ । ଏଣୁ ଠିକ ସାତୁଟାରେ ସେଠାରେ ଯେପରି ପହଞ୍ଚ ।’

 

ଶନିବାର ସନ୍ଧ୍ୟାରେ ବାହାର ବାରଣ୍ଡାରେ ବସି କଥାବାର୍ତ୍ତା ହେଉ ହେଉ କାଲୁଆ ପବନଟା ବହି ଆସିଲା; ଆଉ ସାଧନାରୁ ଦେହ କିମିତି ଟିକେ ଶିହରି ଉଠିଲା । କମଳବାବୁ ଏହି ତତ୍‍କ୍ଷଣାତ୍ ଲକ୍ଷ୍ୟ କରି କହିଲେ–‘ଦେଖ ସାଧନା, ଏ ପବନଟା ଭଳି ନୁହେଁ । କାଲି ଆଉ ତୁମେ ସେହି ଖୋଲା କୁଣ୍ଡରେ ଗାଧୋଇବାକୁ ଯିବ ନାହିଁ । ଚାକର ଏଠି ଗରମ ପାଣି କରିଦେବ । ଗାଧୁଆ ଘରେ ଗାଧୋଇ ନେବ ।’ ସାଧନାର ଶତ ଅନୁରୋଧ ସତ୍ତ୍ୱେ କମଳ ବାରଣ କଲେ ଥଣ୍ଡା ପାଣିରେ ସ୍ନାନ କରିବାକୁ । ସାଧନା କହିଲା, ‘ଅନ୍ତତଃ ବ୍ୟାୟାମ ପାଇଁ ପର୍ବତ ଶିଖରକୁ କିମିତି ଟିକେ ଯାଆନ୍ତି ।’ କମଳ ନ ହସି ରହି ପାରିଲେ ନାହିଁ । କହିଲେ–‘କି ଛୋଟ ପିଲା ବୁଦ୍ଧି ଧରିଛ ସାଧନା ? ଏଡ଼େ ବଡ଼ ପ୍ରଶସ୍ତ ମୁକ୍ତ ସ୍ଥାନରେ ବ୍ୟାୟାମ କରିବାକୁ ସୁବିଧା ନାହିଁ ଯେ ତୁମେ ପାହାଡ଼ ନ ଗଢ଼ିଲେ ହେଉ ନାହିଁ ? ନା, ନା, ସେ କଥା ହେବ ନାହିଁ–ଚାଲ ମୁଁ ତୁମକୁ ବୁଲାଇ ଆଣିବି । ମୋର କର୍ମକ୍ଷେତ୍ର ଏଠାରୁ ତିନି ମାଇଲ ଦୂର । ପାହାନ୍ତାରୁ ସେଠିକି ଚାଲିଗଲେ ଫେରୁ ଫେରୁ ଠିକ ଆଠଟା ବାଜିଥିବ ।’

 

କମଳ କାର୍ଯ୍ୟାନ୍ତରରେ ଅନ୍ୟ ଗୋଟିଏ ଗ୍ରାମକୁ ଯାଇଛନ୍ତି । ସନ୍ଧ୍ୟା ହେବା ପୂର୍ବରୁ ସେ ଚାଲିଗଲେ । ତା ପରଦିନ ସନ୍ଧ୍ୟା ଗାଡ଼ିରେ ଆସି ପହଞ୍ଚିବେ । ସାଧନାକୁ କହିଛନ୍ତି ସାବଧାନ ହୋଇ ଚଳିବାକୁ । ବଣ ଜଙ୍ଗଲ ଘେରି ରହିଛି । ସନ୍ଧ୍ୟାବେଳଠୁ ସେ ଦ୍ୱାର ବନ୍ଦକରି ଭିତରେ ରହିବ-। ସରକାରୀ ଟଙ୍କା ସହସ୍ରାଧିକ ଛାଡ଼ିଦେଇ ଯାଉଛନ୍ତି । ଏଣୁ ତା ଦାୟିତ୍ୱ ଖୁବ ବେଶୀ । ସେ ଘର ଛାଡ଼ି ବାହାରକୁ ଯିବା ବାଞ୍ଛନୀୟ ନୁହେଁ ।

 

ଦୁଇଦିନ ହେଲା ସେ ବାଧ୍ୟ ହୋଇ ପାହାଡ଼ ପାଖକୁ ସୁଦ୍ଧା ଯାଇ ପାରି ନାହିଁ । ମନଟା ତାର ଛଟ ପଟ ହେଉଥାଏ । କଥା ଦେଇଥିଲା ଯିବାକୁ, ଅଥଚ ଯାଇପାରି ନାହିଁ । ଅବଶ୍ୟ ଏକଥା କେହି ଜାଣିବେ ନାହିଁ କି କୈଫିୟିତ ମାଗିବେ ନାହିଁ । କିନ୍ତୁ ସେ ଏତେ ଯୋଜନ ଦୂରରେ ସୁଦ୍ଧା ଅମରର ଯେଉଁ ସାନ୍ନିଧ୍ୟ ଅନୁଭବ କରିପାରି ଥାଆନ୍ତା, ତା ତ ହେଲାନାହିଁ । ନିତି ଶ୍ରୀମନ୍ଦିରର ପତାକାକୁ ନମସ୍କାର ନକଲେ ଜଳସ୍ପର୍ଶ କରୁ ନଥିଲା । ସେଥିରେ ବି ବିଭ୍ରାଟ ଜନ୍ମିଲା । ମନରେ ଶାନ୍ତି ନାହିଁ ! ରାତି ବଢ଼ୁଛି । ଦ୍ୱାରରେ କିଏ ଆସି ଡାକିଲା । ସାଧନା ଚମକ ପଡ଼ି ଝରକା ବାଟେ ଚାହିଁ ଦେଖିଲା, ଡାକିବାଲା ଚିଠି ଖଣ୍ଡେ ଧରି ଆସିଛି । ଅଦ୍ଭୂତ ସେ ସ୍ଥାନର ବ୍ୟବସ୍ଥା । ରାତି ଆଠଟା ନଅଟା ନ ହେଲେ ଚିଠି ଦେବାପାଇଁ ଡାକବାଲାର ଅବସର ନଥାଏ ।

 

ସାଧନା ଚିଠିଖୋଲି ପଢ଼ିଲା । ତାର ହୃଦୟରେ ଶାଣିତ ଛୁରିକା କିଏ ବଦ୍ଧ କରିଦେଲା ପରି ବୋଧହେଲା । ଅମର ଲେଖିଛନ୍ତି–ରବିବାର ସନ୍ଧ୍ୟାରୁ ସେ ଅସୁସ୍ଥ । ମନ୍ଦିରକୁ ଠିକ ସମୟରେ ଯାଇଥିଲା–ସାଧନାର ମଙ୍ଗଳ ପାଇଁ ପ୍ରାର୍ଥନା କରି ଆସିଛନ୍ତି । ଦେହରେ ଜ୍ୱର ବଢ଼ୁଛି; ଏଣୁ ବିଶେଷ କିଛି ଲେଖିବାର ଶକ୍ତି ନାହିଁ.... । ନିର୍ବାକ ହୋଇ ସାଧନା ଶୂନ୍ୟ ଆକାଶକୁ ଚାହିଁଛି । କେତେ ଅକୁହା ବ୍ୟଥା, କେତେ ଅଜଣା ଆଶଙ୍କାରେ ତାର ହୃଦୟ ଭାଙ୍ଗି ପଡ଼ୁଛି । ସେ ବସି ବସି ଚିଠି ଖଣ୍ଡେ ଲେଖିଲା । ସକାଳ ହେଲେ କାହା ହାତରେ ହେଉ ଡାକଘରେ ପକାଇବାକୁ ପଠାଇବ । ଅଢ଼େଇ ମାଇଲ ଦୂରରେ ଡାକଘର । ଘରେ କେହି ନାହାନ୍ତି । ତଥାପି ଯେ କୌଣସି ଉପାୟରେ ହେଉ ଚିଠିଟି ତାର କାଲି ପୋଷ୍ଟ ହେବ ।

 

ଯଥାସମୟରେ କମଳବାବୁ ଘରେ ପହଞ୍ଚିଲେ । ରାତିଆଠଟା କମଳବାବୁଙ୍କ ଅଭ୍ୟାସ–କେବେ ଡାକନ୍ତି ନାହିଁ, କେବଳ ଦ୍ୱାରଦେଶରେ କରାଘାତ କରନ୍ତି । ଅନେକ ସମୟ ପର୍ଯ୍ୟନ୍ତ କବାଟରେ ବାଡ଼େଇବା ପରେ ସେ ଦେଖିଲେ, ଘରେ ବଡ଼ କୋଲପଟାଏ ପଡ଼ିଛି । ମତିଭ୍ରମ ହେଲା ତାଙ୍କର । ଏତେବେଳେ ଯାଏ ସାଧନା ଅଛି କୁଆଡ଼େ ? ତାକୁ ପରା ସେ ମନା କରିଥିଲେ ସନ୍ଧ୍ୟାରେ କୁଆଡ଼େ ଯିବାପାଇଁ ? ଏସବୁ କଅଣ ହୋଇଛି ? ବୁଢ଼ା ଚୌକିଦାରକୁ ଡକାଗଲା । ବୁଢ଼ା ସଦ୍ୟ ଗୁଲିଟଣାରୁ କ୍ଷାନ୍ତ ହୋଇଥାଏ । ହାତରେ ସେପର୍ଯ୍ୟନ୍ତ ଚିଲମଟା ରହିଛି । ବାବୁ ଧମକ ଦେଇ ପଚାରିଲେ–‘ମା କାହାନ୍ତି ?’ ବୁଢ଼ା ଜବାବ ଦେଲା ‘ହଜୁରଙ୍କ ସାଙ୍ଗରେ ଯାଇଥିଲେ ପରା; ମୁଁ କେମିତି କହିବି ଆପଣ କେଉଁଠି ଛାଡ଼ି ଅଇଲେ ।’ କମଳ କିଛି କୂଳ କିନାରା ପାଇଲେ ନାହିଁ । ତେବେ ସାଧନା ଦିନସାରା ଘରେ ନାହିଁ । ଗଲା କୁଆଡ଼େ ? କୋଲପ ଭାଙ୍ଗି ଘରେ ପଶି ତନ୍ନ ତନ୍ନ କରି ସବୁ ସ୍ଥାନ ଖୋଜିଲେ । ଖୋଜୁ ଖୋଜୁ ପାଇଲେ ଟେବୁଲ ଉପରେ ଅମରର ଚିଠି । ଅମରର ଅସୁସ୍ଥତା ଓ ସାଧନାକୁ ଦେଖିବା ପାଇଁ ତାର ବ୍ୟାକୁଳତା । କମଳବାବୁ ସ୍ୱୀୟ ପ୍ରଖର ଧୀଶକ୍ତର ସାହାଯ୍ୟରେ ଏହି ସିଦ୍ଧାନ୍ତରେ ଉପନୀତ ହେଲେ ଯେ ସାଧନା ନିଜକୁ ସମ୍ଭାଳି ନପାରି ଅମରକୁ ଦେଖିବାକୁ ଚାଲି ଯାଇଛି । ଅସଂଯମର ଚରମ ସୀମାକୁ ଲଙ୍ଘନ କରିଛି ସେ । କି ଦାୟିତ୍ୱଶୂନ୍ୟତା ! ବାରେ ବାରେ କହିଥିଲେ ସରକାରୀ ଟଙ୍କା ସବୁ ରହିଛି, ସେ ବେଶୀ ସମୟ ବାହାରେ ବୁଲିବା ଉଚିତ ନୁହେଁ । ସବୁ କଥାକୁ ବେଖାତିର କରି ସେ ଏ ସ୍ଥାନ ଚାଲିଗଲା ? ଚାରିଆଡ଼େ ଆଖି ବୁଲାଇ ଦେଖିଲେ । ନା ତ, କୌଣସି ଜିନିଷ ସାଙ୍ଗରେ ନେଲାପରି ମନେ ହେଉନାହିଁ । ତେବେ କଅଣ ସେ ଖାଲି ହାତରେ ଯାଇଛି ? ପୁଣି ପର ଗାଡ଼ିରେ ଫେରି ଆସିବ ? ଅଶାନ୍ତ ମନକୁ ବୁଝାଇ ନ ପାରି ସିଧା ଗଲେ ଷ୍ଟେସନରେ ଖବର ନେବାକୁ । ଛୋଟ ଷ୍ଟେସନଟି । କିଏ ଗଲେ ଷ୍ଟେସନରେ ଖବର ନେବାକୁ । ଛୋଟ ଷ୍ଟେସନଟି । କିଏ ଗଲା ଆସିଲା ସବୁ କଥା ସହଜରେ ଧରା ପଡ଼େ । ବୁଝି ଦେଖିଲେ, ସାଧନା ଆଦୌ ରେଳରେ କେଉଁଠାକୁ ଯାଇନାହିଁ । କମଳବାବୁ ପାଗଳ ପରି ଏଣେ ତେଣେ ଖୋଜିବାରେ ଲାଗିଲେ । ତାଙ୍କର ମନେ ପଡ଼ିଲା ସାଧନାର ଆରୋଗ୍ୟ କୁଣ୍ଡ ପ୍ରତି ମମତା ଓ ବରଗଛମୂଳର ଠାକୁରାଣୀଙ୍କଠାରେ ତାର ଅଟଳ ବିଶ୍ୱାସ ।

 

ଧଳା ପଥର ମଣ୍ଡପର ବହୁତ ତଳେ, କଣ୍ଟାବୁଦା ମଝିରେ ସାଧନାର ନିର୍ଜୀବ ଶରୀରଟି ଲୋଟି ପଡ଼ିଛି । ମୁଣ୍ଡଫାଟି ଯେଉଁ ରକ୍ତଧାର ଛୁଟିଥିଲା ତାହା ଶୁଖି କଳା ହୋଇସାରିଛି । ସାରାଦିନର ଝିପି ଝିପି ବର୍ଷାର ଶାଢ଼ୀଟି ସଂପୂର୍ଣ୍ଣ ଓଦା । ଚାଙ୍ଗୁଡ଼ିର ମଉଳା ଫୁଲତକ ବିଞ୍ଚିହୋଇ ପଡ଼ିଛି । ତେବେ କଅଣ ଏ ଆତ୍ମହତ୍ୟା ?

 

ସାଧନାର ଶରୀରକୁ ପରୀକ୍ଷା କରୁ କରୁ କମଳ ଦେଖିଲେ ତାର ବ୍ଲାଉସ ଭିତରେ ଚିଠିଖଣ୍ଡେ । ବ୍ୟାକୁଳ ଭାବରେ ସେ ଟର୍ଚ୍ଚ ଲାଇଟରେ ପଢ଼ିବାକୁ ଲାଗିଲେ ।

 

ଚିଠି ଲେଖା ହୋଇଛି ଅମର ପାଖକୁ । ସାଧନା ଲେଖିଛି–‘‘ବହୁତ ଚେଷ୍ଟା କରି ସୁଦ୍ଧା ଗତ ଦୁଇଦିନ ହେଲା ମୁଁ ପାହାଡ଼ ଶିଖକୁ ଆସି ପାରିନାହିଁ । ଏଣୁ ତୁମେ ଯେଉଁଦିନ ମନ୍ଦିରକୁ ଯାଇଥିବ–ସେଦିନ ମୁଁ ଯାଇ ପାରିନାହିଁ । ବଡ଼ ଅବଶୋଷ ରହିଗଲା ମନରେ । ତୁମକୁ ଛାଡ଼ି ଆସିବାବେଳେ ଠାକୁରଙ୍କଠେଇଁ ତୁମକୁ ସମର୍ପି ଆସିଥିଲି । ତୁମ ଦେହର ଭଲ ମନ୍ଦ ସେ ଏଣିକି ବୁଝିବେ ବୋଲି କେତେ କାନ୍ଦି କହି ଆସିଛି । ଏଠି ରୋଜ ଯାଏ ଦିଅଁଙ୍କ ଉଦ୍ଦେଶ୍ୟରେ ଫୁଲ ଚଢ଼ାଇ ମୁଣ୍ଡିଆ ମାରି ତୁମ ମଙ୍ଗଳ ମନାସି ଆସେ । ଏ ଦୁଇ ଦିନ ଯାଇ ପାରିନାହିଁ । ସେଥିପାଇଁ ‘ଦେବତାଙ୍କ ଅଭିମାନ, ଦେଖିଲ ?’ ଦୁଇଟା ଦିନ ଭିତରେ ତୁମେ ଅସୁସ୍ଥ ହୋଇ ପଡ଼ିଲ । ତୁମ କଥା ସେ ଆଉ ବୁଝିଲେ ନାହିଁ । ହଉ, ମୋର ଅଭିମାନୀ ଦେବତାଙ୍କ ମନ ମୁଁ ଠିକ ବୁଝିଛି । କାଲି ସକାଳୁ ଯେତେ ବାଧାବିଘ୍ନ ଆଉ ପଛେ ପାହାଡ଼ ଉପରକୁ ଯିବି । ଦେବତାଙ୍କ ମାନଭଞ୍ଜନ କରିବି । ଆଞ୍ଜୁଳାଏ ଫୁଲ ବଦଳରେ ପୂରା ଚାଙ୍ଗୁଡ଼ିଏ ଫୁଲ ନେଇଯିବି । ଘଣ୍ଟାଏକାଳ ମୁଣ୍ଡିଆ ମାରି କହିବି ତୁମକୁ ଭଲ କରି ଦେବା ପାଇଁ । ରାତିକୁ ବର୍ଷା ହେଉଛି । ତଥାପି ଯିବି । ଏଣିକି ମୋର ଏ କର୍ତ୍ତବ୍ୟରେ ଆଉ ତ୍ରୁଟି ହେବ ନାହିଁ । ହଁ, ତୁମକୁ ସୁସ୍ଥ କରିଦେବାକୁ ପ୍ରାର୍ଥନା କରିବା ସାଙ୍ଗେ ସାଙ୍ଗେ ଆହୁରି ଗୋଟିଏ ବର ମାଗିବି । କହି ପାରିବ ସେ କି ବର ? ମନେ ଅଛି ସେଦିନ ସାଗରବେଳାରେ କି ଅଲକ୍ଷଣା କଥାଟି କହିଥିଲ ? ତାକୁ ଖଣ୍ଡନ କରିବା ପାଇଁ ମୁଁ ନିତି ଗୁହାରି କରେ । ତୁମ ନାମ ଅମର । ତୁମକୁ ଅମର କରି ରଖିବାକୁ ମୋର ଦୃଢ଼ ସଂକଳ୍ପ । ଅର୍ଥାତ ତୁମର ମର ଶରୀର ମୁଁ ଦେଖିବି ନାହିଁ–ତୁମେ ମୋ ପାଇଁ ଅମର ହୋଇ ରହିବ । ଏହାହିଁ ମୋର ଜୀବନର ବ୍ରତ । ସାଧନାର ଏ ସାଧନା ବ୍ୟର୍ଥ ହେବ ନାହିଁ କେବେ ।’’

 

କମଳଙ୍କର ବୁଝିବାକୁ କିଛି ବାକି ରହିଲା ନାହିଁ । ଲୋକେ କେତେ ଜଣ ଘେରି ଛିଡ଼ା ହୋଇ ଗଲେଣି । ସେମାନଙ୍କର ତୃପ୍ତି ପାଇଁ ସେ କହିଲେ–ଜଗନ୍ନାଥ ମନ୍ଦିର ଦର୍ଶନ କରିବା ପାଇଁ ଏଠିକି ଆସିଥିଲେ । ବର୍ଷାରେ ପଥରଟି ଖସଡ଼ା ହୋଇଥିଲା । ଗୋଡ଼ ଖସିଗଲା ।

 

ବ୍ରାହ୍ମଣଟିଏ ଛିଡ଼ା ହୋଇଥିଲା । ସହାନୁଭୂତିର ଆତିଶଯ୍ୟ ହେତୁ କହି ପକାଇଲା–ଆଜ୍ଞା, ଏ ଭଗବତୀ ଠାକୁରାଣୀଙ୍କର ବଡ଼ ଈର୍ଷା । ତାଙ୍କୁ ଫୁଲ ନ ଦେଇ ବଡ଼ ଠାକୁରଙ୍କ ଦର୍ଶନ ପାଇଁ ଯିବାରୁ ତାଙ୍କର ଏ ଅଭିମାନ । ଶେଷକୁ ଜୀବନ ନେଇ ଛାଡ଼ିଲେ ।

 

କାହାର କଥା କାନରେ ବାଜୁନଥିଲା । କମଳ ନିର୍ନିମେଷ ଚକ୍ଷୁରେ ଚାହିଁ ରହି ଥାଆନ୍ତି ସାଧନାର ବର୍ଷାଧୌତ ମୁଖଟିକୁ । ହଠାତ୍ ତାଙ୍କୁ ଦେଖାଗଲା ସାଧନ ଧୀରେ ଧୀରେ ନିଃଶ୍ୱାସ ମାରୁଛି–ସ୍ମିତହାସ ଟିକକ ଗଣ୍ଡକୁ ଛୁଇଁଛି । ଆନନ୍ଦବିହ୍ୱଳ ହୋଇ ସେ ସାଧନାକୁ ଝାଙ୍କି ଦେଇ ନିଜ ଭ୍ରମ ବୁଝି ପାରିଲେ । ଲୋତକ ଢଳ ଢଳ ଆଖିରେ ସବୁ ହଲିଲା ପରି, ଜୀବନ୍ତ ପରି ମନେ ହୋଇଥିଲା ମାତ୍ର ।

Image

 

ସାନ୍ଧ୍ୟ–ଆଇନ୍

 

ଗିରିମାଳାବେଷ୍ଟିତ କ୍ଷୁଦ୍ର ଜନପଦଟି । ପରିବେଶ ଶାନ୍ତ, ସ୍ନିଗ୍ଧ ଓ ସୁଷମ । ଅତୁଳନୀୟ ପ୍ରାକୃତିକ ବିଭବ ତୁଳୀ ଓ ରଙ୍ଗରେ ରୂପାୟିତ ହୋଇପାରେ । କାଳୀ ଓ କଲମ ଦ୍ୱାରା ତା’ର ରୂପାଙ୍କନ ଅପୂର୍ଣ୍ଣ ହୋଇଯିବ । ଅଧିବାସୀମାନଙ୍କର ଜୀବନପ୍ରବାହ ଅତି ସରଳ ଓ ନିରାଡ଼ମ୍ବର ।

 

ଗଭୀର ସୁଷୁପ୍ତି ପରେ ପ୍ରତ୍ୟୁଷର ପ୍ରଥମ ନରକଣ୍ଠର ଧ୍ୱନି–ସମୀପସ୍ଥ ଦେବାଳୟରୁ ସଂଚରି ଆସେ । ଶିବ ମନ୍ଦିର । ପୂଜକ ଶ୍ଲୋକ ଆବୃତ୍ତି କରନ୍ତି–ଭଜନ ଗାଆନ୍ତି । ନିତ୍ୟ ନିୟମିତ ଭାବେ ଏହି ଗୁରୁଗମ୍ଭୀର ଅଥଚ ଲଳିତ ସ୍ୱର ଲହରୀ ସମସ୍ତ ଜନପଦଟିକୁ ପ୍ଲାବିତ କରିଦିଏ । ନିଦ୍ରିତ ମାନବ ଆଖି ଖୋଲେ । କର୍ମମୟ ଜୀବନ ତା’ର ଆରମ୍ଭ ହୋଇଯାଏ ।

 

ଅସ୍ତାୟମାନ ସୂର୍ଯ୍ୟଙ୍କର ଶେଷ ରଶ୍ମି ରାଜପ୍ରାସାଦର ଗୁମ୍ବୁଜକୁ ସ୍ପର୍ଶ କଲାବେଳେ ଆକାଶର ବର୍ଣ୍ଣବୈଭବ ଅପୂର୍ବ ଶ୍ରୀମଣ୍ଡିତ ହୁଏ । ହେମମୟୀ ମେଘମାଳା କ୍ରମେ ରକ୍ତାଭରଞ୍ଜିତ ହୁଏ । ବର୍ଣ୍ଣ ଗାଢ଼ରୁ ଗାଢ଼ତର ହୁଏ । ପୁଣି ବିବର୍ଣ୍ଣ ହୋଇ ଘନ ତମିସ୍ରାରେ ଅନ୍ତର୍ଲୀନ ହୁଏ । କଳରବ କ୍ଷୀଣ ହୁଏ । ଦୋକାନଗୁଡ଼ିକରୁ କଳ ସଙ୍ଗୀତର ସ୍ୱଚ୍ଛନା କେଉଁଆଡ଼େ ମିଳାଇଯାଏ । ତା ପରେ ସମସ୍ତ ସହରଟି ନିସ୍ତବ୍ଧ–ନୀରବ ।

 

ଏହି ନୀରବ ନିସ୍ପନ୍ଦ ସ୍ଥାନଟି ଦୁଇଥର ମୁଖର ହୋଇ ଉଠିଥିଲା । ଅମାନିଶିର ଘୋର ଅନ୍ଧକାର ମଧ୍ୟରେ ଜନପଦଟି ଉଦ୍ଭାସିତ ହୋଇଥିଲା–ନିଃଶବ୍ଦତା ପରିବର୍ତ୍ତେ ଉଲ୍ଲାସର ଧ୍ୱନି, ନିଶ୍ଚିଳତା ବଦଳେ ଚାଞ୍ଚଲ୍ୟ । ସେ ରାତ୍ରି ଥିଲା ଦୀପାବଳୀ ଅମାବାସ୍ୟା । ଘରେ ଘରେ ପ୍ରଦୀପର ମାଳା । ବାଳକ ବାଳିକାଙ୍କ ହସ୍ତରେ ଅସଂଖ୍ୟ ନକ୍ଷତ୍ରର ସୃଷ୍ଟି । ଆକାଶ ବାଣ ଓ ଫୋଟକାର ଶବ୍ଦରେ ରାଜପଥ କମ୍ପି ଉଠୁଥିଲା । କେତେ ରକମର ବାଣ, ସାମାନ୍ୟ ତାଳପତ୍ରଠାରୁ ଆରମ୍ଭ କରି ‘‘ଆଟମ୍‍ବମ୍‍’’ ଯାଏ ସମସ୍ତ ପ୍ରକାର ଏହିଠାରେ ପ୍ରସ୍ତୁତ ହୋଇଥିଲା । ଆନନ୍ଦର, ଉରବର ଏକ ଅପରିହାର୍ଯ୍ୟ ଅଙ୍ଗ ଏହି ବାଣ ଫୋଟକା । ପିଲାଏ ହସିଲେ–ଖେଳିଲେ–ବୁଢ଼ାବୁଢ଼ୀ ଖୁସି ହେଲେ । ସମଗ୍ର ଜନପଦଟିରେ ମହୋତ୍ସବ ।

 

ଦୁଇଦିନ ପରେ । ଦ୍ୱିତୀୟା ଚାନ୍ଦ ଅସ୍ତ ପ୍ରାୟ–ନିଷ୍ପ୍ରଭ, ମଳିନ । ପାଣ୍ଡୁର ଆକାଶରେ ସୌନ୍ଦର୍ଯ୍ୟର ଆଭାସ ନାହିଁ । ଧୂସର ଧରିତ୍ରୀ ଧୀରେ ତମସାଚ୍ଛନ୍ନ ହେଲା । ଏଥିରେ କୌଣସି ବିଶେଷତ୍ୱ ନାହିଁ–ନୂତନତ୍ୱ ନାହିଁ । ସବୁ କୃଷ୍ଣ ପକ୍ଷରେ ଏହିପରି ଅନ୍ଧାର ଆସେ ଜନତା ଅନ୍ଧକାର ଭିତରେ ବିଶ୍ରାମ ନିଏ ।

 

ରାତ୍ରି ପ୍ରାୟ ସାଢ଼େ ଏଗାରଟା । ଶ୍ରୀଲତା ନିଦରୁ ଚମକି ଉଠିଲା । ବିଗତ କେତେ ରାତ୍ରି ଅନିଦ୍ରାରେ କଟି ଯାଇଚି । ଘରେ ଜନ ଗହଳି ଦିନକୁ ଦିନ ବଢ଼ୁଛି । ଆତ୍ମୀୟ ସ୍ୱଜନବର୍ଗ କେଉଁ ଦୂର ଦୂରାନ୍ତରୁ ଆସି ଏକତ୍ରିତ ହେଉଛନ୍ତି । ଗୃହଟି କୋଳାହଳମୟ । ଶୋଉ ଶୋଉ ପ୍ରାୟ ରାତି ବରାଟା ହୋଇଯାଏ । ଘରେ ସ୍ଥାନାଭାବ ଯୋଗୁ ନିଶ୍ଚିନ୍ତରେ ବିଶ୍ରାମ ନେଇ ହୁଏ ନାହିଁ । ଏ ଗହଳି ଆହୁରି ଦୁଇଦିନ ପର୍ଯ୍ୟନ୍ତ ରହିବ–ତିରିଶି ତାରିଖ ଦିନ ଶ୍ରୀଲତାର ବିବାହ ।

 

ଭାଉଜ ବିରକ୍ତ ହେଲେ–ଶ୍ରୀଲତା ଉନ୍ନିଦ୍ର ରହିବାରୁ ମୁଖ ତାର ଶୁଷ୍କ ଦେଖା ଯାଉଛି । ବେଦି ଉପରେ ଝାଉଁଳା ଫୁଲଟି ପରି ଦିଶିବ ସିନା ! ଶ୍ରୀଲତା ବାଧ୍ୟହୋଇ ନଅଟା ବେଳୁ ଶୋଇ ପଡ଼ିଲା । ବାପା ବସି ଜିନିସ ପତ୍ରର ତାଲିକା କରୁଛନ୍ତି । କାଲି ଖରିଦ କରି ଆଣିବାକୁ ହେବ । ଭାଇନା ବିବାହ ମଣ୍ଡପକୁ ସଜ୍ଜିତ କରିବାରେ ବ୍ୟସ୍ତ । ବୋଉର ଅଣ୍ଟାପିଠି ଲାଗିଗଲାଣି, ଅକ୍ଲାନ୍ତ ପରିଶ୍ରମ ।

 

ଶ୍ରୀଲତା ବିଛଣାରେ ଯାଇ ପଡ଼ିଲା । ଆଖି ବୁଜିବା ମାତ୍ରେ ସେହି ଗୋଟିଏ ରୂପ । ସେ ଦେଖିଲା ସୁରଜିତ୍‍ର ସଦା ଚଞ୍ଚଳ ଚକ୍ଷୁ ଯୋଡ଼ିକ ବିଜୁଳି ଖେଳାଇ ଦେଉଛି । ତାର ଈଷତ୍ ହାସ୍ୟମୟ ଅଧର ମିଳନାଶାରେ କମ୍ପିତ ହେଉଛି । ଶ୍ରୀଳତାର ଅଙ୍ଗ ପ୍ରତ୍ୟଙ୍ଗରେ ତଡ଼ିତ୍‍ର ଖେଳା । ସେ ଭାବିଲା, ‘‘ସତେ କେଡ଼େ ସୁନ୍ଦର ମ !’’ ତାଙ୍କର ପ୍ରଶସ୍ତ ମଣିବନ୍ଧ ଉପରେ ସୁନେଲି ହାତ ଘଣ୍ଟାଟା କେଡ଼େ ସୁନ୍ଦର ଦେଖାଯାଏ । ନୀଳ ରଙ୍ଗର ଦାଓ୍ୱାଇନ ପିନ୍ଧି ସେ ଯେତେବେଳେ ସାଇକଲ ଛୁଟାଇ ଯା’ନ୍ତି ଶ୍ରୀଲତା ଝରକା ପାଖରେ ଚାହିଁ ରହେ ଆତ୍ମବିଭୋରା ହୋଇ । ଭାଉଜ ପଛରୁ ଚୁମୁଟି ଦେଇ କହନ୍ତି–ଅଥୟ ହେଉଚ କାହିଁକି ? ଆଉ ଦିନ କେତୁଟା ତ !

 

ନିଦ ତା’ର ଭାଙ୍ଗିଗଲା । ବଜାର ଆଡ଼େ ଭୀଷଣ କୋଳାହଳ । ଘରୁ ସମସ୍ତେ ଦୌଡ଼ିଯାଇ ବାରଣ୍ଡାରେ ଛିଡ଼ା ହେଲେଣି । କିଏ କହୁଛି ଘର ପୋଡ଼ି, କିଏ କହୁଛି ଚୋର ପଶିଚି । କିଏ ଜାଣେ କ’ଣ ହେଲା । ଗତ ବର୍ଷ ତ ଏହି ଦିଆଲୀ ବେଳକୁ ଘରପୋଡ଼ି ହୋଇଥିଲା । ଗଉଡ଼ ସାହିଟା ଭସ୍ମ ହୋଇ ଯାଇଥିଲା । ପୁଣି କିଏ କହିଲା–ନା, ଘରପୋଡ଼ି ହୋଇଥିଲେ ନିଆଁ ଦିଶନ୍ତା ନାହିଁ ? କାମ୍ପ ସାହି କି ରେଲି ସାହିରେ କଳିଗୋଳ ଲାଗିଥିବେ ।

 

ଯେ ଯାହାର ଘର ଭିତରକୁ ଫେରି ଆସିଲେ । ଶ୍ରୀଲତା ପୁଣି ଶେଜରେ ପଡ଼ିଲା । ଏଥର ଆଉ ଆଖିକୁ ନିଦ ଆସୁନାହିଁ । କେତେ ଭବିଷ୍ୟତ ଚିନ୍ତା ମନକୁ ଆଲୋଡ଼ିତ କରିବାକୁ ଲାଗିଲା । ନୂଆ ଜୀବନ–କେତେ ଆଶା, କେତେ ଆଶଙ୍କା । ଭିତର ପିଣ୍ଡରେ ବାପା ଓ ଆହୁରି କେତେଜଣ ମୁରବୀ ଧରଣର ଲୋକଙ୍କର କଥାଭାଷା ଶୁଣା ଯାଉଥିଲା । ଜଣେ କେହି କହିଲେ, ‘‘ପଟ୍ଟନାୟକେ ! ଏତେ ତରଭରରେ ଏ କଥା କାହିଁକି କରୁଛ ଭଲା ? ଗୋଟାଏ ଛୁଟି ଦେଖି କଲେ ହୁଅନ୍ତା ନାହିଁ ? ଯଦୁମଣିବାବୁ ତ ଏଇକ୍ଷଣେ ଆଉ ଖଡ଼ଗପୁରରୁ ଆସି ପାରିବେ ନାହିଁ । ଦି’ ଚାରି ମାସ ଏବେ ଗଡ଼େଇ ଦେଲେ ହୁଅନ୍ତା ନାହିଁ ?’’

 

ଶ୍ରୀଲତାର ହୃଦ୍‍ସ୍ପନ୍ଦନ ଦ୍ରୁତ ହେଲା । କିନ୍ତୁ ବାପା ଆପତ୍ତି କରି କହିଲେ–ନା, ନା, ଆଉ ଗଡ଼େଇଲେ ଚଳିବ ନାହିଁ । ଲଗ୍ନ ଠିକ୍ ହୋଇଯାଇଛି । ଆଉ ଏ ମଝିରେ ଶୁଭଦିନ ପଡ଼ୁନାହିଁ । ତା ଛଡ଼ା ସୁରର ଟେଷ୍ଟ ପରୀକ୍ଷା ଆଉ ଦି’ମାସ ପରେ । ତେଣିକି ତା’ର ପଢ଼ାପଢ଼ିର ଜୋର ବେଶୀ ।

 

ଶ୍ରୀଲତା ଦୁଇ କର ଯୋଡ଼ି ମଥାରେ ରଖିଲା । ତା’ମନ କାହିଁ କେଉଁ ରାଜ୍ୟରେ ଘୁରି ବୁଲୁଥିଲା । ଆଉ ଯୋଡ଼ିଏ ଦିନ । ତା ପରେ ? ସେ ହେବ ଅଜିତ୍ ବାବୁଙ୍କର ପୁତ୍ରବଧୁ । ସହରର ଜଣେ ନାମବାଲା ଲୋକ ଧନୀ–ଶିକ୍ଷିତ–ଭଦ୍ରଲୋକ । ବଜାର ମଝିରେ ପ୍ରକାଣ୍ଡ ଦୋକାନ ତାଙ୍କର-। କଟକର ବିଲ୍ ମୋରିଆ ବା ଏମ୍ପୋରିୟମର ଛୋଟକାଟର ଦୋକାନ । ସବୁ ଜିନିସ ମିଳେ । ସହର ଗୋଟାକ ତାଙ୍କର ଖରିଦ୍ଦାର । ପ୍ରଚୁର ଲାଭ କରନ୍ତି । ଗାଁରେ ଯେଉଁ ବିଲବାଡ଼ି ଥିଲା ତା’ର ହେପାଜତ୍ କରିବାକୁ ତାଙ୍କୁ ଆଉ ତର ମିଳେନାହିଁ । ଏକମାତ୍ର ପୁତ୍ର ସୁରଜିତ୍ ବି.ଏ. ଫୋର୍ଥ ଇୟରରେ ସ୍ଥାନୀୟ ମହାବିଦ୍ୟାଳୟରେ ପଢ଼େ । ସୁତରାଂ ସେ ଛ ମାସ ହେବ ସମସ୍ତ ଜମିବାଡ଼ି ବିକ୍ରୟ କରି ଏହି ଦୋକାନର ଆକାର ବୃଦ୍ଧି କରୁଛନ୍ତି । ସହରରେ ବିଜୁଳିବତୀର ସଂସ୍ଥା ହେବାମାତ୍ରେ ସେ ପ୍ଲୋରିଓସେଣ୍ଟ ଲାଇଟ୍ ଲଗାଇ ଦେଇଛନ୍ତି । କାଚ ଆଲମିରାର ସୁସଜ୍ଜିତ ଦ୍ରବ୍ୟ ନୀଳ ଆଲୋକରେ ଗ୍ରାହକର ମନ ମୁଗ୍ଧ କରେ । ଅଜିତ୍‍ବାବୁଙ୍କର ମଧୁର ବ୍ୟବହାର ସମସ୍ତଙ୍କୁ ଆପ୍ୟାୟିତ କରେ । ମୋଟରକାର୍ ଖଣ୍ଡେ ଦୁଇ ଚାରି ମାସ ହେବ ଖରିଦ୍ କରିଛନ୍ତି ।

 

ପ୍ରଭାତ ହେଲା । ସବୁଦିନ ପରି ଗାୟକର କଣ୍ଠରୁ ପୂତ ଶ୍ଲୋକ ଉଚ୍ଚାରିତ ହେଲା । ସମସ୍ତେ ନିଜ ନିଜ କାର୍ଯ୍ୟରେ ଯୋଗଦେଲେ । କିନ୍ତୁ ଅଳ୍ପକ୍ଷଣ ପରେ ଶ୍ରୀଲତାର ଛୋଟଭାଇ ଦୌଡ଼ି, ଦୌଡ଼ି ବେଦମ ଭାବରେ କହିଲା–ଅପା, ଆଜି ମୁଁ ଆଉ ସ୍କୁଲକୁ ଯାଇ ପାରିବି ନାହିଁ । ମାଧିଆକୁ କେତେଜଣ ଗୋଡ଼ାଇ ଗୋଡ଼ାଇ ବାଡ଼େଇ ପକାଇଲେ । ଶ୍ୟାମବାବୁ ମାଷ୍ଟର ମତେ ଦେଖି କହିଲେ, ‘‘ପଳା, ଘରକୁ ପଳା ।’’

 

ଆଶ୍ଚର୍ଯ୍ୟ ! କିଏ ବାଡ଼େଇଲା ? କାହିଁକି ? ଛୋଟପିଲା ମାଧିଆକୁ ବାଡ଼େଇଲା କିଏ ? କଥାଟା ଚାରିଆଡ଼େ ପ୍ରଚାରିତ ହେଲା । ସାହିର ସମସ୍ତେ ଦାଣ୍ଡକୁ ବାହାରିଲେ । ଶ୍ରୀଲତା ଝରକାବାଟେ ରାସ୍ତାକୁ ଚାହିଁଲା । ଦେଖିଲା, ପନ୍ଦର କୋଡ଼ିଏ ଜଣ କୃଷ୍ଣକାୟ ବଳିଷ୍ଠ ଯୁବକ ହାତରେ ଖଣ୍ଡେ ଖଣ୍ଡେ ଲାଠି ଧରି ଚିତ୍କାର କରୁଛନ୍ତି–‘‘ଦୋକାନ ସବୁ ବନ୍ଦକର; ନଚେତ ଫଳ ଭଲ ହେବ ନାହିଁ ।’’ କି ଶକ୍ତି ଏମାନଙ୍କର ! କେହି ଆପତ୍ତି କରୁନାହାନ୍ତି, ଯୁକ୍ତି କରୁ ନାହାନ୍ତି । ଧଡ଼୍‍ ଧଡ଼୍‍ କରି ଦୋକାନ କବାଟ ସବୁ ରୁଦ୍ଧ ହୋଇଗଲା–ପାନଦୋକାନ, ଚାହା ଜଳଖିଆର ହୋଟେଲ ।

 

ଜନତାର ବୃଦ୍ଧି ହେଲା । ବଡ଼ ଦାଣ୍ଡରେ ଅସଂଖ୍ୟ ଜନ ସମାଗମ । ସମସ୍ତଙ୍କର ମୁଖରେ ଆତଙ୍କର ଚିହ୍ନ–ସମସ୍ତେ କଥା କହୁଛନ୍ତି–କିନ୍ତୁ ଘଟଣାଟା କ’ଣ କେହି ଠିକ୍ ଭାବେ କହିପାରୁ ନାହାନ୍ତି । କିଏ କହୁଚି, ଗୁଣ୍ଡାମାନେ ସହରବାସୀଙ୍କ ଉପରେ ଅତ୍ୟାଚାର କରୁଛନ୍ତି । କିଏ କହୁଚି, ସହର ଦୁଇ ଦଳରେ ବିଭକ୍ତ ହୋଇ ଯାଇଚି । ଦୁଇଦଳ ମଧ୍ୟରେ ସଂଘର୍ଷ ଚାଲିଛି । କିଏ କହିଲା, କୌଣସି କାରଣରୁ ଉତ୍ତ୍ୟକ୍ତ ଜନତା ମହାବିଦ୍ୟାଳୟ ଛାତ୍ରାବାସ ଉପରେ ଆକ୍ରମଣ କରୁଛନ୍ତି । କେଉଁ କଥାର ଆଦି ଅନ୍ତ ନାହିଁ । ମୂଳତତ୍ତ୍ୱ କେହି ବୁଝିପାରୁନାହାନ୍ତି । କ୍ରମେ କ୍ରମେ ଅବସ୍ଥା ସାଙ୍ଘାତିକ ହେଲା । କେହି ଘରୁ ଗୋଡ଼ କାଢ଼ି ପାରିଲେ ନାହିଁ । ରାଜପଥରେ ଗମନ କରିବାକୁ କେହି ନିରାପଦ ମନେ କଲେ ନାହିଁ । ସ୍କୁଲ, କଚେରୀ ସବୁ ବନ୍ଦ ହୋଇଗଲା । କେବଳ ଉତ୍ତେଜିତ ଜନତାର ଦୌଡ଼ା ଦୌଡ଼ି, ଲାଠି ବୁଲା, ଅଟ୍ଟହାସରେ ରାଜଦାଣ୍ଡ ପୂରି ଉଠିଛି । ସରଳ ନାଗରିକମାନେ ଗୃହାଭ୍ୟନ୍ତରେ ମୂକ ଜଡ଼ବତ୍ ଫସି ରହିଲେ ।

 

ଶ୍ରୀଲତା ଚାରିଆଡ଼କୁ ଦୃଷ୍ଟି ଫେରାଇ ଦେଖିଲା, ଘରେ ସମସ୍ତେ ନିରାପଦରେ ଅଛନ୍ତି । ତଥାପି ତା ମନରେ ଶ୍ରାନ୍ତି ନାହିଁ । ସେମାନେ ସମସ୍ତେ ଭଲରେ ଥିବେ ତ ! ସେ କଲେଜକୁ ନ ଯାଇ ଘରେ ଥିବେ ତ !

 

ଅଗାଧ ବଜାର ସଉଦା କରିବା ପାଇଁ ସକାଳୁ ଯାଇଥିଲା–ଫେରିଲା ଦିନ ତିନିଟାବେଳେ । ବଜାର ପୁଣି ଶୂନ୍ୟ–ଛାମୁଦାନ୍ତ ଭାଙ୍ଗି ରକ୍ତ ବହୁଛି । କମିଜର ଫାଳେ ନାହିଁ । ହାତଗୋଡ଼ ସର୍ବାଙ୍ଗ ତା’ର ଥରୁଛି । ସେ କଥା ନ କହି ଶ୍ରୀଲତାର ବାପାଙ୍କ ଗୋଡ଼ତଳେ ବସି ପଡ଼ିଲା । ବହୁକ୍ଷଣ ପରେ କହିଲା–‘‘ଅଳ୍ପକେ ବଞ୍ଚିଗଲି ସାଆନ୍ତେ; ପଥର ମାଡ଼ରେ ଦାନ୍ତ ଭାଜିଗଲା-। ପ୍ରାଣ ବିକଳେ ଦୌଡ଼ିଲି । ପଞ୍ଚାଏ ମୋ ପଛରେ ଗୋଡ଼େଇଲେ । ଢେଲା ପଥର ଫିଙ୍ଗୁଥାନ୍ତି–କ’ଣ ଗାଳିଗୁଲଜ ଦେଉଥାନ୍ତି–ତାଙ୍କ ଭାଷା ମୁଁ ବୁଝି ପାରିଲି ନାହିଁ । ବଣବୁଦା ଭିତରେ କଣ୍ଟାବାଡ଼ ଉପରେ ଦୌଡ଼ିଲି । ଚାରିଘଣ୍ଟା କାଳ ଗୋଟିଏ ନର୍ଦ୍ଦମା ପୋଲତଳେ ଲୁଚି ରହିଲି । ଏବେ କେମିତି ଦଇବ ସାହା ହେବାରୁ ଫେରି ଆସିଚି ।’’

 

ସମସ୍ତେ ବିସ୍ମିତ । କି ରେ, ତୋତେ କାହିଁକି କିଏ ଗୋଡ଼େଇଲା ? ତୁ କାହାର କ’ଣ କଲୁ ?

 

ଅଗାଧୁ ଉତ୍ତର ଦେଲା–ନାହିଁ ସାଆନ୍ତେ, ମୁଁ କିଛି କହି ନାହିଁ, ବଜାରକୁ ଯାଉଥିଲି, ସାଆନ୍ତାଣି ପଠାଇଥିଲେ । ବାଟରେ ଦେଈଙ୍କ ଶ୍ୱଶୁର ସାଆନ୍ତଙ୍କ ଦୋକାନ ପଡ଼ିଲା । ସେ ମତେ ଡାକି କହିଲେ, ‘‘ସକାଳୁ ସୁର ବୋଡ଼ିଂ ଆଡ଼େ ଯାଇଛି, ଫେରିନାହିଁ–ଯା ତାକୁ ଟିକେ ଡାକି ଦେବୁ ।’’ ମୁଁ ଗଲି ସାଆନ୍ତେ । ବୋଡ଼ିଂ ଫାଟକ ପାଖରେ ଦେଖିଲି ଲୋକଗୁଡ଼ା ରୁଣ୍ଡ ହୋଇଚନ୍ତି । ଗଣି ହେବନି–ଏତେ ଲୋକ ! ମୁଣ୍ଡରେ କେତେଜଣ ତାଟ ଧରିଚନ୍ତି । ହାତରେ ଡେଙ୍ଗା ବାଡ଼ି । ହଷ୍ଟେଲ ଉପରକୁ ଢ଼େଲା ପଥର ଫିଙ୍ଗୁଚନ୍ତି । ବୋଡ଼ିଂ ପିଲାମାନେ ମଧ୍ୟ କୋଠା ଛାତ ଉପରୁ ପଥର ଫୋପାଡ଼ୁଚନ୍ତି । ସୁରବାବୁଙ୍କୁ ସେଇଠି ଦେଖିଲି । ପାଟିକରି ଡାକିଲି–‘‘ସୁରବାବୁ–ଧାଇଁଆସ–ବାପା ଡାକୁଚନ୍ତି ।’’ ଏତିକି କହିଚି କି ନାହିଁ ଆଠ ଦଶ ଜଣ କାଳିଆ ଲୋକ ମୋ ବାହୁକୁ ଧରି ହଲାଇ ଦେଲେ–କ’ଣ କ’ଣ ପଚାରିଲେ । ମୁଁ ତ ସେକଥା ବୁଝେନାହିଁ–କିଛି ଜବାବ ଦେଇପାରିଲି ନାହିଁ । ତହୁଁ ବସିଲା ମାଡ଼ ! ମୁଁ ଦୌଡ଼ିଲି ।

 

ଏକ ନିଶ୍ୱାସରେ ଏତେ କଥା ସେ କହି ଦମ୍ ନେଲା । ମୁଣ୍ଡ ହଲାଇ ପୁଣି ଥରେ କହିଲା–ବିଭାଘର ଭୋଜିପାଇଁ ଆଉ କିଛି ଜିନିଷ ମିଳିବ ନାହିଁ । ସବୁ ଦୋକାନ ବନ୍ଦ ।

 

ଶ୍ରୀଲତାର ମୁଣ୍ଡ ଘୂରାଇବାକୁ ଲାଗିଲାଣି । ସୁରଜିତ୍ ତେବେ ନିରାପଦରେ ନାହାନ୍ତି । ଜୀବନ ସଙ୍କଟାପନ୍ନ । କିଏ ତାଙ୍କୁ ରକ୍ଷା କରିବ ? କିଏ ? କିଏ ? ସମସ୍ତଙ୍କ ଆଡ଼କୁ ବିକଳଭାବେ ଚାହିଁଲା–କିନ୍ତୁ ସମସ୍ତେ ନିରୁତ୍ତର । ଏତେବଡ଼ ଜନତା ଆଗକୁ କିଏ କିପରି ଭରସି ଯିବ ? ସମସ୍ତଙ୍କ ମନରେ ଏକମାତ୍ର ପ୍ରଶ୍ନ । ପୋଲିସ୍ କାହିଁ ? ଗୁଣ୍ଡାମାନଙ୍କ ଅତ୍ୟାଚାରରୁ ଛାତ୍ରମାନଙ୍କୁ ରକ୍ଷାକରିବାକୁ କିଛି ବ୍ୟବସ୍ଥା ହୋଇ ପାରୁ ନାହିଁ ?

 

ସନ୍ଧ୍ୟା ପାଞ୍ଚଟା । ଛାତ୍ରାବାସ ଆଡ଼ୁ ଗୁଳିର ଆବାଜ୍ । ଏକା ସାଙ୍ଗରେ ପାଞ୍ଚଟା ଗୁଳି ଫୁଟିଲା । ନିଶ୍ଚୟ ପିସ୍ତଲ । ଛତ୍ରଭଙ୍ଗ ଦେଇ ଜନତା ଏଣେ ତେଣେ ପଳାଇଲେ ।

 

କେତେକ୍ଷଣ ପରେ ପୁଲିସ୍ ମଟରଗାଡ଼ି ରାଜପଥରେ ଦେଖାଗଲା । ଏକ–ଦୁଇ–ତିନି । ପ୍ରତ୍ୟେକଟି ଗାଡ଼ିରେ ଭରପୂର ପୋଲିସ୍ ବାହିନୀ । ଆକାଶବାଜୀ ଯନ୍ତ୍ରରେ ଘୋଷଣା କରି ଚାଲିଛନ୍ତି–‘‘ଆଜି ସନ୍ଧ୍ୟା ଛଅଟା ଠାରୁ ଆସନ୍ତାକାଲି ସନ୍ଧ୍ୟା ଛଅଟା ପର୍ଯ୍ୟନ୍ତ ସାନ୍ଧ୍ୟ ଆଇନ ଜାରିହେଲା । କେହି ଘରୁ ଗୋଡ଼ କାଢ଼ି ପାରିବେ ନାହିଁ । ଆଇନ ଅମାନ୍ୟ କରିବା ବ୍ୟକ୍ତିକୁ ଗୁଳି କରି ଦିଆଯିବ ।’’

 

ସର୍ବନାଶ ! ସୁର ତେବେ ଆଉ ବେଦୀ ଉପରକୁ ଆସି ପାରିବ ନାହିଁ ! ଲଗ୍ନ ଚାରିଘଣ୍ଟା ବେଳେ । ଯେ ଯେଉଁଠାରେ ଅଛି ସେ ସେହିଠାରେ ବନ୍ଦୀ ।

 

ଘରେ ଘୋର ଚାଞ୍ଚଲ୍ୟ ସୃଷ୍ଟିହେଲା । ଶୁଭଦିନ ଏବେ ଆଉ ନାହିଁ । ଦୁଇମାସ ଗଡ଼ାଇ ଦେବାକୁ ହେବ । ଶ୍ରୀଲତାର ଭାଉଜ କେତେ ଆଶ୍ୱାସନା ଦେଲେ ନଣନ୍ଦର କାନ ପାଖରେ । ହଉ–ଦୁଇଟା ମାସ ତ ! ଆଖି ବୁଜି ଦେଲେ କେଉଁଆଡ଼େ ଚାଲିଯିବ । ସମୟ ମିଳିଲା–କେତେ ନୂଆ ଗହଣା ଗଢ଼ାଯାଇ ପାରିବ–କେତେ ନୂଆ ରାନ୍ଧଣା ଶିଖାଇ ଦେବି । ଦୁଃଖ କରନା ଭଉଣୀ–ଦୁଇଟା ମାସ ।

 

ଚବିଶ ଘଣ୍ଟା ମଧ୍ୟରେ କେହି କାହାର ଖବର ଜାଣନ୍ତି ନାହିଁ । କବାଟ କିଳି ପ୍ରତ୍ୟେକେ ଘର ଭିତରେ ରହିଲେ । କାହାଘରେ କାଠ ନାହିଁ ତ କାହାଘରେ ଚାଉଳ ନାହିଁ । ସେମାନେ ଉପରକୁ ଚାହିଁ ବସିଲେ । କାହା ଘରକୁ ଗଉଡ଼ ଦୁଧ ନେଇ ଆସିନାହିଁ–ଶିଶୁମାନେ ଚିତ୍କାର କରି ଉଠିଲେ । କିଏ ଜରୁରୀ କାର୍ଯ୍ୟବଶତଃ ସ୍ଥାନାନ୍ତରକୁ ଯିବାକୁ ବାହାରିଥିଲା–ସେ ମଧ୍ୟ ଘରେ ବସି ରହିଲା । ସନ୍ଧ୍ୟା ଛଅଟାରେ ଆଶ୍ୱସ୍ତିର ନିଶ୍ୱାସ ମାନ ସମସ୍ତେ ରାସ୍ତାକୁ ବାହାରି ଆସିଲେ । କିନ୍ତୁ ଅଧଘଣ୍ଟାପରେ ପୁଣି ଘୋଷଣା କରାଗଲା, ସାନ୍ଧ୍ୟ ଆଇନର ସମୟ ବଢ଼ାଇ ଦିଆଗଲା । ଆସନ୍ତାକାଲି ସକାଳ ଛଅଟା ପର୍ଯ୍ୟନ୍ତ ନିଜ ନିଜ ଘରେ ରହନ୍ତୁ ।

 

କିନ୍ତୁ ଇତ୍ୟବସରରେ ଶ୍ରୀଲତାର ପିତା ସୁରଜିତ ଓ ତା ପରିବାରର ଖବର ନେଇ ଫେରି ଆସିଚନ୍ତି । ଶ୍ରୀଲତା ଉଦ୍‍ବିଗ୍ନ ମନରେ ଯାଇ ପାର୍ଶ୍ୱ କୋଠରୀରେ ବସିଲା । ନିଜର ହୃଦୟର ଆବେଗ ପ୍ରକାଶ ନକରି ପାରି ଯନ୍ତ୍ରଣାରେ ସେ ଜୀବନ୍ମୃତ ହୋଇ ସାରିଥିଲା ।

 

ମା କାତର କଣ୍ଠରେ ପଚାରିଲେ–‘‘ସୁର ଫେରି ଆସିଚନ୍ତି ତ ?’’

 

ପିତା–‘‘ହଁ’’

 

ମାତା–‘‘ତାଙ୍କୁ ମାଡ଼ ବାଜି ନାହିଁ ?’’

 

ପିତା–‘‘ନା ।’’

 

ମାତା–ତାଙ୍କ ଘରେ କେହି ଆଘାତ ପାଇ ନାହାନ୍ତି–ସବୁ ଭଲ ତ ?

 

ପିତା–ନା–ହଁ–ନାହିଁ ।

 

ଏ କି ଉତ୍ତର ! ବାପା ଏମିତି କାହିଁକି ଜବାବ ଦେଉଛନ୍ତି ? ଏଡ଼େ ଗମ୍ଭୀର–ଏଡ଼େ ଅନ୍ୟମନସ୍କ–ଏଡ଼େ ନିରାଶ ଭାବରେ ? ହେଲା କ’ଣ ?

 

ପିତା ଆଖି ବୁଜି ମୁଣ୍ଡ ନୁଆଇଁ କିଛି ସମୟ ବସି ରହିଲେ । ପରେ କମ୍ପିତ କଣ୍ଠରେ ଶେଷ ବାଣୀ ଶୁଣାଇଦେଲେ–

 

‘‘ବିଭାଘର ଆଉ ହେଇ ପାରିବ ନାହିଁ । ଲତାକୁ ମୁଁ ସୁର ହାତରେ ଦେଇ ପାରିବି ନାହିଁ । ଅଜିତର ଦୋକାନ ଲୁଟ ହୋଇ ଯାଇଛି । ଲକ୍ଷେ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇ ଯାଇଛି । ଦୋକାନକୁ ଗୁଣ୍ଡାମାନେ ପୋଡ଼ି ଦେଇଛନ୍ତି । ଜିନିସପତ୍ର ଲୁଟ କରି ନେଇଛନ୍ତି । ବର୍ତ୍ତମାନ ଦୋକାନରେ ଦୁଇ ଖଣ୍ଡି ଭଙ୍ଗା କାଚ ଆଲମାରି ଛଡ଼ା ଅନ୍ୟ କିଛି କେଉଁଠି ନାହିଁ । ନଗଦ ଟଙ୍କା ଦଶହଜାର ମଧ୍ୟ ଯାଇଚି । ମୋଟର ଗାଡ଼ିକୁ ଭାଙ୍ଗି ବଡ଼ ପୋଖରୀରେ ଫୋପାଡ଼ି ଦେଇଛନ୍ତି । ଘରେ ସୁନା ନାହିଁ–ଲୁଗା ନାହିଁ–ଖାଇବା ପାଇଁ ମୁଠେ ଚାଉଳ ନାହିଁ । ସୁର ଏବେ ଭିକାରୀ–ଦାଣ୍ଡର ଭିକାରୀ–ଦ୍ୱାରେ ଦ୍ୱାରେ ଭିକ୍ଷା କର ବୁଲିବ–ଲତାର ହାତ ସେ ଧରି ପାରିବ ନାହିଁ–ନାହିଁ–ନାହିଁ ।

Image

 

ଚାରିଅଣା

 

କେନ୍ଦ୍ରାପଡ଼ା ବଜାର ମଝି ଛକରେ ମୋଟର ଷ୍ଟାଣ୍ଡ । କେତେ ବସ୍, ଲରି ଏଇଠି ଆସି ଜମା ହୁଅନ୍ତି । କେତେ ଲୋକ ଚଢ଼ୁଥାଆନ୍ତି ଆଉ କେତେ ଲୋକ ଓହ୍ଲାଇ ଯାଉଥାଆନ୍ତି । ଦୃଶ୍ୟ ସବୁବେଳେ ସମାନ, ଅଥଚ ଲୋକମାନେ ନୂଆ ନୂଆ । ଚାରି ପାଖରେ ଗୁଡ଼ିଆ ଦୋକାନ । ସେଠି ବି ଲୋକ ରୁଣ୍ଡ । କାର୍ଯ୍ୟକଳାପ ବି ପ୍ରାୟ ସବୁ ଦିନେ ଏକାରକାମ । କିଏ ଗରମ ଚାହାକୁ ଥାଳିଆରେ ଢାଳି ସଡ଼୍ ସଡ଼୍ ଶୋଷାଡ଼ି ପିଉଛି; କିଏ ବରା ଗୁଲୁଗୁଲା ଖାଇଲା ବେଳେ ମାଛିଠୁ ରକ୍ଷା ପାଇବା ପାଇଁ ପାଚିଲା ଗାମୁଛାକୁ ଏପଟ ସେପଟ ପିଟୁଛି, କେଉଁଠାରେ ବା ପିଲାଟାଏ ଭୁଲ୍‍ବଶତଃ ଲେମନେଡ଼୍ ବଦଳରେ ଖାରିଆ ସୋଡ଼ାପାଣି ପିଇ ଦେଇ ମୁହଁ ବିକୃତ କରି ପକାଉଛି । ଗୁଡ଼ିଆ ଦୋକାନରେ ମଧ୍ୟ ଚେଁ–ଚାଁ–ସେଁ–ସାଁ ଶବ୍ଦର ପରିବର୍ତ୍ତନ କିଛି ନାହିଁ । ବଦଳୁଛି, କେବଳ ଖାଉଟିଆମାନଙ୍କର, ଗ୍ରାହକମାନଙ୍କର ମୁହଁ । ନୂଆ ନୂଆ ଲୋକ ରୋଜ୍ ଆସି ଖାଇ ଯାଉଛନ୍ତି । ସାମନାରେ ବାଳିକା ବିଦ୍ୟାଳୟ । କେତେ ରଙ୍ଗ, କେତେ ଢଙ୍ଗର ଲୁଗା ପିନ୍ଧି ଝିଅ ପିଲାମାନେ ପାଠ ପଢ଼ି ଯାଆନ୍ତି ସେ ସ୍କୁଲକୁ । ମୁହଁରେ ଓଢ଼ଣା ଦେଇ, ଶାଢ଼ୀରେ ଗୁଡ଼େଇ ପୁଡ଼େଇ ହେଇ ମୁହଁ ପୋତି ଯାଉଥିବା ଝିଅଙ୍କଠୁ ଆରମ୍ଭ କରି ଆଣ୍ଠୁ ନ ଲୁଚୁଥିବା ଛୋଟିଆ ଫ୍ରିକ୍ ପିନ୍ଧି, ତାହାକୁ ହାତ ଛନ୍ଦି, ଫୂର୍ତ୍ତି ମନରେ ଯାଉଥିବା ବାଳିକା ପର୍ଯ୍ୟନ୍ତ ସମସ୍ତେ ବହିପତ୍ର ଜାକି ଫାଟକ ବାଟେ ଭିତରେ ପଶିବା ଓ ଚାରିଟାବେଳେ ବାହାରି ଆସିବା ଆଉ ଗୋଟାଏ ଦୃଶ୍ୟ । ଏହି ପ୍ରତିଦିନର ଯିବା ଆସିବାରେ କିଛି ବିଶେଷତ୍ୱ ନ ଥିଲେ ସୁଦ୍ଧା ତାହା ନିତ୍ୟ ନୂତନ ପର ମନେ ହୁଏ । ଆଉ ଦେଖଣାହାରୀମାନେ ସେମାନଙ୍କ ଆଡ଼େ ଚାହିଁ ରହିବାକୁ କୁଣ୍ଠିତ ହୁଅନ୍ତି ନାହିଁ ।

 

ସଜୀବ ଓ ନିର୍ଜୀବ ଭିତରେ ପାର୍ଥକ୍ୟ ଏହିଠାରେ । ପାଚେରୀ ଘେରା ସ୍କୁଲ, ପେଟ୍ରୋଲ୍ ପମ୍ପ, ପକ୍କା ଦୋକାନ ଘର, ମ୍ୟୁନିସିପାଲିଟି ଅଫିସ କେଉଁ ଦିନରୁ ଛିଡ଼ା ହେଇଛନ୍ତି । ପୁରୁଣା ସେମାନେ; କାହାର ଦୃଷ୍ଟି ଆକର୍ଷଣ କରିବାର ଶକ୍ତି ନାହିଁ ସେମାନଙ୍କର । କିନ୍ତୁ ମନୁଷ୍ୟ ପୁରୁଣା ହେଲେ ସୁଦ୍ଧା ନୂଆ ନୂଆ ରୂପରେ ନିଜକୁ ପ୍ରକାଶ କରିପାରୁଥିବାରୁ ତାର ନୂତନତ୍ୱ ଚାଲିଯାଏ ନାହିଁ-। ତା ଉପରେ ନଜର ପଡ଼ିଲେ କିଛି ନା କିଛି ଭାବନା ଦର୍ଶକ ମନରେ ଜାତି ହୁଏ । ସ୍ନେହ, ମମତା, ଅନୁକମ୍ପା, ଘୃଣା, ହିଂସା, କ୍ରୋଧ, ବିରକ୍ତ, ଦୁଃଖ, ସହାନୁଭୂତି, ସ୍ୱାର୍ଥପରତା, କିଛି ଗୋଟାଏ ଭାବ ମନକୁ ବଳେ ଆସିବ । ମୁହୂର୍ତ୍ତକ ପାଇଁ ହେଉ ପଛେ ଅପର ପ୍ରାଣକୁ ପ୍ରଭାବିତ କରିବାର ଶକ୍ତି ଥାଏ ତାର ।

 

ମନୁଷ୍ୟର ଏହି ଆକର୍ଷଣୀ ଶକ୍ତି ଥିବାରୁ ମୂକ ଭିକାରୀ ବୁଢ଼ାଟି ବି ବିନା ଚେଷ୍ଟାରେ ଅନ୍ୟ ଲୋକର ଦୃଷ୍ଟି ଆକର୍ଷଣ କରିପାରେ । ତା ନ ହୋଇଥିଲେ ବୁଢ଼ା ଉପରେ କାହାରି ନଜର ପଡ଼ିବା କଥା ନୁହେଁ । ସ୍କୁଲ ପାଚେରିର ଅବସ୍ଥା ଯାହା ତା’ର ବି ସେଇୟା ହୋଇଥାଆନ୍ତା । ଭୋରରୁ ଲୋକେ ଦେଖନ୍ତି ବୁଢ଼ା ଅଖାଟିଏ ପାରି ମଟରଷ୍ଟାଣ୍ଡ ଆଡ଼କୁ ଜୁଳୁଜୁଳୁ କରି ଚାହିଁ ବସିଚି । ଆଗରେ ଖଣ୍ଡେ କଣା ରସ ଥାଳିଆ, କଡ଼ରେ ବାଡ଼ିଟାଏ ଆଉ ଗୋଟାଏ ଅଖା ମୁଣି ବଡ଼ ଯତ୍ନରେ ବନ୍ଧା ହୋଇଛି । ବୁଢ଼ାକୁ କଥା କହିବାର କେହି ଶୁଣି ନାହାନ୍ତି । ସକାଳଠୁ ସଞ୍ଜଯାଏ ଚୁପ୍ ହୋଇ ସେ ତା ଆସନରେ ବସି ରହିଥାଏ । ଅଥଚ ଥାଳିଟା କେବେ ଖାଲି ହୁଏ ନାହିଁ । ଆଗେ ପାହୁଲା, ଅଧଲା, ପଇସାରେ ପୂରି ରହୁଥିଲା । ଆଜିକାଲି ଦୋ ପଇସି ଓ କଥା ପଇସା ଥାଳିରେ ଦେଖାଯାଏ । ବୁଢ଼ା କେବେ କାହାରିକୁ ମାଗେ ନାହିଁ କି କେହି ଦେଲେ ଆଶୀର୍ବାଦ କରେ ନାହିଁ । ଖୁସିରେ ହସିବା ବା ଦୁଃଖରେ କାନ୍ଦିବା କେହି ତାକୁ ଦେଖି ନାହିଁ । ନିର୍ବିକାର ସ୍ଥାଣୁ ପରି କେବଳ ବସି ରହିଥାଏ ।

 

ସଞ୍ଜବେଳେ ଦିନର ସମସ୍ତ ଅର୍ଜ୍ଜନ ନେଇ ସେ ଗୁଡ଼ିଆ ଦୋକାନରେ ଥୋଇଦିଏ । ଗୁଡ଼ିଆ ଯାହା ଦିଏ ସେଥିରେ ସେ ତୃପ୍ତ । ରାତିକୁ ଯାଏ ମ୍ୟୁନିସିପାଲିଟି ପିଣ୍ଡା ଉପରକୁ । ଏହି ହେଲା ତା ଦୈନନ୍ଦିନ କାର୍ଯ୍ୟ । ବଡ଼ ସାଧା ସିଧା, ବଡ଼ ଛୋଟ ଜୀବନଟି ତାର । ଦୁନିଆ ସହିତ ତାର ସମ୍ପର୍କ ନାହିଁ । ବାହାରର ଝଡ଼ଝଞ୍ଜା ତାକୁ ସ୍ପର୍ଶ କରେ ନାହିଁ । ତଥାପି ତା ବିଷୟରେ ମୁଣ୍ଡ ଖେଳାଇବାକୁ ବି ଲୋକ ଅଛନ୍ତି । ବୁଢ଼ା ପ୍ରକୃତ ଘୁଙ୍ଗା ନା ଛଳନା କରୁଚି ? ପାଗଳାମି ଛିଟା ତା ଠାରେ ଅଛି କି ନା ? କୋଉ ମୂଲକର ଲୋକ ସେ ? କେବଠୁ ଏଇଠି ଆସି ପଡ଼ିଛି ? ଇମିତି ଇମିତି କେତେ କଥା ତା ସମ୍ବନ୍ଧରେ ଆଲୋଚିତ ହୋଇଥାଏ । ନାନା ପ୍ରକାର ମନ୍ତବ୍ୟ ପ୍ରକାଶ ହୁଏ, ଅଥଚ ଠିକଣା କଥା କେହି ବୁଝନ୍ତି ନାହିଁ । ଦିନେ କେତେ ଜଣ ସ୍କୁଲପିଲା ଆସି ବୁଢ଼ାକୁ ଘେରି ଛିଡ଼ା ହେଲେ । ବୁଢ଼ାକୁ ଦେଖିବାର କିଛି ନାହିଁ; କେବଳ ଅଖା ବୁଜୁଳାଟା କୌତୁହଳ ଜନ୍ମାଉଥାଏ । ପିଲାଏ ଓର ଭଣ୍ଡଥାଆନ୍ତି କିମିତି ତାକୁ ପିଟାଇ ଦେଖିବେ । ବୁଢ଼ା ନ ଦେଖିବାବେଳେ ସିନା ସାହସ ହେବ । କିଏ ଜାଣେ, ସେ ଠେଙ୍ଗାଟା ଯଦି ବ୍ୟବହାର କରେ !

 

ମଟର କାର୍‍ଟାଏ ଆସି ଛିଡ଼ା ହେଲା ଠିକ୍ ବୁଢ଼ା ବସିବା ଯାଗା ପାଖରେ । ସାହେବଙ୍କର ପେଟ୍ରୋଲ ନେବା ଆବଶ୍ୟକ ହେବାରୁ ସେ ଗାଉଟି ଅଟକାଇଛନ୍ତି । ସାହେବ ଗୋରା ବିଲାତି ନୁହନ୍ତି–କଳା ଦେଶୀ; କିନ୍ତୁ ମିଲିଟେରୀ ସାହେବ । ହଠାତ୍ ତାଙ୍କର ବି ନଜର ପଡ଼ିଲା ଘୁଙ୍ଗା ଭିକାରୀ ବୁଢ଼ା ଉପରେ । ଦେଖିଲେ; ଚାରି ଛଅ ଜଣ ସ୍କୁଲପିଲା ଆଗ୍ରହସହକାରେ ତାକୁ ଚାହିଁଚନ୍ତି–ସାମନା ଥାଳିଆରେ ପାଞ୍ଚୋଟି ପଇସା, ଦୁଇଟି ଦୋ ପଇସି ପଡ଼ିଚି । ଆଉ ବୁଢ଼ା ନିର୍ବିକାର ଭାବେ ମଟର ଆଡ଼େ ଚାହିଁ ବସିଚି । କିଛି ପଇସା ଦେବା ଅଭିପ୍ରାୟରେ ସାହେବ ବ୍ୟାଗ୍ ଖୋଜିଲେ ! ଖୁଚୁରା ପଇସା ନାହିଁ । ଅଛି ସୁଉକିଟାଏ । ଏକାଥରକେ ଚାରି ଅଣା ପାଇଗଲେ ବୁଢ଼ାର ଆନନ୍ଦର ପରିମାଣଟା କେତେ ହେବ ଦେଖିବାକୁ ସାହେବ ବୁଢ଼ା ଆଡ଼କୁ ସୁଉକିଟା ପକାଇଦେଲେ । କିନ୍ତୁ ଏ କି ଅଦ୍ଭୁତ କଥା ! ବୁଢ଼ା ଥାଳିଆରୁ ଚାରି ଅଣାଟା ଉଠାଇ ଦୂରକୁ ଫିଙ୍ଗି ଦେଲା; ଆଉ ଚିତ୍କାର କରି ଉଠିଲା–‘‘ଓଃ, ଚାରିଅଣା ! ନା ବାବୁ ନା, ଯାହା ଦିଅ ପଛେ ସୁଉକି ଛୁଇଁବି ନାହିଁ । ନା, ନା, ନା, ମରିଗଲେ ବି ଛୁଇଁବ ନାହିଁ ।’’

 

ଭିକାରୀଟାଏ ସୁଉକିଟିକୁ ଅଗ୍ରାହ୍ୟ କରୁଛି ବୋଲି ଯେତିକି ଲୋକେ ଆଶ୍ଚର୍ଯ୍ୟ ନ ହେଲେ, ସେତିକି ଆଶ୍ଚର୍ଯ୍ୟ ହେଲେ ଘୁଙ୍ଗା ବୁଢ଼ାଠୁ କଥା ଶୁଣି । ସାହେବ ନିଜେ ଓହ୍ଲାଇ ଆସି କହିଲେ, ‘‘କିରେ ବୁଢ଼ା, ଚାରି ଅଣାରେ ଦୋଷ କଅଣ ଅଛି ? ୟା ଭିତରେ ନିଶ୍ଚୟ କିଛି ରହିଚି । ମତେ କହିବୁ ନାହିଁ ?’’

 

ସାହେବଙ୍କଠାରେ କି ମୋହିନୀ ଶକ୍ତି ଥିଲା କିଜାଣି ବୁଢ଼ା ମନ୍ତ୍ରମୁଗ୍ଧ ଭଳି କିଛି କ୍ଷଣ ତାଙ୍କୁ ଲକ୍ଷ୍ୟ କଲା ଆପାଦ ମସ୍ତକ । ତାଙ୍କ ମୁହଁକୁ ବାଲୁ ବାଲୁ କରି ଚାହିଁ ରହିଲା । ଆଖି ତାର ଲୁହ ଛଳ ଛଳ । ସେ ସଳଖି ଛିଡ଼ା ହେଲା । ଗଳା ସଫା କରି କହିଲା–‘‘ଶୁଣିବ ବାବୁ ? ଏ ହତଭାଗାର ଦୁଃଖ କାହାଣୀ ଶୁଣିବ ? ହଉ କହୁଚି ଶୁଣ ।’’ ବାବୁ ତାକୁ ଇଙ୍ଗିତ ଦେଲେ ଅଖା ଆସନ ଉପରେ ବସି ତା କଥା କହିବାକୁ; ବୁଢ଼ା ବସିଲା । ସାହେବ ମୋଟରକୁ ଆଉଜି ଛିଡ଼ା ହେଲେ । ପେଟ୍ରୋଲୁ ଆଣିବାକୁ ଅର୍ଦ୍ଦଳି ଦୋକାନକୁ ଯାଇଚି !

 

ବୁଢ଼ା ଆରମ୍ଭ କଲା–‘‘ମୋ ଘର ତାଳବସ୍ତା ଗାଁରେ । ଜାତିରେ ଖଣ୍ଡେଇତ–ପଧାନ । କ୍ଷେତ ବାଡ଼ିରୁ ଆମର ବେଶ୍ ସୁଖେ ଦୁଃଖେ ଚଳୁଥାଏ । ଗାଁରେ ମୋର ଖାତିର ଥିଲା ଢେର । ଜଣେ ମୁଖିଆ ଲୋକ ବୋଲି ସମସ୍ତେ ମାନୁଥିଲେ । ଘରକୁ ମୁଁ, ମୋ ସ୍ତ୍ରୀ ଆଉ ପୁଅ ବୁରୁନ୍ଦା ।

 

ସାହେବ ପଚାରିଲେ, ‘‘ବୁରୁନ୍ଦା ?’’ ଭ୍ରୂକୁଞ୍ଚିତ ହୋଇ ଉଠିଲା । ବୁଢ଼ା ଆଖି ପୋଛି କହିଲା–‘‘ହଁ, ବାବୁ, ବୃନ୍ଦାବନ ଯେ ମୁଁ ତାକୁ ଡାକେ ବୁରୁନ୍ଦା । ପୁଅ ବୋଲି ସେଇ ଗୋଟିକ । ତା ମାଆ ବଡ଼ ଗେହ୍ଲା କରିଥାଏ । ତାକୁ ସାତବର୍ଷ ହେଲା ବେଳକୁ ଝୁଲା ମୁଣି ଧରି ଖଦଡ଼ ପିନ୍ଧି ଜଣେ ଲୋକ ଆସିଲା, ଆଉ ଗାଁରେ ଇସ୍କୁଲ ବସାଇଲା । ଗାଁର ବହୁତ ପିଲା ପାଠ ପଢ଼ିବାକୁ ଗଲେ । ମୁଁ ହେଲେ ଏଥିକି ଅମଙ୍ଗ ହେଲି । ପାଠ ପଢ଼ିଲେ ପିଲା ଖରାପ ହେବ ବୋଲି ଭାବିଲି ।’’

 

ସାହେବ ମୁଣ୍ଡ ହଲାଇ କହିଲେ–‘‘ହୁଁ ! ପାଠ ପିଲାଙ୍କୁ ଖରାପ କରିବ ଭାବିଲ, ନା ? ବେଶ୍’’–ବୁଢ଼ା ପୁଣି କହିଲା–‘‘ଆମେ ତ ବାବୁ ବାପ ଅଜାକାଳରେ ପାଠ ପଢ଼ିନୁ କି ଇସ୍କୁଲ ପିଣ୍ଡା ମାଡ଼ିନୁ । ଆମର କଅଣ ଆଉ ଦିନ ସରୁନାହିଁ ? ପାଠ ପଢ଼ିଲେ କୋଉ ଆମ ସାତ ପୁରୁଷ ଉଦ୍ଧାରି ପକାଇବ ? ସେଥିପାଇଁ ତାକୁ ନାହିଁକଲି । ତା ବୋଉ ମୋ ସାଙ୍ଗରେ ପଟେ ଝଗଡ଼ା କଲା । ଶେଷକୁ ମୁଁ ତାକୁ ଇସ୍କୁଲ ପଠାଇଲି । ସେ ବଡ଼ ଆନନ୍ଦରେ ପାଠ ପଢ଼ିଲା । ଦିନ ରାତି ପୋଥି ଘୋଷିଲା । ଦିନେ ଇସ୍କୁଲ ପିଲାଏ ସଭିଏଁ ମିଶି ଚାନ୍ଦା ଉଠେଇ କଣ ଗୋଟାଏ କାଗଜ ମଗାଇବେ ବୋଲି ଠିକ୍ କଲେ । ବୁରୁନ୍ଦା ଆସି ମତେ ପଇସା ମାଗିଲା । ମୁଁ ନାହିଁ କଲି । ପାଠ ପଢ଼ିବ ତ ପଢ଼ିବ–ଏତେ ପଇସା କାରବାର କାହିଁକି ?

 

‘‘ବାବୁ ମୋ କପାଳ ହୀନ । ନଇଲେ ବୁରୁନ୍ଦା ପରି ସୁଧାର ପିଲା ଇମିତି କଥା କାହିଁକି କରନ୍ତା ? ଗାଧୋଇ ବାହାରିଥିଲି । ଗାମୁଛାଟା ପିନ୍ଧିଛି । ତେଲଗିନାଟା ପାଇଁ ଘର ଭିତରକୁ ପଣି ଆସିଲା ବେଳକୁ ଦେଖେ ତ ବୁରୁନ୍ଦା ମୋ କରାଟ ଫିଟେଇ ପଇସା କାଢ଼ୁଛି । ମତେ ଦେଖି ଧାଇଁ ପଳାଉଥିଲା । ଧଇଲି ତା ହାତକୁ । ମୁଠାରେ ତାର ସୁଉକିଟା । ମୋ ମୁଣ୍ଡରେ ପିତ୍ତ ଚଢ଼ିଗଲା । ଆଗରୁ ତ ତା ପାଠ ପଢ଼ାକୁ ନାପସନ୍ଦ କରୁଥିଲି । ତାହିଁରେ କଣ ନ ପାଠ ପଢ଼ି ଚୋରି ଶିଖିଲାଣି ! ପଇସା ଛଡ଼େଇ ନେଲି । ହେଲେ ବି ମନ ଥଣ୍ଡା ହେଲାନାହିଁ–କଷି କରି ତାକୁ ମାଇଲି–’’

 

ସାହେବ ଚିତ୍କାର କରି ଉଠିଲେ–‘‘ଉଃ ମାରିଲ ? ତୁମେ ମାରିଲ–ତୁମେ ?’’

 

ବୁଢ଼ା ଧକାଇ ଧକାଇ କହିଲା–‘‘ଆଉ ପଚାର ନା ବାବୁ । ଗୁଡ଼େଇ ତୁଡ଼େଇ ବାଡ଼େଇଚି-। ଭୂଇଁରେ ସେ ଗଡ଼ିଗଲା । ପିଠି ଫାଟି ରକ୍ତ ବହିଲା । ମୁଁ ରାକ୍ଷସ ତାକୁ ଦରମଲା କରି ପୋଖରୀ ଆଡ଼େ ଚାଲିଗଲି । ମୁଁ ଫେରିଲାବେଳକୁ ବୁରୁନ୍ଦା ବୋଉ କାନ୍ଦି କାନ୍ଦି ମୁଣ୍ଡ କୋଡ଼ି ହେଉଚି । ମୁଁ ବୁରୁନ୍ଦାକୁ ବାଡ଼େଇଲା ବେଳେ ସେ ନଥିଲା । ସାଇରେ କାହା ଘରକୁ ଯାଇଥିଲା । ବୁରୁନ୍ଦାର ମାଡ଼ କଥା କାହାଠୁ ଶୁଣି ଦୌଡ଼ି ଆସିଲା । ହେଲେ ବୁରୁନ୍ଦାକୁ ସେ ଦେଖି ପାରିଲା ନାହିଁ । ସେହି ଦିନୁଁ ବୁରୁନ୍ଦା ଆମ ଆଖିରୁ ଲୁଚି ଗଲା–’’

 

ଇସ୍କୁଲ ପିଲାଏ ଆଁକରି କଥାଗୁଡ଼ାକ ଶୁଣି ଯାଉଥିଲେ । ଜଣେ ପଚାରିଲା–‘‘ବୁରୁନ୍ଦା କଣ ମରିଗଲା ?’’

 

ବୁଢ଼ା ମୁଣ୍ଡ ହଲାଇ କହିଲା–‘‘ନା, ନା, ସେ ମରନି । ଦଇବ ତାକୁ ଆଇଷ ଦେଇ ଥାଆନ୍ତୁ । ସେ ମାଡ଼ ଖାଇ କୁଆଡ଼େ ଦୌଡ଼ି ଅଦୃଶ୍ୟ ହୋଇଗଲା । କେତେ ଖୋଜିଲୁଁ । କୂଅ ପୋଖରୀ ଦରାଣ୍ଡିଲୁଁ । ହେଲେ ତାର ପତ୍ତା ମିଳିଲା ନାହିଁ । କିଏ କିଏ କହିଲେ ସେ ମଟରରେ କୁଆଡ଼େ ପଳାଇଚି ।

 

ଦୁଃଖ ଇତିକିରେ ସରିଲା ନାହିଁ ବାବୁ । ବୁରୁନ୍ଦାବୋଉ ମାସ ଗୋଟାକରେ ପୁଅକୁ ଝୁରି ଝୁରି ସେ ପୁରକୁ ଗଲା । ମୋ’ରି ଲାଗି ମୋ ଘର ଭାଙ୍ଗିଲା । ଯୁଆଡ଼େ ଗଲେ ବୁରୁନ୍ଦାର ଲହୁଲୁହାଣ ଦିହଟା ଦିଶିଲା–ତା ବୋଉର ମୁଣ୍ଡ କୋଡ଼ା ବାହୁନା ଦିଶିଲା । ମୁଁ ଆଉ ଥୟଧରି ରହି ପାରିଲି ନାହିଁ; ପାଗଳ ହୋଇଗଲି । ଗାଁ ଛାଡ଼ି କୁଆଡ଼େ ପଳେଇ ଯିବାକୁ ମନ ହେଲା । ଶେଷକୁ ଟଙ୍କା କଉଡ଼ି କ୍ଷେତ ବାଡ଼ି ସବୁ ସେଇ ଇସ୍କୁଲ ମାଷ୍ଟରଙ୍କ ହାତରେ ସଂପିଦେଇ ପଳାଇ ଆସିଲି । ସେହି ଦିନୁ ମୁଁ ଦାଣ୍ଡର ଭିକାରୀ–ପାଗଳ–ଘୁଙ୍ଗା–’’ ବୁଢ଼ା ଭୋ’କରି କାନ୍ଦି ଉଠିଲା ।

 

ଲୋକ ରୁଣ୍ଡ ହେଇଗଲେଣି ସେତେବେଳକୁ । ବୁଢ଼ାର କାହାଣୀ ସମସ୍ତେ ଶୁଣୁଥିଲେ । ସାହେବଙ୍କୁ କେହି ଲକ୍ଷ୍ୟ କରି ନାହାନ୍ତି । ସାହେବ ଯେତେବେଳେ ବୁଢ଼ାର ହାତକୁ ଧରି ଉଠାଇଲେ, ସମସ୍ତେ ଆଶ୍ଚର୍ଯ୍ୟ ହେଇ ତାଙ୍କ ମୁହଁକୁ ଚାହିଁଲେ । ତାଙ୍କ ମୁହଁ କଳା ପଡ଼ି ଯାଇଛି । ଆଖିରେ ଲୁହ ଭରା । ଦ୍ୱିତୀୟ କଥା ନକହି ସାହେବ ବୁଢ଼ାକୁ କୋଳ କଲା ପରି ଟେକି ନେଇ ମୋଟର ଭିତରେ ବସାଇଦେଲେ । ବିକୁଳି ଝଟକ ପରି ମୋଟରଟି ହଠାତ୍ କୁଆଡ଼େ ଅଦୃଶ୍ୟ ହେଇଗଲା ।

 

ପେଟ୍ରୋଲର ଦାମ ନେବାକୁ ଦୋକାନରୁ ଜଣେ କେହି ଆସିଲା । ସାଙ୍ଗରେ ସାହେବଙ୍କ ଅର୍ଦ୍ଦଳି । ଦିହେଁ ଆଶ୍ଚର୍ଯ୍ୟ ହେଇଗଲେ; ମୋଟର ଗଲା କୁଆଡ଼େ ? ଦୋକାନୀ ବେଚରୀ ଅର୍ଦ୍ଦଳିକୁ ନାଲି ଆଖି ଦେଖାଇଲା । ଧମକାଇ କହିଲା–କି ଭଦ୍ରଲୋକ ତୋ ସାହେବ ? ମୋଟରରେ ପେଟ୍ରୋଲ ଭର୍ତ୍ତି କରିନେଇ ଦେ ଚମ୍ପଟ ! କହ ତା ନା । ମୁଁ ଯିମିତି ହେଉ ଟଙ୍କା ଅସୁଲ କରିବି ।

 

ଅର୍ଦ୍ଦଳି ମହା ମୁଷ୍କିଲରେ ପଡ଼ିଲା । ସାହେବଙ୍କର ଏ କି ଅବିଚାର; ବୁଝିପାରିଲା ନାହିଁ । ନିଜେ ମୁକ୍ତି ପାଇବା ପାଇଁ ତାଙ୍କ ନାଆଁଟା କହିଲା–‘‘ବୃନ୍ଦାବନ ପ୍ରଧାନ’’ ।

 

ସ୍କୁଲ ପିଲାଏ ପାଟିକରି ଉଠିଲେ–‘‘ଆରେ, ଏଇ ତେବେ ବୃନ୍ଦାବନ ପ୍ରଧାନ । ସେହି ବୁଢ଼ାର ପୁଅ ହେଇଥିବ–ନହେଲେ ତାକୁ ମୋଟରରେ ଧର କାହିଁକି ପଳାଇଲା ?’’

 

ମାଟି କାଦୁଅ ହେଇ କେଡ଼େ ଅସନା ଲାଗେ ? କିନ୍ତୁ ସେହି ମାଟିରେ ନିର୍ମିତ ଦେବ ଦେବୀ ମୂର୍ତ୍ତି କେତେ ପୂଜା ନ ପାଆନ୍ତି ।

 

ଛିଣ୍ଡାକନା, କୁଟା, କାଠି ଖତଗଦାରେ ପଡ଼ିବା ଯୋଗ୍ୟ । କିନ୍ତୁ ତାକୁ ନେଇ ତିଆର ହୁଏ କାଗଜ; ଆଉ ସେହି କାଗଜରେ ଲେଖାଯାଏ କେତେ ମହତ୍ ପୁସ୍ତକମାନ ।

 

ଟାଙ୍ଗରା ପାହାଡ଼ରେ ପଥର କେତେ ପଡ଼ି ରହିଚି । କେହି ତା ଆଡ଼େ ଚାହିଁ ଯାଆନ୍ତି ନାହିଁ । ଅଥଚ ସେହି ପଥରରେ ନିର୍ମିତ କୋଣାର୍କ ମନ୍ଦିରର ସ୍ଥାନ କେତେ ଉଚ୍ଚରେ ।

 

ଶିକ୍ଷା ସଂସ୍କୃତିର କାଉଁରି ସ୍ପର୍ଶରେ ଦୁନିଆରେ କଣ ନହୁଏ ? ତା ନହେଲେ କି ଆଜି ଚାରବୁଲା ମାଗିଖିଆ ଟୋକା ବୁରୁନ୍ଦା ଡାକ୍ତର ବିଭୂତିଭୂଷଣଙ୍କ ଯତ୍ନରେ ହେଇପାରନ୍ତା ମିଲିଟାରି ସାହେବ !

Image

 

ପ୍ରଭୃତ୍ୱ

 

ଚନ୍ଦ୍ରର ଶେଷରଶ୍ମି ଝରକା ବାଟ ଦେଇ କାନ୍ତାର ମୁଖ ଉଦ୍ଭାସିତ କଲା । ନିଦ୍ରିତା କାନ୍ତା ଚମକି ଉଠେ ଆଖି ମିଳିଲା । ପାର୍ଶ୍ୱସ୍ଥ ପଲଙ୍କକୁ ଚାହିଁ ସଳଖି ବସିଲା । ‘‘ସେ କେତେବେଳେ ଉଠି ଚାଲି ଗଲେଣି ? ଅନ୍ଧାରରୁ ଉଠି କାମ କରୁଛନ୍ତି ?’’ ଟର୍ଚ୍ଚ ଲାଇଟ୍ଟା ଟିପି ଦେଖିଲା, ଚାରିଟା ବାଜି ପନ୍ଦର ମିନିଟ୍ । କାନ୍ତା ଧୀରେ ଧୀରେ ସ୍ୱାମୀଙ୍କର ଅଫିସ୍ ରୁମ୍‍କୁ ଗଲା । କାମ କଲାବେଳେ କାହାର ଉପସ୍ଥିତି ସେ ପସନ୍ଦ କରନ୍ତି ନାହିଁ । ବିରକ୍ତ ହୋଇ ପାରନ୍ତି; ଏଣୁ କବାଟ ପାଖରେ ଛିଡ଼ା ହେଇ କାନ୍ତା ଭିତରକୁ ଚାହିଁଦେବା ମାତ୍ରେ ତାର ହାତ ଗୋଡ଼ ଅଚଳ ହେଇଗଲା । କଣ ହେଇଚି ? ସେ ଇମିତି ଟେବୁଲ ଉପରେ ମୁଣ୍ଡ ପୋତି ପଡ଼ିଚନ୍ତି କାହିଁକି ? ହାତଟା ଚୌକିର ତଳକୁ ଝୁଲୁଚି । ହେଲା କଣ ? କାନ୍ତା ଅବଶ ଦେହରେ ଯାଇ ଆସ୍ତେ ସୁଶାନ୍ତ ବାବୁଙ୍କର ମୁଣ୍ଡକୁ ଛୁଇଁଲା । ମୁହଁ ଉପରେ ହାତ ବୁଲାଇଲା । ନା, ଶୋଇ ପଡ଼ିଛନ୍ତି । ଗାଢ଼ ନିଦ୍ରା । କିନ୍ତୁ କାରଣଟା ବୁଝିପାରିଲା ନାହିଁ ସେ । କି ଦରକାର ଥିଲା ଚାରିଟା ବେଳକୁ ଶଯ୍ୟା ତ୍ୟାଗ କରି ଚେୟାର ଉପରେ ଶୋଇବା ?

 

ସୁଶାନ୍ତ ଆଖି ଖୋଲିଲେ । କାନ୍ତାକୁ ପାଖରେ ଦେଖି ପଚାରିଲେ–‘‘ଏଠି କଣ କରୁଚ-?’’

 

କାନ୍ତା–ତୁମେ ଏତେ ସହଳ କାହିଁକି ବିଛଣା ଛାଡ଼ିଲ ?

 

ସୁଶାନ୍ତ–ଏଁ ? ବିଛଣା ? ମୁଁ ତ ବିଛଣାକୁ ଯାଇନି । କେତେ ସମୟ ହେଇଚି ?

 

କାନ୍ତା–ଯାଇନ ? ପାହାନ୍ତି ହେଲାଣି, ଚାରିଟା ବାଜିଛି । ତୁମେ ରାତିଟା ସାରା ଏଇଠି ଶୋଇଚ ?

 

ସୁଶାନ୍ତ–ଦୁଇଟା ବାଜିଲା, ମୁଁ ଶୁଣିଚି । ତା ପରେ କେତେବେଳେ ନିଦ ହେଇଗଲା ଜାଣି ପାରିଲି ନାହିଁ । ତୁମେ ଯାଅ ଶୋଇପଡ଼ ।

 

କାନ୍ତା–ଆଉ ତୁମେ ?

 

ସୁଶାନ୍ତ–ଏବେ ଯାଇ ଖଟରେ ପଡ଼ିଲେ ନିଦ ଭାଙ୍ଗିବ ନାହିଁ । କାଲି ସକାଳ ସାତୁଟାରେ ସାହେବ ଡକାଇଛନ୍ତି ।

 

ସୁଶାନ୍ତ ଜାଣନ୍ତି, ସାତୁଟାରେ ଅର୍ଥ କଣ । ସାହେବଙ୍କର ପହଡ଼ ଭାଙ୍ଗେ ଆଠୁଟାରେ । ତାପରେ ଛୋଟା ହାଜିର ସରୁ ସରୁ ନଅଟାଠାରୁ କମ୍ ହୁଏ ନାହିଁ । କିନ୍ତୁ ସେ ତଳିଆ ଅଫିସରମାନଙ୍କୁ ଡାକନ୍ତି ସାତୁଟାରେ । ଆଦେଶ ମାନିବାକୁ ହେବ । ଫାଇଲ ସବୁ ସଜିଲ କରି ଘଣ୍ଟାକାଠି ସାତୁଟାରେ ପହଞ୍ଚୁ ନ ପହଞ୍ଚୁଣୁ ସେଠି ହାଜର ନ ହେଇଥିଲେ ବିପଦର ସମ୍ଭାବନା ।

 

ଏ କେତେଦିନ ହେଲାଣି ସୁଶାନ୍ତଙ୍କୁ ମନରେ ଶାନ୍ତି ନାହିଁ । ଦିନରାତି ଖଟିଲେ ବି ସେ ତୃପ୍ତ ହେଇ ପାରୁନାହାନ୍ତି । କେତେ ନୋଟ ଲେଖି ଉପରକୁ ଦେଲେ ସବୁ ନାପସନ୍ଦ ହେଇଯାଉଛି । ସାହେବଙ୍କ ସହିତ ସାକ୍ଷାତ ବି ହେଇ ପାରୁନାହିଁ । କେତେଥର ବଙ୍ଗଳାକୁ ଯାଇ ଅପେକ୍ଷା କରି କରି ଫେରି ଆସିବାକୁ ପଡ଼ିଚି । ଆଜି ସାହେବ ନିଜେ ଡକାଇଛନ୍ତି । ଡକାଇବା କାରଣ ସୁଶାନ୍ତ ବେଶ୍ ଜାଣନ୍ତି । ଏଣୁ ସୁଖନିଦ୍ରାକୁ ଏକରକମ ଭୁଲି ଯାଇଛନ୍ତି ।

 

କାନ୍ତାର ଅନୁରୋଧ ସତ୍ୱେ ସେ ସକାଳୁ ସରବତ ଗିଲାଶେ ଛଡ଼ା ଅନ୍ୟ କିଛି ସ୍ପର୍ଶ କର ପାରିଲେ ନାହିଁ । ଫାଇଲ ସ୍ତୂପକୁ ପଛରେ ବାନ୍ଧି ସାଇକଲଟା ଛୁଟାଇଲେ । କାନ୍ତା ପର୍ଦା ଉହାଡ଼ରେ ଛିଡ଼ା ହୋଇ ତାଙ୍କର ଶୁଷ୍କ ମୁଖ, ଭାରାକ୍ରାନ୍ତ କୁଞ୍ଚିତ କପାଳ ଓ ନିଷ୍ପ୍ରଭ ଚକ୍ଷୁକୁ ଲକ୍ଷ୍ୟ କଲା । ଦୁଇବର୍ଷ ପୂର୍ବେ କଣ ଥିଲେ, କଣ ହେଲେଣି ! ଶରୀରର ଶୋଭା ତ କ୍ରମେ ଅପସରି ଯାଉଚି; ତା ସାଙ୍ଗେ ସାଙ୍ଗେ ତାଙ୍କର ସାହିତ୍ୟସେବା, ସଙ୍ଗୀତ ଚର୍ଚ୍ଚା କୁଆଡ଼େ ଉଭେଇ ଗଲାଣି । ସରସ ସାହିତ୍ୟିକ ଥିଲେ ସେ । ତାଙ୍କର ଉପନ୍ୟାସ ପଢ଼ି ଏହି କାନ୍ତା କେତେ ରୋମାଞ୍ଚ ଉପଭୋଗ କରୁଥିଲା । ବଂଶୀର କରୁଣ ମୂର୍ଚ୍ଛନାରେ କେତେ ବିରହୀ ବିରହିଣୀଙ୍କ ପୁଞ୍ଜିଭୂତ ବେଦନାର ବନ୍ଧ ଭାଙ୍ଗି ପଡ଼ୁଥିଲା । କଣ୍ଠସ୍ୱର ବି ଚମତ୍କାର । ଏବେ ସେ ସବୁ ସ୍ୱପ୍ନ । ସାହିତ୍ୟିକ, କଳାକାର, ରସିକ ସୁଶାନ୍ତ ଏବେ ଯତ୍ନ ପାଲଟିଛନ୍ତି । କାନ୍ତା ସହିତ ପଦେ ମଧୁରାଳାପ ପାଇଁ ସମୟ ନାହିଁ । ଫାଇଲରେ ଗାରେଇବା, ନୋଟ ଲେଖିବା ଛଡ଼ା ଅନ୍ୟ ପ୍ରକାର ସାହିତ୍ୟ ସେ ଭୁଲିଲେଣି । ଟାଇପ ମେସିନ୍‍ର ଖଟ୍ ଖଟ୍ ନାଦ ଭିତରେ ସବୁ ସଙ୍ଗୀତ ବିଲୁପ୍ତ ।

 

ଫାଟକଟା ଖୋଲିବା ମାତ୍ରେ ଦୁଇଟା ଅଲସେସନ୍ ଦୌଡ଼ି ଆସିଲେ । ମନୁଷ୍ୟ ପ୍ରତି ଘୋର ବିପଦ୍ୱଷ ଭାବ, ହିଂସ୍ର ରୂପ । କିନ୍ତୁ ମଣିଷ ଚିହ୍ନନ୍ତି ସେମାନେ । ସୁଶାନ୍ତକୁ ଟିକେ ଶୁଙ୍ଘି ଦେଇ ଭଦ୍ରଲୋକର ପରିଚୟ ପାଇଲେ କି କଣ, ଲାଙ୍ଗୁଳ ହଲାଇ ସ୍ୱାଗତ ଜଣାଇଲେ । କିନ୍ତୁ ଟୁଲ୍ ଉପରେ ବସିଥିବା ଦରଓ୍ୟାନର ମୁଖରେ ରୁକ୍ଷତା କମିଲା ନାହିଁ । ସେ ସେହିପରି ବେଖାତିର ଭାବରେ ବସି ରହିଲା । ଜଣେ କେହି ଆଗନ୍ତୁକ ଭଦ୍ରଲୋକ, ହୁଏତ ସରକାରୀ କର୍ମଚାରୀ କୌଣସି ଜରୁରୀ କାର୍ଯ୍ୟରେ ଆସିଛନ୍ତି, ଏ କଥା ତା ପକ୍ଷେ ନିରର୍ଥକ । ସେ ମନୁଷ୍ୟର ମୂଲ୍ୟ ବୁଝେ ତା ବାହନରୁ । ଦେବତାଙ୍କୁ ନ ଦେଖି ତାଙ୍କ ବାହନ ଦେଖିଲେ ଜଣାଯିବ କେଉଁ ଦେବତା ଆବିର୍ଭୁତ ହେଉଛନ୍ତି । ଦି’ ଚକିଆ ବାହନ ଅତି ତୁଚ୍ଛ । ନିମ୍ନସ୍ତରର ଦେବତା ସେ । ତାଙ୍କ ପାଇଁ ଟୁଲରୁ କଷ୍ଟ କରି ଉଠିବା ଆବଶ୍ୟକ ନାହିଁ ।

 

ସୁଶାନ୍ତ ନିକଟକୁ ଆସି ଅନୁଚ୍ଚ ସ୍ୱରରେ ପଚାରିଲେ–‘‘ସାହେବ ଅଛନ୍ତି ?’’ ଦରଓ୍ୟାନ୍ ବିଡ଼ିରେ ଅଗ୍ନି ସଂଯୋଗ କରୁ କରୁ ଗୋଟିଏ ‘‘ହୁଁ’’ କଲା ।

 

ସୁଶାନ୍ତ–‘‘କେତେବେଳେ ଅଫିସ୍ ରୁମ୍‍କୁ ଆସିବେ ? ସାତୁଟାରେ ମତେ ଡକାଇଥିଲେ-।’’

 

ଦରଓ୍ୟାନ୍–‘‘ତାଙ୍କ ଟାଇମରେ ସେ ଆସିବେ । ଅପେକ୍ଷା କରନ୍ତୁ ।’’

 

କିନ୍ତୁ କେଉଁଠି ଓ କେତେ ସମୟ ସେକଥା ଜଣାଇବା ଦରଓ୍ୟାନ୍‍ର କାର୍ଯ୍ୟ ନୁହେଁ । ସୁଶାନ୍ତ ଅଧଘଣ୍ଟା ବାରଣ୍ଡା ଉପରେ ଛିଡ଼ା ହେବା ପରେ ବାରଣ୍ଡାରୁ ଫାଟକ, ଫାଟକରୁ ବାରଣ୍ଡା ଟହଲିବାକୁ ଲାଗିଲେ । ଛିଡ଼ା ହେଇ ହେଇ ଗୋଡ଼ କଣ ହୋଇ ଯାଉଛି । ଭିତର ହଲ୍‌ରୁ ପନ୍ଦର ମିନିଟ୍‍କୁ ଥରେ ଘଣ୍ଟାର ଧ୍ୱନୀ ଝଙ୍କୃତ ହୋଇ ଉଠୁଥାଏ । ସୁଶାନ୍ତ ନିଜ ହାତଘଡ଼ି ତା ଅନୁସାରେ ମିଳାଇ ନେଉଥାନ୍ତି–ଆଠଟା ପନ୍ଦର, ସାଢ଼େ ଆଠ, ଆଠଟାପଇଁଚାଳିଶି, ନଅ, ନଅଟା ପନ୍ଦର । ଏ ମଧ୍ୟରେ ଗୋଟାଏ ଦି’ଟା ମୋଟରକାର ଫାଟକ ଭିତରେ ପଶିଛି । ଦରୱାନ ଉଠି ସଲାମ ବଜାଇଚି, ନଇ ନଇ ହାତ ଦେଖାଇ ବୈଠକଖାନାକୁ ବାଟ କଢ଼ାଇ ନେଇଚି କେତେ ଜଣ ଗୌରବର୍ଣ୍ଣ ଦେଶୀ ସାହେବ, ମେମ୍ ସାହେବ ଓ ବିଦେଶୀ କୁକୁରଙ୍କୁ । ଅଲସେସନ୍‌ମାନେ ଏହି କୁକୁରଗୁଡ଼ିକୁ ଦେଖି ଆକ୍ରମଣ କରିବାକୁ ଯିବାରୁ ଦଣ୍ଡିତ ହେଲେ ।

 

ସୁଶାନ୍ତ ବାରଣ୍ଡାର ଗୋଟିଏ କଡ଼ରେ ଆସି ଛିଡ଼ାହେଲେ । ହୁଏତ ସାହେବଙ୍କର ଦୃଷ୍ଟି ପଡ଼ିବ । ସେ ବାହାରକୁ ଦୈବାତ୍ ଆସି ପାରନନ୍ତି । ସୁଶାନ୍ତଙ୍କ ଭାଗ୍ୟ ।

 

ଭିତରୁ ଶୁଭିଲା ଚାହା କପ୍ ପିଆଲର ଝଣ୍‌ ଝାଣ୍‌ ଆବାଜ୍–ନାରୀକଣ୍ଠର ତରଙ୍ଗାୟିତ ହାସ୍ୟ ଧ୍ୱନୀ–ହିନ୍ଦୀ ଓ ଇଂରାଜୀରେ ସ୍ତ୍ରୀ ପୁରୁଷଙ୍କର କଥୋପକଥନ । ଆଦବକାରୟଦାର ବହିର୍ଭୂତ ହୋଇଥିଲେ ସୁଦ୍ଧା ସ୍ୱତଃ ସୁଶାନ୍ତଙ୍କ କାନ ସେମାନଙ୍କର କଥାବସ୍ତୁ ଆଡ଼କୁ ଆକୃଷ୍ଟ ହେଲା । ସୁଶାନ୍ତ ଶୁଣିଲେ, ଜଣେ ଇଂରାଜୀରେ ପଚାରୁଚି, ଆପଣ କାଲି ମିଟିଂରେ କଣ ଓଡ଼ିଆରେ ବକ୍ତୃତା ଦେଲେ-! ମୁଁ ଆଶର୍ଯ୍ୟ ହୋଇଗଲି । କେଉଁଠୁ ଶିଖିଲେ ?

 

ସାହେବ ଉତ୍ତର ହେଲେ–ଶିଖିଲି ଏଇ ପିଅନ୍ ଅର୍ଦ୍ଦଳିଙ୍କଠାରୁ । ଓଡ଼ିଆ ଗୋଟାଏ କି ଭାଷା ଯେ ତାକୁ ରୀତିମତ ଶିଖିବି ? କାମ ଚଳିଗଲେ ହେଲା ।

 

ନାରୀ ଜଣେ ଟିପ୍‍ଣୀ ଦେଲେ–ବଡ଼ ଜଘନ୍ୟ ଭାଷା । ଇସ୍ କି ଶ୍ରୁତିକଟୁ ! ନିହାତି ଜଙ୍ଗଲି !

 

ଅନ୍ୟ ଜଣେ ବିଦୂଷୀ ସୁଚିନ୍ତିତ ମନ୍ତବ୍ୟ ପ୍ରକାଶ କଲେ–ଆଦିବାସୀ ଭାଷା, ଆଉ ସୁଲଳିତ ହୁଅନ୍ତା କିମିତି ? ସାନ୍ତାଳ କୋହ୍ଲମାନେ ତ ପ୍ରାୟ ଏହିପରି ଭାଷା କହନ୍ତି । ପ୍ରଥମ ନାରୀ ପଚାରିଲେ–ଓଡ଼ିଆ ଅକ୍ଷର କିଛି ସ୍ୱତନ୍ତ୍ର ଅଛି, ନା ସେମାନେ ବଙ୍ଗଳା ଅକ୍ଷରରେ ଲେଖନ୍ତି ?

 

ଜଣେ କେହି ପୁରୁଷ ହସି କହିଲେ–ଆରେ ଆପଣ ଓଡ଼ିଆ ଅକ୍ଷର ଦେଖି ନାହାନ୍ତି ? ସ୍କୁଲରେ ମୋ ପିଲାମାନେ ପଢ଼ୁଚନ୍ତି । ଓଡ଼ିଆ ଲେଖି ଶିଖିଲେଣି ।

 

ନାରୀକଣ୍ଠର ପ୍ରତିବାଦ ଶୁଭିଲା–‘‘ମୋ ପିଲାଙ୍କୁ ମୁଁ ଏ ଜଙ୍ଗଲି ଦେଶରେ ଆଦୌ ପଢ଼େଇବି ନାହିଁ । ଲକ୍ଷ୍ନୌକୁ ଆସନ୍ତା ମାସରେ ପଠେଇଦେଉଚି । ଏଠି ପିଲାମାନେ ଖରାପ ଦେଇଯିବେ । କି କଦର୍ଯ୍ୟ ଦେଶ । କି ଅପରିଷ୍କାର ପିଲା ସବୁ–’’

 

ସାହେବ–ପବ୍ଲିକ୍ ସ୍କୁଲ ନାହିଁ । ଏ ସ୍କୁଲ ମାନଙ୍କରେ ସବୁ ଶ୍ରେଣୀର ପିଲାଙ୍କ ସାଙ୍ଗରେ ପଢ଼ିବାକୁ ପଡ଼ୁଚି । ଏଥିରେ ଆଉ ପିଲାଙ୍କ ଉନ୍ନତ୍ତି ହେବ କିମିତି ? ମୋ ପୁଅଟିକୁ ମୁଁ ଡେରାଡୁନ୍ ପଠାଇ ଦେଇଚି । ଏଠି ରହିଲେ ଓଡ଼ିଆଙ୍କ ପରି ଗଧା ପାଲିଟି ଯିବ ।

 

ସମସ୍ତେ ହସିଲେ । ସୁଶାନ୍ତ ଦାନ୍ତ କାମୁଡ଼ି ଆତ୍ମସମ୍ବରଣ କଲେ । ଇଛା ହେଉଥିଲା, ଭିତରକୁ ଦୌଡ଼ିଯାଇ ପଚାରିବେ ଓଡ଼ିଆ ମାଟିରେ ପ୍ରତପୋଷିତ ହୋଇ କେଉଁ ସାହାସରେ ସେମାନେ ଓଡ଼ିଆର ନିନ୍ଦା କରୁଚନ୍ତି ?

 

କିନ୍ତୁ ସାହେବଙ୍କୁ ବାହାରକୁ ଆସୁଥିବାର ଦେଖି ସୁଶାନ୍ତଙ୍କ ମାନସିକ ଅବସ୍ଥା ପରିବତ୍ତିତ ହୋଇଗଲା । ସେ ନତ ମସ୍ତକରେ ନମସ୍କାର ଜଣାଇଲେ । ସାହେବ ସିଗାରେଟଟା ପକାଇଦେଇ କହିଲେ–‘‘ଓ –ତୁମେ ଆସିଚ ! ଆଛା, ଅଫିସ୍ ରୁମରେ ଅପେକ୍ଷା କର ।’’

 

ସୁଶାନ୍ତ ଫାଇଲ ସବୁ ନେଇ ଅଫିସ୍ ରୁମ୍‌କୁ ଗଲେ । ପୁଣି ସମୟ ଗଡ଼ି ଚାଲିଲା । ବେଳ ପ୍ରାୟ ସାଢ଼େ ଦଶ ହେଲାଣି । କେତେବେଳେ ଘରକୁ ଯାଇ ଖିଆପିଆ କରିବେ, ପୁଣି କେତେବେଳେ ଅଫିସ୍‌କୁ ଯିବେ । ଆଜି ତିନିଟାରେ ଟୁର୍ ବି ଯିବାକୁ ପଡ଼ିବ ।

 

ସାହେବ ଗମ୍ଭୀର ଭାବେ ଆସି ଚୌକିରେ ବସିଲେ । ପଚାରିଲେ–‘‘ମିଷ୍ଟର ନନ୍ଦ, ତୁମେ ସରକାରୀ କର୍ମଚାରୀ ନା ସରକାରଙ୍କ ପରାମର୍ଶଦାତା ?’’

 

ସୁଶାନ୍ତ–ବୁଝିପାରିଲି ନାହିଁ କଣ କହୁଚନ୍ତି ।

 

ସାହେବ–ନା, ତୁମେ ଜାତିଟାର ବୁଝିବା ଶକ୍ତି ଖୁବ୍ ତୀକ୍ଷ୍ଣ ।

 

ସୁଶାନ୍ତ–‘‘କ୍ଷମା କରିବେ ସାର୍ । ମୋ ବିରୁଦ୍ଧରେ ଯଦି କିଛି ଅଭିଯୋଗ ଥାଏ ମତେ କହନ୍ତୁ । ଜାତିର ନିନ୍ଦା ଶୁଣିବାକୁ ମୁଁ ପ୍ରସ୍ତୁତ ନୁହେଁ ।’’ ସାହେବ ନିଜ ଷ୍ଟେନୋ ଆଡ଼େ ଟିକେ ଦୃଷ୍ଟି ପକାଇ ଗଳାକୁ ବଦଳାଇଦେଲେ । ନା,ନା, ନିନ୍ଦା ମୁଁ କରୁନାହିଁ ଯେ ତେବେ ତୁମେ ଇମିତି ନୋଟ୍ ଗୁଡ଼ାଏ ଲେଖୁଚ କାହିଁକି ? ସରକାରୀ ଆଦେଶତ ପାଳିଯିବ, ତାର ପ୍ରତିବାଦ କାହିଁକି କରୁଚ ?

 

ସୁଶାନ୍ତ–ଭୁଲ ଆଦେଶର ପ୍ରତିବାଦ କରିଚି । ସରକାରୀ ନୀତି ଯେଉଁଠି କାର୍ଯ୍ୟକାରୀ କରାଇବା ହିଁ ତୁମର କାର୍ଯ୍ୟ ।

 

ସୁଶାନ୍ତ ବୃଥା ପ୍ରୟାସ । ଅଯଥା ସରକାରୀ ଟଙ୍କା ଅପବ୍ୟୟ ହେବ । ସମୟ ନଷ୍ଟ ହେବ-। ଲୋକ ଗୁଡ଼ା ହଇରାଣ ହୋବେ ।

 

ସାହେବ–ହଇରାଣ ? ସେମାନଙ୍କର ଭଲ କରିବାକୁ ଗଲେ ହଇରାଣ କହୁଚ ? ଜଙ୍ଗଲର ଜାନୁଆର ପରି ରହିଚନ୍ତି । କ୍ଷେତ ନାହିଁ, ବିଲ ନାହିଁ, ଘର ନାହିଁ, ଦ୍ୱାର ନାହିଁ । ଏଥିରେ ସେମାନେ ଭଲରେ ଅଛନ୍ତି ? ଆଉ ସରକାର ଯେତେବେଳେ ଅସୁମରି ଟଙ୍କା ସେମାନଙ୍କ ପିଛେ ଖର୍ଚ କରି ଚାଷ ଜମି, ଘର, ହଳଲଙ୍ଗଳ ସବୁ ଯୋଗାଉଚନ୍ତି ତାକୁ ସେମାନେ ଗ୍ରହଣ କଲେ ହେବେ ହଇରାଣ । ଅପୂର୍ବ ତୁମର ଯୁକ୍ତି ମିଷ୍ଟର ନନ୍ଦ !

 

ସୁଶାନ୍ତ–ଜଙ୍ଗଲି ଲୋକ ସେମାନେ । ଆଦିବାସୀ । ତଥାପି ସେମାନଙ୍କର ସୁବିଧା ଅସୁବିଧା କଥା ଭାବିବାକୁ ତ ହେବ । ସେମାନେ ଯେପରି ଭାବେ ଅବହମାନ କାଳରୁ ଚଳି ଆସୁଚନ୍ତି ତାକୁ ହଠାତ୍ ବଦଳେଇ ଦେଇ ହେବ ନାହିଁ । ଏ ସବୁ କାମ ସମୟସାପେକ୍ଷ ।

 

ସାହେବ–ଜଙ୍ଗଲ କାଟି କାଟି ସବୁ ଧ୍ୱଂସ କରୁଚନ୍ତି । ଦେଶର ଏତେବଡ଼ କ୍ଷତି ତୁମ ଦୃଷ୍ଟିରେ କିଛି ନୁହେଁ ? ଅଥଚ ଏ ବର୍ବର ଜାତିର କେତୋଟି ଖାମ ଖିଆଲି କଥା ତୁମକୁ ବଡ଼ ପରି ଲାଗୁଚି । ଦେଖ ମିଷ୍ଟର ନନ୍ଦ, ତୁମକୁ ଦୁଇ ମାସ ସମୟ ଦେଲି । ଏ ଭିତରେ ଯେପରି ପୋଡ଼ୁ ଚାଷ ବନ୍ଦ ହୁଏ । ଆଉ ପାହାଡ଼ ତଳ ସ୍ଥାନରେ ସେହି ସଉରାମାନେ ବସବାସ କରି ଚାଷ କରିବାକୁ ଆରମ୍ଭ କରିବେ । ତୁମର ଏ ଦାୟିତ୍ୱ; ତ! ନ ହେଲେ ତୁମକୁ ଜବାବ ଦେବାକୁ ପଡ଼ିବ ।

 

ସୁଶାନ୍ତ–ମୁଁ ଆଜ୍ଞା ପୁଣି କହୁଚି–ସେମାନେ ସେହି ଟାଙ୍ଗରା ଭୂଇଁରେ ଚାଷ କରି ପାରିବେ ନାହିଁ । ଖରା ଦିନର ତାତିରେ ସେମାନେ ବଞ୍ଚି ପାରିବେ ନାହିଁ–ଆଉ ସରକାର ଯେଉଁ ଟିଣ ଘର ସବୁ ତୋଳାଇବାକୁ ପ୍ରସ୍ତାବ କରିଚନ୍ତି ସେଥିରେ ସେମାନେ ଆଦୌ ରହି ପାରିବେ ନାହିଁ-

 

ସାହେବ–ଚୁପକର ମିଷ୍ଟର ନନ୍ଦ । ସେମାନଙ୍କୁ ରହିବାକୁ ପଡ଼ିବ । ତୁମେ ଯଦି ନ କରାଇ ପାରିବ ଅନ୍ୟ ଲୋକ କରିପାରିବେ । ଏ ଯୋଜନା ନିଶ୍ଚେ ସଫଳ ହେବ । ଅକର୍ମା ମିସ୍ତ୍ରୀ ନିଜ ହାତ ହତିଆରର ଦୋଷ ଖୋଜେ । ତୁମେ ଏ କାର୍ଯ୍ୟ କରିବାରେ ଅକ୍ଷମ–ଏ କଥା ସ୍ୱୀକାର ନ କରି ସରକାରୀ ନୀତି ବିରୁନ୍ଧରେ ଅଭିଯାନ ଚଳାଇଚ । ବଡ଼ ଦୁଃସାହସ ତମର ମି. ନନ୍ଦ, ବଡ଼ ଦୁଃସାହସ । ଏହାର ପରିଣତି କ’ଣ ହେବ ତୁମ ସୂକ୍ଷ୍ମ ବୁଦ୍ଧିରେ ବୋଧହୁଏ ପ୍ରବେଶ କରିନାହିଁ । ଆଜି ତୁମେ ସେଠାକୁ ଯାଇ କାର୍ଯ୍ୟ ଆରମ୍ଭ କର ।

ସୁଶାନ୍ତ–ସେ ସ୍ଥାନରେ ହେବନାହିଁ ଆଜ୍ଞା–ଅନ୍ୟ ଭଲ ସ୍ଥାନ ମୁଁ ଯୋଗାଡ଼ କରିପାରିବି । ସାହେବ ବିରକ୍ତ ହୋଇ ଓଠ କାମୁଡ଼ିଲେ । ଟେବୁଲ ଉପରେ ହାତ ବାଡ଼େଇ କହିଲେ–ସରକାର ଯେଉଁ ସଉରାମାନଙ୍କ ପାଇଁ ବନ୍ଦୋବସ୍ତ କରିଚନ୍ତି ସେଠାରେ ଘର ତୋଳା ହେବ–ସେହିଠାରେ ଚାଷ କାମ ଆରମ୍ଭ କର । ତୁମର କୌଣସି ଯୁକ୍ତି ଶୁଣିବାକୁ ମୁଁ ଚାହେଁ ନାହିଁ । ବର୍ତ୍ତମାନ ଯାଇପାର-

ତା ପର ଦିନ ସକାଳେ ।

କାନ୍ତା ପାଖରେ ଆସି ଛିଡ଼ାହେଲା । ସୁଶାନ୍ତଙ୍କ ମୁହଁକୁ ଚାହିଁ ଚମକି ପଡ଼ିଲେ –‘‘ଦେହ ଭଲ ନାହିଁ ? କ’ଣ ହେଇଚି ?’’ ସୁଶାନ୍ତଙ୍କ ଧ୍ୟାନ ଭାଙ୍ଗି ଗଲା । ସେ କହିଲେ–‘‘ଭଲ ଅଛ ତ !’’ କାନ୍ତା ତାଙ୍କ କପାଳରେ ହାତ ଦେଇ କହିଲା–‘‘ଅଫିସ୍ ଯିବ ନାହିଁ ? ଆଜି କ’ଣ ଛୁଟି ?’’

ସୁଶାନ୍ତ–ସବୁଦିନ ପାଇଁ ଛୁଟି । ମୁଁ କାର୍ଯ୍ୟରୁ ଇସ୍ତଫା ଦେଇଚି ।

କାନ୍ତା–ଭଲ କରିଚ; ମୁଁ ଖୁସି ।

ସୁଶାନ୍ତ କାନ୍ତାର ହାତକୁ ଧରିଲେ । ତା ମୁହଁକୁ ନିରୀକ୍ଷଣ କରି ଚାହିଁଲେ । ‘‘ସତେ ତୁମେ ଖୁସି ? କାନ୍ତା, ଅନ୍ୟ କେହି ହୋଇଥିଲେ ହାହାକାର ସୃଷ୍ଟି କରି ଥାଆନ୍ତା; ମୁଣ୍ଡ କୋଡ଼ି ହୋଇଥାନ୍ତା । ଅକର୍ମଣ୍ୟ ସ୍ୱାମୀର ଅଯୋଗ୍ୟତା ପାଇଁ ଶତ ଧିକ୍କାର ଦେଇଥାନ୍ତା । ଆଉ ଘନ ଘନ ପ୍ରଶ୍ନରେ ମଣିଷକୁ ପାଗଳ କରି ଦେଇଥାନ୍ତା । ଅଥଚ ତୁମେ ନିର୍ବିକାର ଚିତ୍ତରେ ଅବିଚଳିତ ଭାବେ କହୁଚ ତୁମେ ଖୁସି ! ସତ କଥା କାନ୍ତା, ମୋ କାର୍ଯ୍ୟରେ ତୁମେ କ୍ଷୁବ୍ଧ ନୁହଁ ?’’

କାନ୍ତା ଟିକେ ହସି ସୁଶାନ୍ତଙ୍କ ପାଖରେ ବସି ପଡ଼ିଲା । ତାର ସୁନ୍ଦର ମୁହଁଟିକୁ ସୁଶାନ୍ତଙ୍କ ବକ୍ଷ ଉପରେ ରଖି କହିଲା–‘‘ବିଶ୍ୱାସ କର, ମୁଁ ସୁଖୀ ହୋଇଚି । ମୁଁ ମୋର ସ୍ୱାମୀଙ୍କର ଶକ୍ତି ଜାଣେ-। ସେ ପ୍ରଭୁ ହେବା ପାଇଁ ଉପଯୁକ୍ତ । ଅବିବେକୀ ପ୍ରଭୁର ଗୋଲାମି କରିବାକୁ ତାଙ୍କର ଜନ୍ମ ନୁହେଁ ।

କେତେ ମାସ ପରେ ।

ସୁଶାନ୍ତ ଦୌନିକ ‘‘ଉତ୍କଳ ପ୍ରଭା’’ ଟି ପଢ଼ି ହସି ହସି ଆସିଲେ । ଉଚ୍ଚ ସ୍ୱରରେ ଡ଼ାକିଲେ–‘‘କାନ୍ତା, ଶୁଣିଲ–ଦେଖ ଆମ କାଗଜରେ କ’ଣ ବାହାରିଚି । ମୁଁ ଏ ଖବରଟା ଜାଣି ନଥିଲି-। ନ ହେଲେ ଆଜିର ସମ୍ପାଦକୀୟରେ ମନ ପୁରାଇ ଲେଖି ଥାଆନ୍ତି ।’’

ସୁଶାନ୍ତ ପଢ଼ିଲେ–ଶବରମାନେ ସରକାରୀ ବସତି ଛାଡ଼ି ଜଙ୍ଗଲକୁ ଚାଲି ଯାଇଚନ୍ତି । ଜିଲ୍ଲା ସାହେବ ତଦନ୍ତ କରିବାକୁ ଯିବାରୁ ପାହାଡ଼ ଉପରୁ ଧନୁଶର ଦ୍ୱାରା କେହି ତାଙ୍କୁ ଆକ୍ରମଣ କଲା । ଅଳ୍ପକେ ସେ ରକ୍ଷା ପାଇଲେ । ପୋଲିସ୍ ଅନୁସନ୍ଧାନ କରୁଚି; କିନ୍ତୁ ଆସାମୀ କେହି ଧରା ପଡ଼ି ନାହାନ୍ତି ।

କାନ୍ତା ଆଶ୍ଚର୍ଯ୍ୟ ହୋଇ କହିଲା–‘‘ଏତେ ହିଂସା ଏହି ଆଦିବାସୀ ମାନଙ୍କର ? ଭଦବାନ ଦୟାଳୁ । ତୁମେତ ଇମିତି ବିପଦରେ ପଡ଼ିଥାନ୍ତ । ଏ ସ୍ୱାଧିନ ଜୀବନ ଆମର ଭଲ ।

ସୁଶାନ୍ତ–‘‘କାଗଜ କଲମରେ ଆଦେଶ ଲେଖିବା ଓ କର୍ମ କ୍ଷେତ୍ରରେ କାର୍ଯ୍ୟକାରୀ କରାଇବା ଭିତରେ କେତେ ତଫାତ୍, ସାହେବ ଜାଣିଥିବେ । ଓଡ଼ିଶାର ଜଳବାୟୁ–ପାଣି ପବନ କଥା ଯେ ନ ଜାଣେ ସେ କଣ ବୁଝିବ ? ସଉରାମାନେ ବି ତ ମଣିଷ । ଟାଙ୍ଗରା ଭୂଇଁରେ ପାଣି ଟୋପାଏ ନାହିଁ । ପିଇବାକୁ ଦୁଇ କୋଶ ଯିବାକୁ ପଡ଼ିବ । ସେଠି ପୁଣି ଚାଷ ! ସରକାରୀ ଟଙ୍କାର ଅପବ୍ୟୟ ଦେଖୁଚ କାନ୍ତା ?

ଜିଲ୍ଲା ସାହେବଙ୍କର ମୁହଁ କଳା ପଡ଼ି ଯାଇଚି । ସଭାର ଆୟୋଜନ ସବୁ ନିଖୁଣ ହୋଇଥିଲେ ସୁଦ୍ଧା ସେ ନିଜେ ସ୍ଥିର ମନରେ ବସି ପାରୁନାହାନ୍ତି । ଅନ୍ୟମନସ୍କ ଭାବେ ସେ ଏପଟ ସେପଟ ହେଉଛନ୍ତି । ସାମାନ୍ୟ ସାମାନ୍ୟ କଥାରେ ବିଗିଡ଼ିଯାଉଛନ୍ତି । ତାଙ୍କର ଶୁଷ୍କ ବିବର୍ଣ୍ଣ ମୁଖ ଦେଖିଲେ ମନେ ହେବ ଏ ପାଞ୍ଚବର୍ଷ ଭିତରେ ସେ ଯେପରି ପନ୍ଦର ବର୍ଷ ପଢ଼ି ଯାଇଛନ୍ତି । ଚିନ୍ତା ଓ ଦୁଃଖର କାରଣ ଏହି ପାଞ୍ଚବର୍ଷରେ ସେ କୌଣସି ପ୍ରମୋସନ ପାଇ ନାହାନ୍ତି ।

ମୋଟର ହର୍ଣ୍ଣ ଶୁଣାଗଲା । ମନ୍ତ୍ରୀଙ୍କ ମୋଟର । ସଭା ସ୍ଥଳରେ ଚାଞ୍ଚଲ୍ୟ ଦେଖାଗଲା । ସ୍ୱାଗତ ଜଣାଇବାକୁ ଗଲେ ଜିଲ୍ଲା ସାହେବ । ମାନ୍ୟବର ମନ୍ତ୍ରୀ ସୁଶାନ୍ତ ନନ୍ଦଙ୍କୁ ହାତ ଯୋଡ଼ି ନମସ୍କାର କଲାବେଳେ ଜିଲ୍ଲା ସାହେବଙ୍କର ହାତ ଥରି ଉଠିଲା । କଥା ପଦେ ଉଚାରଣ କରିବା ଶକ୍ତି ଲୋପ ହୋଇଥିଲା–ଓଠ ଶୁଖି ଯାଇଛି । ସୁଶାନ୍ତ ହସ ହସ ମୁହଁରେ କାନ୍ତା ଦେବୀଙ୍କ ସହିତ ପରିଚୟ କରାଇଦେଲେ–‘‘ଏ ହେଉଛନ୍ତି ଆମ ଜିଲ୍ଲା ସାହେବ ।’’

Image